ମୃତ୍ୟୁକୁ ଆମନ୍ତ୍ରଣ କରୁଛି ଖୋଲା ଟ୍ରାନ୍ସଫର୍ମର, ତେଜୁଛି ଜନଅସନ୍ତୋଷ

କର୍ଲାମୁଣ୍ଡା:୧୭।୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଧୀନ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗାଁ ବସ୍ତିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବିନା ବାରିକେଡ କିମ୍ବା ବା ଅସୁରକ୍ଷିତ ଅବସ୍ଥାରେ ରହିଛି। ଏହା ସାଧାରଣ ଲୋକ ଏବଂ ଗାଈଗୋରୁଙ୍କ ପାଇଁ ଏକ ପ୍ରକାର ମୃତ୍ୟୁକୁ ଆମନ୍ତ୍ରଣ କରୁଛି। ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ରାସ୍ତା ଦେଇ ଦିନତମାମ ଗ୍ରାମବାସୀ, ବିଶେଷକରି ମହିଳା ଓ ଶିଶୁମାନେ ଗାଁ ପୋଖରୀକୁ ଗାଧୋଇବା ଏବଂ ବିଭିନ୍ନ ଜରୁରୀ କାର୍ଯ୍ୟରେ ଯିବା ଆସିବା କରିଥାଆନ୍ତି। ମାତ୍ର ରାସ୍ତାକୁ ଲାଗି ରହିଥିବା ଟ୍ରାନ୍ସଫର୍ମର ଚାରିପାଖରେ କୌଣସି ସୁରକ୍ଷା ପ୍ରାଚୀର କିମ୍ବା ଜାଲି ବାଡ଼ ନ ଥିବାରୁ ଯେକୌଣସି ମୁହୂର୍ତ୍ତରେ ଏକ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି।

ବିଶେଷ କରି ବୁଲୁଥିବା ଗାଈଗୋରୁ ଏହାର ସଂସ୍ପର୍ଶରେ ଆସି ପ୍ରାଣ ହରାଇବାର ଆଶଙ୍କା ବଢି ଯାଇଛି। ସୂଚନାଯୋଗ୍ୟ ଯେ, ଏହି ବିଦ୍ୟୁତ୍‌ ଟ୍ରାନ ସଫର୍ମର ମଦନପୁର ସେକ୍ସନ ଏବଂ ନର୍ଲା ବିଦ୍ୟୁତ୍‌ ଉପଖଣ୍ଡ (SDO) ଅଫିସ ଅଧୀନରେ ରହିଛି। ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏପରି ଉଦାସୀନତା ଯୋଗୁ କୌଣସି ଏକ ବଡ଼ ଅଘଟଣ ଘଟିବା ପୂର୍ବରୁ ତୁରନ୍ତ ଟ୍ରାନ୍ସଫର୍ମର ଚାରିପାଖରେ ସୁରକ୍ଷା ବାରିକେଡ କିମ୍ବା ଜାଲି ଲଗାଇବା ପାଇଁ ଅଞ୍ଚଳବାସୀଙ୍କ ସହ ବୁଦ୍ଧିଜୀବୀ ଦାବି କରିଛନ୍ତି।

Share