Categories: ଜାତୀୟ

ଉଧାମପୁରରେ ବିସ୍ଫୋରଣ, ଜଣେ ମୃତ ୧୩ ଆହତ…

ଶ୍ରୀନଗର,୯।୩ : ଜମ୍ମୁ-କଶ୍ମୀରର ଉଧାମପୁରର ସାଲାଥିଆ ଛକରେ ବୁଧବାର ଅପରାହ୍ନରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପରେ ପୋଲିସ ବୋମା ନିଷ୍କ୍ରିୟକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବିସ୍ଫୋରଣ କିପରି ହୋଇଛି ତାହା ଜାଣିବା ପାଇଁ ଉଦ୍ୟମ ଚାଲିଛି। ଏଥିରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ରହିଛି କି ନାହିଁ ତାହାର ତଦନ୍ତ କରାଯାଉଛି।

ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବିସ୍ଫୋରଣର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ। ନିକଟସ୍ଥ ଲୋକ ଓ ପୋଲିସ ଆହତମାନଙ୍କୁ ଡାକ୍ତରଖାନା ନେଇଥିଲେ। ଏପର୍ଯ୍ୟନ୍ତ ଅନୁସନ୍ଧାନରୁ ଜଣାପଡିଛି ଯେ ରାସ୍ତାରେ ଥିବା ଜଣେ ପନିପରିବା ବିକ୍ରେତାଙ୍କ ଦୋକାନରେ ଏହି ବିସ୍ଫୋରଣ ଘଟିଛି।

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ମଧ୍ୟ ଏହି ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଡିସି ଇନ୍ଦୁ ଚିବଙ୍କ ସହ ଯୋଗାଯୋଗରେ ଅଛନ୍ତି। ଘଟଣାର ତଦନ୍ତ ପାଇଁ ପୋଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

ତିନି ଦିନ ପୂର୍ବେ ଶ୍ରୀନଗରର ଆମିରକାଡାଲ ଅଞ୍ଚଳର ରବିବାର ସାରେ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଗ୍ରେନେଡ ଆକ୍ରମଣରେ ଦୁଇ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଜଣେ ପୋଲିସ କର୍ମଚାରୀ ଏବଂ ୧୭ ଜଣ ମହିଳା ଥିଲେ।

Share