ବର୍ତ୍ତମାନ ପରିସ୍ଥିତିରେ ମେଦବହୁଳତା ସମସ୍ତଙ୍କ ଚିନ୍ତାର କାରଣ ସାଜିଛି। ସାଧାରଣତଃ ଅଧିକ ଖାଇବା ଓ କୌଣସି କାମ ନ କରିବା ଦ୍ୱାରା ଆମ ଶରୀରର ଓଜନ ବଢ଼ିଯାଏ। କିନ୍ତୁ ଏବେ ମୃଦୁ ପାନୀୟ ଯୋଗୁ ଓଜନ ବଢ଼ୁଥିବା ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି। ଏଭଳି ବିଷୟକୁ ନେଇ ଟୋକିଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ପ୍ରାୟ ଅଧିକାଂଶ ସମୟ ମୃଦୁ ପାନୀୟ (କୋଲ୍ଡ ଡ୍ରିଙ୍କସ) ପିଉଥିବା କେତେକ ବ୍ୟକ୍ତିଙ୍କୁ ଏହାର ପରିସରଭୁକ୍ତ କରାଯାଇଥିଲା। ଏଭଳି ଅଭ୍ୟାସ ସେମାନଙ୍କର ମେଦବହୁଳତା ଉପରେ କିପରି ପଡୁଛି ତାହାକୁ ଉକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ତନ୍ନ ତନ୍ନ କରି ପରୀକ୍ଷା କରିଥିଲେ। ପରିଶେଷରେ ସେମାନଙ୍କ ମଧ୍ୟରୁ ପ୍ରାୟ ୪୫ ପ୍ରତିଶତ ବ୍ୟକ୍ତିଙ୍କ ଠାରେ ମେଦବହୁଳତା ସମସ୍ୟା ଦେଖିବାକୁ ମିଳିଥିଲା ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆଉ ଏଥିଲାଗି ମୃଦୁ ପାନୀୟ କେତେକାଂଶରେ ଦାୟୀ ବୋଲି ଜଣାପଡିଛି। କିନ୍ତୁ ଆବଶ୍ୟକତାଠାରୁ ଅଧିକ ପରିମାଣରେ ଏହାକୁ ପିଇଲେ ତାହାର ଖରାପ ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ। ବିଶେଷଭାବରେ ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା ଓଜନ ବୃଦ୍ଧି କରିବାରେ କେତେକାଂଶରେ ସହାୟକ ହୋଇଥାଏ ବୋଲି ଉକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି।