Categories: ଫୁରସତ

ଦାମୀ ମୂର୍ତ୍ତି

ଅନେକ ଲୋକ ନିଜ ଘରେ ପୁରାତନ କଳା ସ୍ଥାପତ୍ୟରେ ତିଆରି ମୂର୍ତ୍ତିକୁ ସଜାଇବାକୁ ଭଲପାଆନ୍ତି । କିନ୍ତୁ ଏପରି କିଛି ପୁରାତନ ମୂର୍ତ୍ତି ଅଛି ଯାହା କିଣିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ । କାରଣ ଏଗୁଡ଼ିକ ହେଉଛି ବିଶ୍ୱର ଦାମୀ କଳାକୃତି ବିଶିଷ୍ଟ ମୂର୍ତ୍ତି । ଜାଣନ୍ତୁ ଏପରି କିଛି ଦାମୀ ମୂର୍ତ୍ତି ସମ୍ପର୍କରେ …

ଏଲ୍‌ହୋମି କ୍ୟୁ ମାର୍ଚ୍ଚେ : ଏ ହେଉଛି ଏକ ଚାଲୁଥିବା ମଣିଷର ମୂର୍ତ୍ତି । ଯାହାକୁ ଆଲ୍‌ବଟ୍‌ ଗିଆକୋମିଟି ୧୯୬୧ ମସିହାରେ ତିଆରି କରିଥିଲେ ଓ ଏହାର ନାମ ରଖିଥିଲେ ‘ଏଲ୍‌ହୋମି କ୍ୟୁ ମାର୍ଚ୍ଚେ ’ । ଫେବୃଆରୀ , ୨୦୧୦ ମସିହାରେ ବ୍ରାଜିଲର ବିଳାସୀ ଓ ଖ୍ୟାତି ସମ୍ପନ ମହିଳା ଲିଲି ସାଫରା ଏହାକୁ ୧୦୪.୩ ମିଲିୟନ୍‌ ଡଲାରରେ କିଣି ନେଇଥିଲେ । ଏହି ମୂର୍ତ୍ତି ସେ ସମୟରେ ବହୁତ ଲୋକପ୍ରିୟତା ହାସଲ କରିଥିଲା । ଏଥିସହିିତ ଏହି ମୂର୍ତ୍ତିର ଛବି ସ୍ବିଜ୍‌ ଫ୍ରାନ୍ସର ନୋଟରେ ମଧ୍ୟ ଦେଖିବାକୁ ମିଳେ । ଶୁଣିବାକୁ ମିଳେ ଯେ, ଗିଆକୋମିଟଙ୍କ ଅନ୍ୟ ସମସ୍ତ ମଡର୍ନ ଆର୍ଟରେ ନିର୍ମିତ ମୂର୍ତ୍ତି ମଧ୍ୟରୁ କେବଳ ଏହି ମୂର୍ତ୍ତିଟି ୧୦୦ମିଲିୟନ୍‌ ଡଲାରରୁ ଅଧିକ ଟଙ୍କାରେ ବିକ୍ରି ହୋଇଥିଲା ।
ତେତେ : ଯେଉଁ ମାନେ ପଥର ଖୋଦିତ ମୂର୍ତ୍ତିର ପ୍ରଶଂସକ ସେମାନଙ୍କୁ ଏହି ମୂର୍ତ୍ତି ବହୁତ ଆକର୍ଷିତ କରିବ । କାରଣ ‘ତେତେ’ ହେଉଛି ଏକ ବଡ ଗୋଟିକିଆ ଚୂନ ପଥରରେ ନିର୍ମିତ ମୂର୍ତ୍ତି । ଏହି ମୂର୍ତ୍ତି ତିଆରି କରିଛନ୍ତି ବିଶିଷ୍ଟ ଇଟାଲିଆନ୍‌ ମୂର୍ତ୍ତି କାରିଗର ଆମେଡୋ ମୋଦିଗ୍ଲିଆରି । ୨୦୧୦ ମସିହାରେ ଏକ ଘରୋଇ ସଂଗ୍ରହକାରୀ ବ୍ୟକ୍ତିଙ୍କୁ ଏହି ମୂର୍ତ୍ତି ୫୯.୫ ମିଲିୟନ୍‌ ଡଲାରରେ ବିକ୍ରି କରାଯାଇଥିଲା।ଏହି ମୂର୍ତ୍ତିଟି ଆଫ୍ରିକାନ କାରିଗରୀରେ ନିର୍ମିତ ଏକ ମହିଳାର ମୂର୍ତ୍ତି ଯାହା ଆଦିବାସୀ ଚେହେରା ଯୋଗୁ ପୁରାତନ ଦେବୀଙ୍କ ମୂର୍ତ୍ତି ପରି ପ୍ରତିଫଳିତ ହୋଇଥାଏ ।
ବେଲୁନ୍‌ ଡଗ୍‌ : ଜେଫ୍‌ କୁନ୍‌ସ ହେଉଛନ୍ତି ଆଉଜଣେ ଖ୍ୟାତନାମା ଆର୍ଟିଷ୍ଟ । ସେ ସାଧାରଣତଃ ଦୈନ ଦିନ ଜୀବନରେ ବ୍ୟବହୃତ ସାମଗ୍ରୀକୁ ନେଇ ବିରାଟକାୟ ମୂର୍ତ୍ତିମାନ ତିଆରି କରିଥାନ୍ତି । ସେ ‘ବେଲୁନ୍‌ ଡଗ୍‌’ ନାମକ ଏକ ବିରାଟକାୟ କମଳା ରଙ୍ଗର ମୂର୍ତ୍ତି ତିଆରି କରିଥିଲେ, ଯାହା ତାଙ୍କ ଅନ୍ୟ କାରିଗରୀ ଅପେକ୍ଷା ବହୁତ ଭିନ୍ନ ଓ ବିରାଟ । ଯାହାର ଦାମ୍‌ ୫୮.୪ ମିଲିୟନ୍‌ ଡଲାର । ଅନ୍ୟ ମୂର୍ତ୍ତି ଅପେକ୍ଷା ଏହାର ମୂଲ୍ୟ ଥିଲା ବହୁତ ଅଧିକ । ଏହି ମୂର୍ତ୍ତି ଟି ଦେଖିବାକୁ ବେଲୁନ୍‌ରେ ତିଆରି କୁକୁର ଆକୃତିର । ଷ୍ଟିଲ୍‌ରେ ନିର୍ମିତ ଏହି ମୂର୍ତ୍ତିଟି ଥିଲା ଦାଗବିହୀନ ଓ ଚିକ୍କଣ ା
ଗୁୟେନଲ ଲାୟନେସ୍‌ : ଏହି ମୂର୍ତ୍ତିଟି ଇରାକର ବାଘାଦରୁ ଆବିଷ୍କାର କରାଯାଇଥିଲା । ଏହା ୫୦୦୦ ବର୍ଷ ତଳର ମୂର୍ତ୍ତି ଅଟେ ା
ଏହା ମେସୋପଟାମିଆ ସଭ୍ୟତା ସମୟର ଚୂନପଥରରେ ତିଆରି ମୂର୍ତ୍ତି ବୋଲି ଅନୁମାନ କରାଯାଏ । ମୂର୍ତ୍ତିଟିର ଶରୀର ମୋଟା ମାନବ ମହିଳାର ଓ ମୁଣ୍ଡ ସିଂହ ଆକୃତିର ।ଏହି ମୂର୍ତ୍ତି ସେ ସଭ୍ୟତାର ଶେଷ ମାଷ୍ଟରପିସ୍‌। ଯାହା ୨୦୦୭ ମସିହାରେ ୫୭.୨ମିଲିୟନ୍‌ ଡଲାରରେ ବିକ୍ରି କରାଯାଇଥିଲା ।
ଗ୍ରାନଗ୍ରେ ତେତେ ମିନିସ୍‌ : ଆଲ୍‌ବଟ୍‌ ଗିଆକୋମିତିଙ୍କ ଆଉ ଏକ ବିଶ୍ୱ ପ୍ରସିଦ୍ଧ ଓ ଦାମୀ ମୂର୍ତ୍ତି ‘ଗ୍ରାନଗ୍ରେ ତେତେ ମିନିସ୍‌’ । ଯାହା ୨୦୧୦ ମସିହାରେ ୫୩.୩ ମିଲିୟନ୍‌ ଡଲାରରେ ନିଲାମ ହୋଇଥିଲା । ଏହି ମୂର୍ତ୍ତି ଆଲବଟ୍‌ଙ୍କ ଅନ୍ୟ ମୂର୍ତ୍ତି ଠାରୁ ବହୁତ ଭିନ୍ନ । ଏହି ମୂର୍ତ୍ତି ଟିର ବିଶେଷତ୍ୱ ଥିଲା ଯେ,ଏହା ଦ୍ୱିରୂପକ ମୂର୍ତ୍ତି ।
କାରଣ ଏହାକୁ ଆଗ ପଟୁ ଦେଖିଲେ ଗୋଟିଏ ଚେହେରା ଏବଂ କଡରୁ ଦେଖିଲେ ଆଉ ଏକ ଚେହେରା।
ମାଦାମେ ଏଲ୍‌ଆର୍‌ : କାଠରେ ତିଆରି ଏହି ଚିକ୍କଣ ପାଲିସ୍‌ ମୂର୍ତ୍ତି ହେଉଛି ‘ମାଦାମେ ଏଲ୍‌ଆର୍‌’ ।ଏହାକୁ କୋଷ୍ଟାଟିନ୍‌ ବ୍ଲାନ୍‌କୁସି ନାମକ କାରିଗର ତିଆରି କରିଥିଲେ ।ଏହା ସିଧା ଧାର ଓ ଉପରିଭାଗ ଖଦଡ଼ ଥିବା ଏକ ମହିଳାର ଛାୟାମୂର୍ତ୍ତି ଅଟେ ।ଯାହା ୨୦୦୯ ମସିହାରେ ୩୭.୬ ମିଲିୟନ୍‌ ଡଲାରରେ ବିକ୍ରି କରାଯାଇଥିଲା ।

Share