Categories: ଜାତୀୟ

ଶାହାଙ୍କୁ ଭେଟିଲେ କଂଗ୍ରେସରୁ ବହିଷ୍କୃତ ବିଧାୟକ

ଚଣ୍ଡିଗଡ଼,୧୦।୭: ହରିୟାଣା କଂଗ୍ରେସରୁ ବହିଷ୍କୃତ ନେତା ତଥା ଆଦମପୁର ବିଧାୟକ କୁଲଦୀପ ବିଷ୍ଣୋଇ ରବିବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଭାରତୀୟ ଜନତା ପାର୍ଟି ମୁଖ୍ୟ ଜେପି ନଡାଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ସହ ଭେଟ ବେଳର ଫଟୋ ସେ ନିଜ ଟୁଇଟର୍‌ରେ ଶେୟାର କରିଛନ୍ତି। ଏଥି ସହିତ, ଶାହା ଏବଂ ନଡ୍ଡାଙ୍କ ସହ ବୈଠକ ପୂର୍ବରୁ ସେ ଟୁଇଟର୍‌ରୁ କଂଗ୍ରେସର ମୁଖ୍ୟ ସୋନିଆ ଗାନ୍ଧୀ ଏବଂ ଦଳର ନେତା ରାହୁଲ ଗାନ୍ଧୀଙ୍କ ସହ ଫଟୋ ହଟାଇ ଦେଇଛନ୍ତି।
ଅମିତ ଶାହାଙ୍କୁ ଭେଟିବାର ଫଟୋ ଶେୟାର କରି ସେ ଲେଖିଛନ୍ତି ଯେ, ଶ୍ରୀ ଅମିତ ଶାହା ଜୀଙ୍କୁ ଭେଟିବା ପ୍ରକୃତ ସମ୍ମାନ ଏବଂ ଆନନ୍ଦର ବିଷୟ ଥିଲା। ସେ ଜଣେ ସଚ୍ଚୋଟ ରାଜନେତା। ଭାରତ ପାଇଁ ତାଙ୍କର ଦୂରଦୃଷ୍ଟି ଆଶ୍ଚର୍ଯ୍ୟଜନକ ଅଟେ। ଜଣେ ଅମିତ ଶାହା ହେବା ବହୁତ କଷ୍ଟସାଧ୍ୟ।

ସେହିପରି ଜେପି ନଡ୍ଡାଙ୍କ ସହ ଫଟୋ ଶେୟାର କରି ଲେଖିଛନ୍ତି ଯେ, ଶ୍ରୀ ଜେପି ନଡ୍ଡା ଜୀଙ୍କୁ ଭେଟି ମୁଁ ବହୁତ ଗର୍ବିତ। ତାଙ୍କର ବିନମ୍ର ସ୍ବଭାବ ତାଙ୍କୁ ଅନ୍ୟମାନଙ୍କଠାରୁ ପୃଥକ କରେ। ତାଙ୍କ ଦକ୍ଷ ଅଧ୍ୟକ୍ଷତା ଅଧୀନରେ ଭାଜପା ଅଦ୍ଭୁତପୂର୍ବ ସଫଳତା ଦେଖିଛି। ମୁଁ ତାଙ୍କ ଉତ୍ତମ ସ୍ବାସ୍ଥ୍ୟ ଏବଂ ଦୀର୍ଘାୟୁ କାମନା କରୁଛି।

ସୂଚନାଯୋଗ୍ୟ, ରାଜ୍ୟ ସଭା ନିର୍ବାଚନ ସମୟରେ କୁଲଦୀପଙ୍କ କ୍ରସ ଭୋଟିଂ ଯୋଗୁ କଂଗ୍ରେସ ପ୍ରାର୍ଥୀ ଅଜୟ ମାକେନଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହା ପରେ କଂଗ୍ରେସ କୁଲଦୀପଙ୍କୁ ସମସ୍ତ ପଦବୀରୁ ହଟାଇ ଦେଇଥିଲା। କୁଲଦୀପ ଖୁବଶୀଘ୍ର ଭାଜପାରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି।

Share