ଶୀତ ପୂର୍ବରୁ ଚିଲିକାରେ ବିଦେଶୀ ପକ୍ଷୀ

ବାଲୁଗାଁ, ୮।୧୦(ସଂଗ୍ରାମ ପାଇକରାୟ)ଶୀତ ଆସିବା ପୂର୍ବରୁ ନୀଳାମ୍ବୁ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି। ଶନିବାର ସୁଦ୍ଧା ପକ୍ଷୀ ଅଭୟାରଣ୍ୟ ନଳବଣକୁ ୫୦ (ଇୟୁଜିୟନ୍‌ ପ୍ରଜାତିର ୩୦ ଏବଂ ଗଡଓ୍ବାଲ ୨୦) ବିଦେଶୀ ପକ୍ଷୀ ଆସିଥିବା ଡିଏଫ୍‌ଓ ଅମ୍ଳାନ ନାୟକ ସୂଚନା ଦେଇଛନ୍ତି। ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀ ସୋଭଲର, ନର୍ଦ୍ଦର୍ନ ପିଣ୍ଟେଲ୍‌, ଗଡଓ୍ବିଟ୍‌, କମନ କୁଟ୍‌ ଆଦି ଚିଳିକାରେ ବୁଲୁଛନ୍ତି। ଚିଲିକାରେ ଅବତରଣ ପୂର୍ବରୁ ପକ୍ଷୀ ସମୂହ, ନିରାପଦ ବାସସ୍ଥାନ ଏବଂ ଉପଯୁକ୍ତ ଖାଦ୍ୟ ଅନୁସନ୍ଧାନ କରି ଚିଲିକା ଜଳରାଶିରେ ପାଦ ଥାପିଥାନ୍ତି। ସପ୍ତାହେ ମଧ୍ୟରେ ଶତାଧିକ ପକ୍ଷୀଙ୍କ ଦୃଷ୍ଟିଗୋଚର ହେବା ସମ୍ଭାବନା ରହିଛି। ଚଳିତ ବର୍ଷ ଅକ୍ଟୋବର ପହିଲାରେ ପକ୍ଷୀଙ୍କ ଆଗମନ ହୋଇଥିବାରୁ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଡିଏଫଓ ଆଶା ପ୍ରକଟ କରିଛନ୍ତି। ଅସହ୍ୟ ଶୀତରୁ ରକ୍ଷା ପାଇବା ପାଇଁ ବରଫାବୃତ୍ତ ଅଞ୍ଚଳ ସାଇବେରିଆ, ଋଷିଆ, କାଜକ୍‌ସ୍ଥାନ, ଲଦାକ୍‌, ମାଙ୍ଗୋଲିଆ, ଆମେରିକା, କାନାଡାରୁ ଆଦି ରଙ୍ଗବେରଙ୍ଗର ପକ୍ଷୀମାନେ ଚିଲିକାକୁ ଆସିଥାନ୍ତି। ବର୍ଷାଦିନେ ଜନ୍ମ ନେଇଥିବା କୀଟପତଙ୍ଗ, ମାଛ ଓ ତୃଣଜାତୀୟ ଉଦ୍ଭିଦ ଆଦି ଏହି ପକ୍ଷୀଙ୍କ ମୁଖ୍ୟ ଆହର ପାଲଟିଥାଏ। ବିଶେଷକରି ବର୍ତ୍ତମାନ ପକ୍ଷୀ ଅଭୟାରଣ୍ୟ ନଳବଣରେ ଜଳସ୍ତର ଅଧିକ ଥିବାରୁ ଚିଲିକା ତଟ ଅଞ୍ଚଳରେ ବହୁ ସଂଖ୍ୟାରେ ପକ୍ଷୀ ପଇଁତରା ମାରୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ପକ୍ଷୀଙ୍କ ସୁରକ୍ଷା ପାଇଁ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ପକ୍ଷୀଙ୍କ ସୁରକ୍ଷା ପାଇଁ ୨୦ଟି କ୍ୟାମ୍ପ କରାଯାଇଛି। ଢାବା ଏବଂ ହୋଟେଲଗୁଡ଼ିକୁ ତଲାସିବା ପାଇଁ ଗୋଟିଏ ଭ୍ରାମ୍ୟମାଣ ସ୍କ୍ବାଡ୍‌ ନିୟୋଜିତ କରାଯାଇଛି। ଏହାବ୍ୟତୀତ ବାଲୁଗାଁ ବନ୍ୟପ୍ରାଣୀ ବିଭାଗୀୟ ଅଧୀନ ଟାଙ୍ଗୀ ରେଞ୍ଜରେ ସର୍ବାଧିକ ୧୧ଟି କ୍ୟାମ୍ପ, ବାଲୁଗାଁ ରେଞ୍ଜ ଅଧୀନ ନଳବଣରେ ୪ଟି, ସାତପଡ଼ାରେ ୨ଟି, ରମ୍ଭା ୨ ଓ ଚିଲିକାରେ ଗୋଟିଏ କ୍ୟାମ୍ପ ନିୟୋଜିତ ନିମନ୍ତେ ବ୍ୟବସ୍ଥା କରାଯାଇଛି। ଜଳପଥରେ ପ୍ରତ୍ୟେକ କ୍ୟମ୍ପରେ ଗୋଟିଏ ଲେଖାଏ ଯନ୍ତ୍ରଚାଳିତ ବୋଟ୍‌ ସମେତ ଜଣେ ବନପାଳ କିମ୍ବା ବନରକ୍ଷୀ ଏବଂ ଚିଲିକା ତଟବର୍ତ୍ତୀ ଗ୍ରାମ ପକ୍ଷୀ ସୁରକ୍ଷା ମଞ୍ଚର ୩ଜଣ ଲେଖାଏ ସଦସ୍ୟ ସାମିଲ ହୋଇଛନ୍ତି। ଚିଲିକା ତଟବର୍ତ୍ତୀ ଗ୍ରାମଗୁଡ଼ିକରେ ପକ୍ଷୀ ସୁରକ୍ଷା ସମ୍ପର୍କିତ ସଚେତନମୂଳକ କାର୍ଯ୍ୟକ୍ରମ କରାଯିବ।