Categories: ଜାତୀୟ

ନିର୍ବାସନ ଏକ ସାଧାରଣ ଦଣ୍ଡାଦେଶ ନୁହେଁ, ଗୁରୁତର ଅପରାଧ କ୍ଷେତ୍ରରେ ଏହାର ଉପଯୋଗ ହେବା ଆବଶ୍ୟକ…

ନୂଆଦିଲ୍ଲୀ, ୨୯।୧ : ନିର୍ବାସନ ଦଣ୍ଡାଦେଶ ଏକ ସାଧାରଣ ଦଣ୍ଡାଦେଶ ନୁହେଁ। ଗୁରୁତର ଅପରାଧ କ୍ଷେତ୍ରରେ ଏହାର ଉପଯୋଗ ହେବା ଆବଶ୍ୟକ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ଭାରତୀୟ ନାଗରିକଙ୍କର ଦେଶରେ ଯେକୌଣସି ସ୍ଥାନକୁ ଯିବା ଆସିବାର ଅଧିକାର ରହିଛି। ଏପରିସ୍ଥଳେ ନିର୍ବାସନ ଦଣ୍ଡାଦେଶ କରିବା ପୂର୍ବରୁ ସମ୍ପୂର୍ଣ୍ଣ ସଞ୍ଜମତା ଆଚରଣ ସହିତ ମାମଲାର ବିଭିନ୍ନ ଦିଗକୁ ଯାଞ୍ଚ୍‌ କରିବା ଆବଶ୍ୟକ। ନଚେତ୍‌ ଏଭଳି କରିବା ଦ୍ୱାରା ଭାରତୀୟ ନାଗରିକଙ୍କୁ ପ୍ରଦାନ କରାଯାଇଥିବା ମୌଳିକ ଅଧିକାରର ଉଲ୍ଲଂଘନର ହେବାର ଆଶଙ୍କା ରହିଥାଏ।

ବିଚାରପତି ଅଜୟ ରସ୍ତୋଗି ଏବଂ ଅଭୟ ଏସ୍‌. ଓକ୍‌ଙ୍କ ନତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏହା କହିଛନ୍ତି।

ନିର୍ବାସନ ଦଣ୍ଡାଦେଶ ତର୍କସଙ୍ଗତ ଭାବେ ଯୁକ୍ତିଯୁକ୍ତ ହେବା ଆବଶ୍ୟକ। ଏହି ମାମଲାରେ ମହାରାଷ୍ଟ୍ରର ଜାଲନା ଜିଲାର ଜଣେ ବାସିନ୍ଦାଙ୍କୁ ୫ ଦିନ ମଧ୍ୟରେ ଜିଲା ସୀମା ବାହାରକୁ ଯିବାକୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ମହାରାଷ୍ଟ୍ର ପୋଲିସ ଅଧିନିୟମ ୧୯୫୧ର ଧାରା ୫୬-୧-ଏ-ବି ଅନ୍ତର୍ଗତ ସମ୍ପୃକ୍ତ ବ୍ୟକ୍ତିଙ୍କ କାର୍ଯ୍ୟକଳାପକୁ ଅପରାଧିକ ଦୃଷ୍ଟିକୋଣରୁ ଗୁରୁତର ଦର୍ଶାଯାଇ ଏଭଳି ନିର୍ଦ୍ଦେଶ ଜାରି କରାଯାଇଥିଲା।

ବମ୍ବେ ହାଇକୋର୍ଟ ଏହା ବିରୋଧରେ ଦାଖଲ ହୋଇଥିବା ରିଟ୍‌ ପିଟିଶନ୍‌କୁ ଖାରଜ କରିଦେଇଥିଲେ। ଶେଷ ସମ୍ପୃକ୍ତ ବ୍ୟକ୍ତି ଶୀର୍ଷକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Share