ଅବସରର ସପ୍ତାହେ ପୂର୍ବରୁ ଗିରଫ ହେଲେ ନିର୍ବାହୀ ଯନ୍ତ୍ରୀ: ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ିବସିଲା ଭିଜିଲାନ୍ସ

ରାୟଗଡା,୨୪।୬: ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ ଗିରଫ କରିଛି। ଭିଜିଲାନ୍ସ। ୨ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ ପ୍ରସନ୍ନ। କାର୍ଯ୍ୟ ଅଭିଜ୍ଞତା ପ୍ରମାଣପତ୍ର ପାଇଁ ଠିକାଦାରଙ୍କଠାରୁ ସେ ଲାଞ୍ଚ ନେଉଥିଲେ। ରାୟଗଡ଼ା କ୍ୱାର୍ଟରରୁ ଲାଞ୍ଚକୁ ମିଶାଇ ମୋଟ ୫ ଲକ୍ଷ ୩୯ ହଜାର ଟଙ୍କା ଜବତ ହୋଇଛି। ଗତ ଜୁନ ୩୦ରେ ଚାକିରିରୁ ଅବସର ନେଇଥାନ୍ତେ ଯନ୍ତ୍ରୀ ପ୍ରସନ୍ନ।

ସୂଚନାଯୋଗ୍ୟ, ପ୍ରସନ୍ନ ପଟ୍ଟନାୟକ ଜଣେ ଠିକାଦାରଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଥିଲେ। ନିର୍ବାହୀ ଅଧିକାରୀ ପଟ୍ଟନାୟକ ଜଣେ ଠିକାଦାରଙ୍କ ବିଲ୍‌ ପାସ୍‌ କରିବା ପାଇଁ ୨ ଲକ୍ଷ ଟଙ୍କା ଦାବି କରିଥିଲେ। ଏନେଇ ଠିକାଦାର ଜଣଙ୍କ ଭିଜିଲାନ୍ସକୁ ଅବଗତ କରିଥିଲେ। ମଙ୍ଗଳବାର ରାତିରେ କତୁରୁ ନିକଟସ୍ଥ ସରକାରୀ ବାସଭବନରେ ଟଙ୍କା ନେବା ବେଳେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଥିଲା। ରାୟଗଡା ଭିଜିଲାନ୍ସ ଡିଏସ୍‌ପି ସୂର୍ଯ୍ୟକାନ୍ତି ଟାକ୍ରି ଓ ଡିଏସ୍‌ପି ଅଭୟ ପ୍ରଧାନଙ୍କ ନେତୃତ୍ୱରେ ଚଢ଼ାଉ ହୋଇଥିଲା। ଭିଜିଲାନ୍ସ ଟିମ୍‌ ୨ ଲକ୍ଷ ଟଙ୍କା ଜବତ କରିଛି। ଭିଜିଲ୍‌ାନ୍ସର ଦଶଜଣିଆ ଟିମ୍‌ ଚଢ଼ାଉ କରିଥିବା ଜଣାପଡିଛି। ନୟାଗଡ ଜିଲା ଏବଂ ଭୁବନେଶ୍ୱରଠାରେ ମଧ୍ୟ ଚଢ଼ାଉ ଚାଲିଥିଲା। ନିର୍ବାହୀ ଅଧିକାରୀ ଚଳିତ ମାସରେ ଚାକିରିରୁ ଅବସର ନେଇଥାନ୍ତେ କିନ୍ତୁ ୭ ଦିନ ପୂର୍ବରୁ ଭିଜିଲାନ୍ସ ଜାଲରେ ପଡ଼ିଗଲେ। ସ୍ଥାନୀୟ ଠିକାଦାରମାନେ ମଧ୍ୟ ତାଙ୍କ ଦୁର୍ନୀତି ସମ୍ପର୍କରେ ଅଭିଯୋଗ କରିଥିଲେ। ତଦନ୍ତ ସରିଲା ପରେ ତାଙ୍କ ସମ୍ପତ୍ତି ସମ୍ପର୍କରେ ସୂଚନା ମିଳିବ ବୋଲି ଡିଏସ୍‌ପି ଟାକ୍ରି ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

 

Share