ନନ୍ଦପୁର,୨୬ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ମାଳିବେଲଗାଁ ପଞ୍ଚାୟତରେ ଚାଷ ଜମିରେ ଏକ ବନ୍ଧ ଖୋଳାକୁ ନେଇ କଦମଗୁଡା ଓ ଖତପୁଟ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଗୋଟିଏ ପକ୍ଷ ନନ୍ଦପୁର ଥାନା ଓ ତହସିଲର ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟ ପକ୍ଷ ପଞ୍ଚାୟତର ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ମୁତାବକ ଖତପୁଟ ଗାଁ ପାର୍ଶ୍ୱରେ କଦମଗୁଡ଼ା ଗ୍ରାମବାସୀଙ୍କ ଜମିରେ ଥିବା ଏକ ଚୁଆକୁ ଖତପୁଟ ଗ୍ରାମବାସୀ ବ୍ୟବହାର କରୁଥିଲେ। କିନ୍ତୁ ୧୫/୨୦ ବର୍ଷ ତଳେ ଜମି ମାଲିକ ଉକ୍ତ ଚୁଆକୁ ବନ୍ଦ କରି ଜମି ପ୍ରଶସ୍ତୀକରଣ କରିଥିଲେ। ଏହି ସ୍ଥାନକୁ ଅନାବାଦୀ ଜମି କହି ଖତପୁଟ ଗ୍ରାମର କେତେଜଣ ଲୋକ ଏକତ୍ର ହୋଇ ଜବରଦସ୍ତ ବନ୍ଧ ପୁନରୁଦ୍ଧାର କାର୍ଯ୍ୟ କରୁଥିଲେ। ଏହାକୁ ପୈତୃକ ସମ୍ପତ୍ତି କହି ବନ୍ଧ ଖୋଳାକୁ ବାରଣ କରିବାକୁ ଯାଇଥିବା କଦମଗୁଡ଼ାର ଦୈତାରୀ ସୀସା ଓ ତାଙ୍କ ମା’ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଏ ନେଇ ନନ୍ଦପୁର ଥାନାରେ ଅଭିଯୋଗ କରିଥିଲେ। ଜମି ଚିହ୍ନଟ କରି ଦେଖାଇବାକୁ ତହସିଲଦାରଙ୍କୁ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି। ଏଥିରେ ଉକ୍ତ ଜମି ତାଙ୍କ ପଣିଜେଜେ ଶ୍ରବଣା ସୀସାଙ୍କ ନାମରେ ଖାତା ନଂ ୮୯ ପ୍ଲଟ ନଂ ୩୪୭ରେ ଥିବା ୨ ଏକର ୫୦ ସେଣ୍ଟ ଜମିର ଅଂଶବିଶେଷ ବୋଲି ଉଲ୍ଲେଖ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି। ଖତପୁଟ ଗ୍ରାମବାସୀ ମାଳିବେଲଗାଁ ପଞ୍ଚାୟତ ସରପଞ୍ଚ ପ୍ରହଲ୍ଲାଦ ମୁଦୁଲିଙ୍କୁ ଏହି ସ୍ଥାନ ଅନାବାଦୀ ଜମି। ପୂର୍ବରୁ ଏଠାରେ ଗ୍ରାମବାସୀଙ୍କ ବ୍ୟବହାର ପାଇଁ ଏକ ଚୁଆ ଥିଲା ବୋଲି ଉଲ୍ଲେଖ କରି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ସରପଞ୍ଚ ପ୍ରହଲ୍ଲାଦ ନନ୍ଦପୁର ତହସିଲ, ଥାନା କର୍ତ୍ତୃପକ୍ଷ ଓ ୨ ଗ୍ରାମବାସୀଙ୍କ ଉପସ୍ଥିତିରେ ଜମି ଚିହ୍ନଟ ସହ ଆଲୋଚନା କରି ସମାଧାନ କରାଯିବ ବୋଲି କହିଛନ୍ତି।