ଟିକା ପାଇଁ ଉତ୍ତେଜନା

ବାଳକାଟୀ,୧୧।୫(ଡି.ଏନ୍‌.ଏ.): ରାଜ୍ୟର ସବୁ ଟିକା କେନ୍ଦ୍ରରେ ଲୋକେ ଟିକା ନେବା ପାଇଁ ଅସମ୍ଭାଳ ଭିଡ଼ ହେଉଛି। ଟିକା ନେବା ପାଇଁ ରାତି ୩ଟାରୁ ଲୋକେ ଆସି ଲାଇନ୍‌ ଲଗାଉଛନ୍ତି। ଫଳରେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରହୁ ନ ଥିବାବେଳେ ପରିସ୍ଥିତି ମଧ୍ୟ ଅଣାୟତ୍ତ ହୋଇପଡ଼ୁଛି। ଅନ୍ୟପଟେ କେନ୍ଦ୍ରକୁ ୧୦୦ଟିକା ଆସିଥିବାବେଳେ ପ୍ରାୟ ୩୦୦ ଲୋକ ଲାଇନ୍‌ରେ ରହୁଛନ୍ତି। ଶେଷରେ ଟିକା ନ ପାଇ ଅସନ୍ତୋଷ ପ୍ରକାଶ କରିବା ସହ ଟିକାକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏଭଳି ଅଭାବନୀୟ ଘଟଣା ରାଜଧାନୀ ଉପକଣ୍ଠ ବାଳକାଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି। ବାଳକାଟୀ ଅଞ୍ଚଳରେ ପ୍ରଥମ ଡୋଜ୍‌ ନେଇଥିବା ବ୍ୟକ୍ତିମାନଙ୍କର ଦ୍ୱିତୀୟ ଡୋଜ୍‌ ନେବା ପାଇଁ ସମୟ ହୋଇଯାଇଥିବାରୁ ସେମାନେ ମଧ୍ୟ ଟିକା କେନ୍ଦ୍ରକୁ ଆସି ଲାଇନ ଲଗାଉଛନ୍ତି। ହେଲେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଅଦ୍ୟାବଧି ୨୩୦୦ ଲୋକ ଦ୍ୱିତୀୟ ଡୋଜ୍‌ ନେବା ପାଇଁ ଅପେକ୍ଷାରେ ଥିବାବେଳେ ସେହି ଅନୁପାତରେ ଟିକା ଆସି ନାହିଁ। ୨/୩ ଦିନ ଅନ୍ତରରେ ଟିକା ଆସୁଥିବାବେଳେ ଏକା ସମୟରେ ଦ୍ୱିତୀୟ ଡୋଜ ନେବା ଲାଗି ଥିବା ବ୍ୟକ୍ତି ଓ ପ୍ରଥମ ଡୋଜ୍‌ ଟିକା ନେବା ପାଇଁ ଲୋକ ସଂଖ୍ୟା ବଢ଼ିବାରେ ଲାଗୁଛି। ଫଳରେ ଟିକା ଯଥେଷ୍ଟ ପରିମାଣରେ ଆସୁ ନ ଥିବାରୁ ଅଧିକାଂଶ ଲୋକ ନିରାଶ ହୋଇ ଫେରୁଛନ୍ତି। ସୋମବାର ଟିକା କେନ୍ଦ୍ର ଆଗରେ ପୁରୁଷ ଓ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଲାଇନ ଥିବାବେଳେ ରାତି ୩ଟାରୁ ଲୋକେ ଧାଡ଼ିରେ ଛିଡ଼ା ହୋଇଥିବା ଦେଖାଯାଇଥିଲା। ଅପରପକ୍ଷେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରହୁ ନ ଥିଲା। ୧୦୦ଜଣଙ୍କ ପାଇଁ ଟିକା ଆସିଥିବାରୁ କୁପନ ବଣ୍ଟାଯିବା ପରେ ଘଣ୍ଟା ଘଣ୍ଟା ଧରି ଲାଇନରେ ଅପେକ୍ଷା କରିଥିବା ପ୍ରାୟ ୩୦୦ ଲୋକ ଶେଷରେ ନିରାଶ ହୋଇ ଫେରିଥିବାରୁ ଉତ୍ତେଜନା ଦେଖାଯାଇଥିଲା। ପରେ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଆସି ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।