ମତଦାନ ବେଳେ ଉତ୍ତେଜନା: ୩ ଖବରଦାତାଙ୍କୁ ଆକ୍ରମଣ, କ୍ୟାମେରା ଭଙ୍ଗାରୁଜା

ଚାନ୍ଦବାଲି,୧୮।୨(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଗୋପୀନାଥପୁର ପଞ୍ଚାୟତ ହଳଦିଆ ଗ୍ରାମର ୧୨ ଓ ୧୩ ନଂ. ବୁଥ୍‌ରେ ଶୁକ୍ରବାର ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ଉତ୍ତେଜନା ଦେଖାଦେଇଛି। ଖବର ସଂଗ୍ରହ କରିବାକୁ ଯାଇଥିବା ବୈଦ୍ୟୁତିକ ଗଣମାଧ୍ୟମର ୩ ଖବରଦାତାଙ୍କୁ ଆକ୍ରମଣ କରାଯାଇଥିବା ନେଇ ବାଂଶଡ଼ା ଥାନାରେ ଅଭିଯୋଗ ହୋଇଛି। ମରଣାନ୍ତକ ଆକ୍ରମଣ ସହ ଗାଡ଼ି ଓ କ୍ୟାମେରା ଭାଙ୍ଗି ଦିଆଯାଇଥିବା ଏତଲାରେ ଉଲ୍ଲେଖ ରହିଛି।
ଅଭିଯୋଗ ଅନୁଯାୟୀ, ମତଦାନ ଆରମ୍ଭର କିଛି ସମୟ ପରେ ଏଭଳି ଘଟଣା ଘଟିଥିଲା। ଉକ୍ତ ଭୋଟଗ୍ରହଣ କେନ୍ଦ୍ରରେ ମନଇଚ୍ଛା ଭୋଟ ଦେବା ପାଇଁ ଉଦ୍ୟମ କରାଯାଉଥିଲା। ଏହି ସମୟରେ କେତେଜଣ ଗଣମାଧ୍ୟମ ପ୍ରତିନିଧି ଏହାର ଭିଡିଓ ଉତ୍ତୋଳନ କରିଥିଲେ। ଏହା ଦେଖି ଉତ୍ତ୍ୟକ୍ତ ଲୋକେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ଜଣେ ଖବରଦାତାଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ଏ ନେଇ ଥାନାରେ ମାମାଲା ରୁଜୁ ହୋଇନାହିଁ।