ମୁମ୍ବାଇ,୩।୯: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିସିସିଆଇ ସମ୍ପାଦକ ଦେବଜୀତ୍ ଶୈକିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଗୌତମ ଗମ୍ଭୀର, ଅଧିନାୟକ ଶୁଭମନ ଗିଲ୍ ଏବଂ ଶ୍ରେୟସ ଆୟର ଯୋଗ ଦେଇଥିଲେ। ଏହି ବୈଠକରେ ରୋହିତ ଶର୍ମା ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ଭବିଷ୍ୟତକୁ ନେଇ ଆଲୋଚନା ହେବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯାଇଛି। ତେବେ ଏହି ସମଗ୍ର ବୈଠକରେ ଯେଉଁ ସବୁଠାରୁ ବଡ଼ ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଥିଲା, ତାହା ହେଉଛି ଭାରତୀୟ ଖେଳାଳିମାନେ ବାରମ୍ବାର ଆହତ ହେବା।
ସାମ୍ପ୍ରତିକ ସମୟରେ ଯଶପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ହର୍ଷିତ ରାଣା ଏବଂ ନୀତୀଶ ରେଡ୍ଡୀଙ୍କ ଭଳି ତାରକା ଖେଳାଳିମାନେ ଆହତ ସମସ୍ୟା ଯୋଗୁ ବାରମ୍ବାର ଦଳରୁ ବାହାରେ ରହୁଛନ୍ତି। ଏହି ସମସ୍ୟାର ମୁଖ୍ୟ କାରଣ ସମ୍ପର୍କରେ ସୂଚନା ଦେଇ ବିସିସିଆଇ ସମ୍ପାଦକ ଦେବଜୀତ୍ ଶୈକିଆ କହିଛନ୍ତି ଯେ, ଖେଳାଳିମାନଙ୍କୁ କ୍ରମାଗତ ଭାବେ ଅନେକ ମ୍ୟାଚ୍ ଖେଳିବାକୁ ପଡ଼ୁଥିବାରୁ ଏଭଳି ସମସ୍ୟା ଦେଖାଦେଉଛି। ଇଂଲଣ୍ଡ ଗସ୍ତରେ ଦିନିକିଆ ସିରିଜ୍ ପାଇଁ ଯାଇଥିବା ୧୫ ଜଣିଆ ଦଳରୁ ୩ ରୁ ୪ ଜଣ ଖେଳାଳି ମ୍ୟାଚ୍ ଚାଲିଥିବା ସମୟରେ ଆହତ ହୋଇଥିଲେ। ଏହା ପୂର୍ବରୁ ସେମାନେ ଲଗାତାର ଦୁଇ ମାସ ଧରି IPL ଖେଳିଥିଲେ, ଯାହାର ସିଧାସଳଖ ପ୍ରଭାବ ଖେଳାଳିଙ୍କ ଶାରୀରିକ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି।
ଆଗାମୀ ଦିନରେ ଏହି ଅଭାବନୀୟ ସ୍ଥିତିକୁ ଏଡ଼ାଇବା ପାଇଁ ବିସିସିଆଇ ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଛି। ଆଗାମୀ ଫ୍ୟୁଚର ଟୁର୍ ପ୍ରୋଗ୍ରାମ୍ (FTP) ରେ ଖେଳାଳିମାନଙ୍କୁ ଯଥେଷ୍ଟ ବିଶ୍ରାମ ଦେବା ପାଇଁ ବ୍ୟବସ୍ଥା କରାଯିବ। ଏହାସହ ଆହତ ସମସ୍ୟାରୁ ମୁକ୍ତ ହୋଇ ଦଳକୁ ଫେରିବା ପାଇଁ ରହିଥିବା ପ୍ରୋଟୋକଲକୁ ଆହୁରି ସୁଦୃଢ଼ କରିବା ପାଇଁ କୋଚ୍ ଏବଂ ଅଧିନାୟକମାନଙ୍କଠାରୁ ମତାମତ ନିଆଯାଉଛି। ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଭଳି ଗୁରୁତ୍ୱପୂର୍ଣ୍ଣ ଗସ୍ତ ପୂର୍ବରୁ ଖେଳାଳିମାନେ ଯେପରି କିଛି ପ୍ରାକ୍ଟିସ୍ ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇବେ, ତାହା ମଧ୍ୟ ନିଶ୍ଚିତ କରାଯିବ।