ସରକାରୀ ଜମିରୁ ମାଟି ଉଠାଣ

ରୂପସା, ୨୯।୩(ଡି.ଏନ.ଏ.) ବାଲେଶ୍ୱର ଜିଲା ବସ୍ତା ବ୍ଲକ ନଟାକଟା ଗ୍ରାମରେ ଥିବା ସରକାରୀ ଜମିରୁ ବେଆଇନ ଭାବେ ମାଟି ଉଠାଇ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ସୋମବାର ଉତ୍ତେଜନା ଦେଖାଦେଇଛି। ବେଆଇନ ମାଟି ଖୋଳାକୁ ବିରୋଧ କରି ଗ୍ରାମବାସୀ ଉକ୍ତ ସ୍ଥାନରେ ପହଞ୍ଚତ୍ ଆନ୍ଦୋଳନ ଚେତାବନୀ ଦେଇଛନ୍ତି।
ପଶ୍ଚିମ ପାର୍ଶ୍ୱରେ ଥିବା ସରକାରୀ ଗୋଚର ଜମିରୁ ମାଟି ମାଫିଆ ଓ ଦଲାଲ ମିଶି ଜେସିବି ଏବଂ ଟ୍ରାକ୍ଟର ଲଗାଇ ରାତିଅଧିଆ ଶହ ଶହ ଟ୍ରାକ୍ଟର ମାଟି ଲୁଟ୍‌ କରୁଥିବା ଦେଖିବାକୁ ମିଳିଛି। ଲୋକେ ଅଭିଯୋଗ କରିବାରୁ ଏହା ସରକାରଙ୍କ ୫-ଟି ଯୋଜନାରେ ସ୍ମାର୍ଟ ସ୍କୁଲର ଖେଳପଡ଼ିଆ ନିର୍ମାଣ ପାଇଁ ଯାଉଛି ବୋଲି ଠିକାଦାର ସଫେଇ ଦେଉଛନ୍ତି। ସୋମବାର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମାଟି ଖୋଳାକୁ ବିରୋଧ କରିଥିଲେ। ମାତ୍ର ମାଫିଆମାନେ ସେମାନଙ୍କୁ ବିଭିନ୍ନ ପ୍ରକାର ଧମକ ଦେଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମାଞ୍ଚଳରେ ଗୋରୁ ଚରାଇବା ପାଇଁ ଗୋଚର କିସମର ଜମି ରହିଛି। ଅସାଧୁ ବ୍ୟବସାୟୀ ଏହି ଜମିରୁ କିଭଳି ରାଜସ୍ବ ଲୁଟ୍‌ କରିବେ ସେଥିପାଇଁ ପ୍ରଶାସନ ସହ ସଲାସୁତୁରା କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ବସ୍ତା ତହସିଲ ଅମର୍ଦ୍ଦାରୋଡ଼ ଆର୍‌ଆଇ ଅଫିସ ଅଧୀନ ନଟାକଟା ପଞ୍ଚାୟତର ନଟାକଟା ମୌଜାରେ ଏହି ଘଟଣା ଦେଖିବାକୁ ମିଳିଛି। ଘଟଣା ସମ୍ପର୍କରେ ସ୍ଥାନୀୟ ଆର୍‌ଆଇ ଓ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଘଟଣାସ୍ଥଳରେ କେହି ପହଞ୍ଚତ୍ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅମର୍ଦ୍ଦାରୋଡ ଆର୍‌ଆଇ କାର୍ଯ୍ୟାଳୟଠାରୁ ମାତ୍ର ୫୦ ମିଟର ମଧ୍ୟରେ ଏଭଳି ମାଟି ଚୋରି ହେଉଥିବା ବେଳେ ସରକାରଙ୍କ ରାଜକୋଷରୁ ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ଘଟୁଛି ଓ ଗ୍ରାମାଞ୍ଚଳରେ ଗୋଚର ଜମି ଧୀରେ ଧୀରେ ଲୋପ ପାଇବାକୁ ବସିଛି ବୋଲି ଗାଁ ଲୋକେ କହିଛନ୍ତି।
ସମ୍ପର୍କରେ ସମ୍ପୃକ୍ତ ଠିକାଦାରଙ୍କୁ ପଚାରିବାରୁ ବସ୍ତା ବିଡ଼ିଓ ସିଦ୍ଧେଶ୍ୱର ଉଚ୍ଚବିଦ୍ୟାଳୟ ୫-ଟି କାମ ପାଇଁ ଏହି ଜମିରୁ ମାଟି ଉଠାଇବାକୁ କହିଥିବା ପ୍ରକାଶ କରିଥିଲେ। ବିଡ଼ିଓ ଜ୍ଞାନରଞ୍ଜନ ସାହୁଙ୍କୁ ଯୋଗାଯୋଗ କରିବାରୁ ଏହା ଭିତ୍ତିହୀନ ବୋଲି ପ୍ରକାଶ କରିଛନ୍ତି। ତହସିଲଦାର କାର୍ତ୍ତିକ ଚନ୍ଦ୍ର ଦାଶ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି।