ପ୍ରାଇମା ପବ୍ଲିକ୍‌ ସ୍କୁଲରେ ପଶି ଦୁର୍ବୃତ୍ତଙ୍କ ଭଙ୍ଗାରୁଜା, ବାତିଲ ହେଲା ପରୀକ୍ଷା

ବେଗୁନିଆପଡ଼ା,୧୫।୩(ଡି.ଏନ୍‌.ଏ.): ସ୍କୁଲ ହତାରେ ପଶି ଦୁବୃର୍ତ୍ତଙ୍କ ଭଙ୍ଗାରୁଜା। ଝରକା ଗ୍ଲାସ ଭାଙ୍ଗିବା ସହ ସ୍କୁଲର ଖେଳନା ସାମଗ୍ରୀ ଗୁଡିକୁ ଭାଙ୍ଗି ନଷ୍ଟ କରି ଦେଇଛନ୍ତି। ଗଞ୍ଜାମ ଜିଲା କୋଦଳାଠାରେ ଥିବା ପ୍ରାଇମା ପବ୍ଲିକ ସ୍କୁଲରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଏହି ସ୍କୁଲରେ ପଶି ଏଭଳି ଅମାନୁଷିକ କାଣ୍ଡ ଘଟାଇଥିବା ବେଳେ ଏନେଇ ବୁଧବାର କୋଦଳା ଥାନାରେ ଏତଲା ଦେଇଛନ୍ତି ବିଦ୍ୟାଳୟର ଅଧ୍ୟକ୍ଷ ଅମୀୟ କୁମାର ଦାସ। ଅପରପକ୍ଷେ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ପରୀକ୍ଷା ଚାଲିଥିଲା। ଏଭଳି ଘଟଣା ଯୋଗୁ ପିଲାମାନଙ୍କ ପରୀକ୍ଷାକୁ ବାତିଲ କରାଯାଇଛି।

ସୂଚନାନୁଯାୟୀ, ବିଦ୍ୟାଳୟର ସମସ୍ତ ଆସବାବପତ୍ର ଏଣେତେଣେ ପଡିଛି। ପ୍ରତି ଝରକାରେ ଲାଗିଥିବା କାଚ ଭାଙ୍ଗି ଯାଇଛି। ଏଣେତେଣେ ଭଙ୍ଗା କାଚ ଗୁଡିକ ପଡ଼ି ରହିଛି। ବିଦ୍ୟାଳୟର ଝରକା ଗୁଡିକର କାଚ ଭାଙ୍ଗି ଆସବାବପତ୍ର ଗୁଡିକୁ ନଷ୍ଟ କରିବାକୁ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ। କିନ୍ତୁ ବିଦ୍ୟାଳୟର ତାଲା ଭାଙ୍ଗି ନ ଥିବାରୁ ଭିତରେ ଥିବା ଜିନିଷ ସୁରକ୍ଷିତ ରହିଛି। ତେବେ ବିଦ୍ୟାଳୟକୁ ଦୁର୍ବୃତ୍ତମାନେ କାହିଁକି ଟାର୍ଗେଟ କଲେ ତାକୁ ନେଇ ଆଲୋଚନା ଚାଲିଥିବା ବେଳେ ଏହା ଏକ ଅମାନୁଷିକ ଓ ଅମାନବୀୟ କାର୍ଯ୍ୟ ବୋଲି ସ୍ଥାନୀୟ ଲୋକେ ନିନ୍ଦା କରିଛନ୍ତି। କୋଦଳା ପୋଲିସ ତୁରନ୍ତ ସେମାନଙ୍କୁ ଗିରଫ କରି କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।