Categories: ଖେଳ

‘ବିରାଟ କୋହଲିଙ୍କ ଖରାପ ଫର୍ମ ପାଇଁ ଶାସ୍ତ୍ରୀ ଦାୟୀ’

ଇସଲାମାବାଦ୍‌,୨୩।୬: ପାକିସ୍ତାନର ପୂର୍ବତନ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରସିଦ ଲତିଫ ବିରାଟ କୋହଲି ଫର୍ମକୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ବିରାଟ କୋହଲିଙ୍କ ଖରାପ ଫର୍ମର କାରଣ ହେଉଛି ରବି ଶାସ୍ତ୍ରୀ। ଯଦି ଶାସ୍ତ୍ରୀ ଭାରତୀୟ ଦଳର ମୁଖ୍ୟ କୋଚ ହୋଇ ନ ଥାନ୍ତେ, ତେବେ କୋହଲି ଫର୍ମ ହରାଇ ନ ଥାନ୍ତେ।
ରସିଦ ଲତିଫ ୟୁଟ୍ୟୁବ ଚ୍ୟାନେଲ ‘କଟ୍‌ ବିହାଇଣ୍ଡ୍‌’ରେ କହିଛନ୍ତି, ରବି ଶାସ୍ତ୍ରୀଙ୍କ ଯୋଗୁ ବିରାଟ ଫର୍ମରେ ନାହାଁନ୍ତି। ଅନିଲ କୁମ୍ବଲେଙ୍କ ପରି କିମ୍ବଦନ୍ତୀଙ୍କ ବିଦା କରି ରବି ଶାସ୍ତ୍ରୀ କୋଚ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଶାସ୍ତ୍ରୀ ଜଣେ କମେଣ୍ଟେଟର ଥିଲେ। ତାଙ୍କର କୋଚିଂ ଦେବାର କୌଣସି ଅଭିଜ୍ଞତା ନ ଥିଲା। ଶାସ୍ତ୍ରୀ ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ଭାରତୀୟ ଦଳର ମୁଖ୍ୟ କୋଚ ଥିଲେ। ସେ ଭାରତୀୟ ଦଳକୁ କୋଚିଂ ଦେବାରେ କୌଣସି କାର୍ଯ୍ୟ କରି ନାହଁାନ୍ତି।
ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଅନ୍ୟତମ ବିରାଟ କୋହଲି ୨ ବର୍ଷରୁ ଅଧିକ ସମୟ ଧରି ଶତକ ହାସଲ କରିନାହାଁନ୍ତି। ସେ ଆଇପିଏଲର ଶେଷ ସିଜନରେ ମଧ୍ୟ ଫ୍ଲପ୍‌ ହୋଇଥିଲେ। ନଭେମ୍ବର ୨୦୧୯ଠାରୁ ବିରାଟ କୌଣସି ଫର୍ମାଟରେ ଏକ ଶତକ ହାସଲ କରିବାରେ ବିଫଳ ହୋଇଛନ୍ତି।
୧୯୯୨ରୁ ୨୦୦୩ ପର୍ଯ୍ୟନ୍ତ ଲତିଫ ପାକିସ୍ତାନ ପାଇଁ ୩୭ଟି ଟେଷ୍ଟ ମ୍ୟାଚ ଏବଂ ୧୬୬ ଟି ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ସେ ଟେଷ୍ଟରେ ୧୩୮୧ ରନ ଏବଂ ଦିନିକିଆରେ ୧୭୦୯ରନ ସ୍କୋର କରିଥିଲେ। ସେ ଉଭୟ ଫର୍ମାଟରେ ମୋଟ ୩୦୧ କ୍ୟାଚ ଏବଂ ୪୯ ଷ୍ଟମ୍ପିଂ ମଧ୍ୟ କରିଥିଲେ।

Share