ଟ୍ରକ୍‌ ଧକ୍କାରେ ପୂର୍ବତନ ବିଧାୟକ ଗୁରୁତର

କୋରାପୁଟ,୨୭ା୮(ସ୍ବ.ପ୍ର.): ମାଲକାନଗିରିର ପୂର୍ବତନ ବିଧାୟକ ନିମାଇଁ ସରକାର ଶନିବାର କୋରାପୁଟ ସହରରେ ଏକ ଟ୍ରକ୍‌ ଧକ୍କାରେ ଗୁରୁତର ହୋଇଥିବା ଜଣାପଡ଼ିଛି। ଆଜି ପୂର୍ବତନ ବିଧାୟକ ଓ ତାଙ୍କ ସାଙ୍ଗ ହେମା ରାଓ ମୋଟରସାଇକେଲ ଯୋଗେ ଓଏମ୍‌ପି ଯାଉଥିବାବେଳେ କୋରାପୁଟ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ଛକ ନିକଟରେ ଓଡି ୧୮ ଇ ୦୨୨୫ ନମ୍ବର ବିଶିଷ୍ଟ ଏକ କାଠ ବୋଝେଇ ଟ୍ରକ୍‌ ତାଙ୍କ ବାଇକ୍‌ ପଛକୁ ଧକ୍କା ଦେଇଥିଲା। ଫଳରେ ନିମାଇଁ ବାଇକ୍‌ରୁ ଖସିପଡ଼ିଥିବା ବେଳେ ତାଙ୍କର ଗୋଟିଏ ଗୋଡ଼ ଭାଙ୍ଗିଯାଇଛି। ଖବରପାଇ କୋରାପୁଟ ଟାଉନ ପୋଲିସ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ଗୁରୁତର ଥିବା ନିମାଇଁଙ୍କୁ ପୋଲିସ ଗାଡ଼ିରେ ନେଇ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଅସ୍ଥି ଶଲ୍ୟ ଅନ୍ତଃ ବିଭାଗରେ ଭର୍ତ୍ତି କରିଥିଲା। ଏଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିବାବେଳେ ରବିବାର ତାଙ୍କର ଗୋଡ଼ ଅପରେଶନ କରାଯିବ ବୋଲି ମେଡିକାଲ ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷେ ଦୁର୍ଘଟଣା ଘଟାଇଥିବା କାଠ ବୋଝେଇ ଟ୍ରକ୍‌କୁ ପୋଲିସ ଜବତ କରି ଅଧିକ ତଦନ୍ତ କରୁଥିବା ଜଣାଯାଇଛି।