୨୫ ବର୍ଷ ଧରି ଗୃହ କାର୍ଯ୍ୟ କରିଥିବା ମହିଳାଙ୍କୁ ପୂର୍ବତନ ସ୍ବାମୀ ଦେବେ ୧.୭୯ କୋଟି: କୋର୍ଟଙ୍କ ନିର୍ଦ୍ଦେଶ…

ମାଦ୍ରିଦ,୮।୩ : ସ୍ପେନର ଏକ କୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି ଯାହାକୁ ଲୋକେ ପ୍ରଶଂସା କରୁଛନ୍ତି। ବାସ୍ତବରେ, ସ୍ପେନ କୋର୍ଟ ମହିଳାଙ୍କ ଦ୍ୱାରା କରାଯାଇଥିବା ଗୃହ କାର୍ଯ୍ୟକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରିଛନ୍ତି। ଏହି କାରଣରୁ ଜଣେ ସ୍ବାମୀଙ୍କୁ ତାଙ୍କ ସ୍ତ୍ରୀଙ୍କୁ ୨୫ ବର୍ଷ ଧରି ଘରୋଇ କାମ କରିବା ପାଇଁ ୨୦୪,୬୨୪.୮୬ ୟୁରୋ ଅର୍ଥାତ ପ୍ରାୟ ୧.୭୯ କୋଟି ଟଙ୍କା ଦେବାକୁ କୁହାଯାଇଛି।

ସର୍ବନିମ୍ନ ମଜୁରୀ ଆଧାରରେ ମହିଳାଙ୍କ କାର୍ଯ୍ୟକୁ କୋର୍ଟ ଗଣନା କରିଛନ୍ତି। ୨୫ ବର୍ଷ ଏକାଠି ରହିବା ପରେ ଦମ୍ପତିଙ୍କର ଛାଡପତ୍ର ହୋଇଥିଲା। ଉଭୟଙ୍କର ଦୁଇ ଝିଅ ଅଛନ୍ତି। ସମ୍ପତ୍ତି ସମ୍ପର୍କରେ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ସ୍ବାମୀ ଯୁକ୍ତି କରିଥିଲେ ଯେ ବିବାହ ସମୟରେ ସେ ଯାହା ଅର୍ଜନ କରିଥିଲେ ତାହା ତାଙ୍କର ଅଟେ। ସେଥିପାଇଁ ସ୍ବୀଙ୍କର ଏହା ଉପରେ କୌଣସି ଅଧିକାର ନାହିଁ।

ଉଭୟ କୋର୍ଟଙ୍କର ଦ୍ୱାରସ୍ଥ ହୋଇଥିଲେ। ସ୍ତ୍ରୀଙ୍କ ପକ୍ଷରୁ ଆଇନଜୀବୀ କୋର୍ଟରେ କହିଥିଲେ ଯେ ବିବାହ ପରେ ସ୍ତ୍ରୀ ନିଜକୁ ଘରେ କାମ କରିବା ପାଇଁ ଉତ୍ସର୍ଗ କରିଥିଲେ, ଯାହାର ଅର୍ଥ ହେଉଛି ଘର ଏବଂ ପରିବାରର ଯତ୍ନ ନେବା। ଏହା ଉପରେ କୋର୍ଟରେ ଆଇନଗତ କାଗଜପତ୍ରରେ ମଧ୍ୟ ଦାଖଲ କରାଯାଇଥିଲା। ବିବାହ ପରେ ଅର୍ଥାତ ଜୁନ ୧୯୯୫ ରୁ ଡିସେମ୍ବର ୨୦୨୦ ମଧ୍ୟରେ ମହିଳା ଘରକାମରୁ କେତେ ରୋଜଗାର କରିବା କଥା ତାହାର ହିସାବ ହୋଇଥିଲା।

କ୍ୟାଡେନା ସେର ରେଡିଓ ସହିତ କଥାବାର୍ତ୍ତା କରି ମହିଳା ଜଣକ ତାଙ୍କର ପୁରା କାହାଣୀ କହିଥିଲେ। ମହିଳା ଜଣକ କହିଥିଲେ ତାଙ୍କ ସ୍ବାମୀ ଚାହୁଁ ନ ଥିଲେ ଯେ ସେ ଘର ବାହାରେ କୌଣସି କାମ କରନ୍ତୁ। ସେ ତଥାପି ତାଙ୍କୁ ତାଙ୍କ ଜିମରେ କାମ କରିବାକୁ ଦେଲେ, ଯେଉଁଠାରେ ସେ ରିସେପ୍ସନ ପରିଚାଳନା କରିଥିଲେ ଏବଂ ମନିଟର ଭାବରେ କାର୍ଯ୍ୟ କରିଥିଲେ।

ଏହା ବ୍ୟତୀତ ସେ ଘରର ସମସ୍ତ କାର୍ଯ୍ୟ ମଧ୍ୟ କରୁଥିଲେ। ସ୍ବାମୀ ଏବଂ ପିଲାମାନଙ୍କର ଯତ୍ନ ନେଉଥିଲେ। କୋର୍ଟ ସ୍ବାମୀଙ୍କୁ ସର୍ବନିମ୍ନ ମଜୁରୀ ହାରରେ ଗୃହ କାର୍ଯ୍ୟ କରିଥିବାରୁ ତାଙ୍କ ପୂର୍ବତନ ସ୍ତ୍ରୀଙ୍କୁ ୧.୭୯ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ଝିଅମାନଙ୍କ ପାଇଁ ମାସିକ ଶିଶୁ ଯତ୍ନ ଭତ୍ତା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Share