Categories: ଜାତୀୟ

ସୁପ୍ରିମକୋର୍ଟରେ ଇଭିଏମ୍‌ ଆବେଦନ ଖାରଜ

ନୂଆଦିଲ୍ଲୀ,୧।୧୦(ପି.ଟି.): ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌)ଗୁଡ଼ିକ ନିର୍ବାଚନ କମିଶନଙ୍କ ବଦଳରେ କେତେକ କମ୍ପାନୀ ଦ୍ୱାରା ନିୟନ୍ତ୍ରିତ ହେଉଥିବା ନେଇ ଏକ ରାଜନୈତିକ ଦଳର ଅଭିଯୋଗକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ନିଜର ପ୍ରଚାର ପାଇଁ ଯେକେହି ଚାଲିଆସିବା ସ୍ଥାନ ଅଦାଲତ ନୁହେଁ କହି ମୂଲ୍ୟବାନ ସମୟ ବରବାଦ କରୁଥିବା ଆବେଦନକାରୀଙ୍କୁ ୫୦,୦୦୦ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜନପ୍ରତିନିଧି ଆଇନ, ୧୯୫୧ ଅନୁଯାୟୀ ନିର୍ବାଚନ ପ୍ରକ୍ରିୟା ନିର୍ବାଚନ କମିଶନଙ୍କ ଭଳି ସାମ୍ବିଧାନିକ କର୍ତ୍ତୃପକ୍ଷଙ୍କ ଦ୍ୱାରା ପରିଚାଳିତ ହେଉଛି। ଦେଶରେ ଇଭିଏମ୍‌ ବ୍ୟବହାର ବନ୍ଦ କରିବା ଲାଗି ଅନେକ ସମୟରେ ଆବେଦନ ହୋଇଛି। ଭୋଟରଙ୍କ ସ୍ବୀକୃତି ପାଇ ନ ଥିବା ଦଳ ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର କରି ସ୍ବୀକୃତି ପାଇବାକୁ ଉଦ୍ୟମ କରୁଥିବା ଜଷ୍ଟିସ୍‌ ଏସ୍‌.କେ. କୌଲ ଏବଂ ଏ.ଏସ୍‌. ଓକାଙ୍କ ଖଣ୍ଡପୀଠ ରାୟରେ କହିଛନ୍ତି। ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଗତବର୍ଷ ଡିସେମ୍ବରର ଏକ ରାୟକୁ ଚ୍ୟାଲେଞ୍ଜ କରି ମଧ୍ୟପ୍ରଦେଶ ଜନବିକାଶ ପାର୍ଟି ପକ୍ଷରୁ ଉପରୋକ୍ତ ପିଟିଶନ ଦାଏର ହୋଇଥିଲା।

Share