Categories: ଜାତୀୟ

ପ୍ରତ୍ୟେକ ଭାରତୀୟ ଗର୍ବିତ ହେବା ଉଚିତ

ନୂଆଦିଲ୍ଲୀ,୨୬ା୧: ସମ୍ବିଧାନ ପ୍ରଣେତାମାନଙ୍କ ଦୂରଦୃଷ୍ଟି ଆମ ସାଧାରଣତନ୍ତ୍ରକୁ ମାର୍ଗଦର୍ଶନ କରିଆସୁଛି। ଭାରତର ଯାତ୍ରା ଅନ୍ୟ ଦେଶଗୁଡ଼ିକୁ ପ୍ରେରଣା ଦେଇଛି। ତେଣୁ ପ୍ରତ୍ୟେକ ଭାରତୀୟ ନିଜ ଦେଶର ସଫଳତା ପାଇଁ ଗର୍ବିତ ଅନୁଭବ କରିବା ଉଚିତ ବୋଲି ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ଟେଲିଭିଜନ୍‌ ବାର୍ତ୍ତାରେ କହିଛନ୍ତି। ସାଧାରଣତନ୍ତ୍ର ଦିବସରେ ଏହା ହେଉଛି ରାଷ୍ଟ୍ରପତି ମୁର୍ମୁଙ୍କ ପ୍ରଥମ ସମ୍ବୋଧନ।
୭୪ତମ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ସମ୍ବୋଧିତ କରି ରାଷ୍ଟ୍ରପତି ଦେଶବାସୀ ତଥା ବିଦେଶରେ ରହୁଥିବା ଭାରତୀୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଏକ ରାଷ୍ଟ୍ର ଭାବେ ଦେଶବାସୀ ଯାହା ସବୁ ହାସଲ କରିଛନ୍ତି ରିପବ୍ଲିକ୍‌ ଡେ’ରେ ତାକୁ ପାଳନ କରାଯାଉଛି। ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ସଫଳ ହୋଇଛି। କାରଣ ଅନେକ ବର୍ଣ୍ଣ ଓ ଭାଷା ଥାଇ ସୁଦ୍ଧା ଆମେ ବିଭାଜିତ ନ ହୋଇ ଏକଠି ହୋଇଛେ। ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଅନେକ ବିସ୍ମୟକର ଯାତ୍ରା କରିଛି। ଏଥିରୁ ବହୁ ରାଷ୍ଟ୍ର ପ୍ରେରଣା ଲାଭ କରିଛନ୍ତି। ଭାରତର ସଫଳତାକୁ ନେଇ ପ୍ରତ୍ୟେକ ନାଗରିକ ଗର୍ବିତ ହେବା ଉଚିତ।
ରାଷ୍ଟ୍ରପତି ଆହୁରି କହିଛନ୍ତି, ଭାରତ ହେଉଛି ସର୍ବପୁରାତନ ସଭ୍ୟତାଗୁଡ଼ିକ ମଧ୍ୟରୁ ଅନ୍ୟତମ। ତେବେ ଏକ ଆଧୁନିକ ସାଧାରଣତନ୍ତ୍ର ହିବାସରେ ଭାରତ ଯୌବନାବସ୍ଥାରେ ପଦର୍ପଣ କରିଛି। ସ୍ବାଧୀନତା ପ୍ରାପ୍ତିର କିଛି ବର୍ଷ ମଧ୍ୟରେ ଆମେ ଅନେକ ଆହ୍ବାନ ଓ ପ୍ରତିକୂଳପ ପରିସ୍ଥିତି ଦେଇ ଗତି କରିଛେ। ବିଦେଶୀ ଶାସନ ପରେ ଦାରିଦ୍ର୍ୟ ଓ ନିରକ୍ଷରତାର ଅତି ଉଚ୍ଚ ସ୍ତରକୁ ଆମେ ଦେଖିଛେ। କିନ୍ତୁ ଭାରତର ଗତି ଧିମେଇ ଯାଇନାହିଁ। ଆଶା ଓ ଆମତ୍ବିଶ୍ୱାସ ସହ ଆମେ ମାନବ ଇତିହାସର ଏକ ଅନନ୍ୟ ପ୍ରୟୋଗ ଆରମ୍ଭ କରିଛେ। ବହୁ ଭାଷାଭାଷୀ ତଥା ବିବିଧତାପୂର୍ଣ୍ଣ ଲୋକେ ଏକ ରାଷ୍ଟ୍ର ଭାବେ ଏକାଠି ହେବା ଅଭୂତପୂର୍ବ। ବିବିଧତା ମଧ୍ୟରେ ଏକତା ହେଉଛି ଭାରତର ମୂଳମନ୍ତ୍ର। ଏହା ହେଉଛି ଭାରତୀୟ ସମ୍ବିଧାନର ହୃଦୟ, ଯାହାକି କଷଟି ପଥରରେ ବହୁବାର ପରୀକ୍ଷିତ ହୋଇଛି। ମହାମତ୍ା ଗାନ୍ଧୀଙ୍କ ନେତୃତ୍ୱରେ ଜାତୀୟ ଆନ୍ଦୋଳନ ଆମକୁ ସ୍ବାଧୀନତା ଆଣିଦେଇଥିଲା। ସ୍ବାଧୀନତା ପାଇଁ ଦୀର୍ଘ ଦଶନ୍ଧି ଧରି ଚାଲିଥିବା ଆନ୍ଦୋଳନରେ ସଂଗ୍ରାମୀଙ୍କ ପ୍ରାଣବଳି ଆମକୁ ଉପନିବେଶବାଦୀ ଶାସନରୁ କବଳରୁ ନୁହେଁ, ବରଂ ଆମ ଉପରେ ଲଦି ଦିଆଯାଇଥିବା ସଂକୀର୍ଣ୍ଣ ମୂଲ୍ୟବୋଧରୁ ମଧ୍ୟ ମୁକ୍ତ କରିଥିଲା। ସମ୍ବିଧାନ ଚିଠା କମିଟିର ନେତୃତ୍ୱ ନେଇଥିବା ଡକ୍ଟର ବି.ଆର. ଆମ୍ବେଡକରଙ୍କ ପ୍ରତି ରାଷ୍ଟ୍ର ଚିରଦିନ ଋଣୀ ହୋଇରହିବ।

 

Share