Categories: ଜାତୀୟ

ପ୍ରତ୍ୟେକ ଭାରତୀୟ ବାଳିକାଙ୍କର ଶାନ୍ତିରେ ବଞ୍ଚିବାର ଅଧିକାର ରହିଛି, ହାଇକୋର୍ଟଙ୍କ ରାୟ…

ଭୋପାଳ, ୧୫।୧ : ଏକ ମାମଲାର ବିଚାର କରି ମଧ୍ୟପ୍ରଦେଶ ହାଇକୋର୍ଟ କହିଛନ୍ତି ଯେ,ପ୍ରତ୍ୟେକ ଭାରତୀୟ ବାଳିକାଙ୍କର ଶାନ୍ତିରେ ବଞ୍ଚିବାର ଅଧିକାର ରହିଛି। ଏଥିରେ ହସ୍ତକ୍ଷେପକୁ ସହ୍ୟ କରାଯିବ ନାହିଁ। ବିଚାରପତି ଜି.ଏସ୍‌. ଅଲୁଓ୍ବାଲିଆଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି କହିବା ସହିତ ଜଣେ ୧୭ ବର୍ଷ ବୟସ୍କା ବାଳିକାଙ୍କ ପିଛା କରୁଥିବା ବ୍ୟକ୍ତିଙ୍କ ମାମଲାକୁ ଖାରଜ କରିବାକୁ ମନା କରିଛନ୍ତି। ବ୍ୟକ୍ତି ଜଣକ ଗତ ୨ ବର୍ଷ ଧରି ଏକଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ବାଳିକାଙ୍କ ପିଛା କରୁଥିଲେ।

ଇତିମଧ୍ୟରେ ବାଳିକା ଜଣକ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ତେବେ ଦୀପାବଳି ଅବସରରେ ଘରକୁ ଆସିଥିବା ସମୟରେ ସମ୍ପୃକ୍ତ ବ୍ୟକ୍ତି ଜଣକ ସର୍ବସମ୍ମୁଖରେ ବାଳିକାଙ୍କର ହାତକୁ ଧରି ନେଇଥିଲେ। ଏନେଇ ବାଳିକାଙ୍କ ମାତାପିତାଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଆବେଦନ କରାଯାଇଥିଲା। ଏହା ବାଳିକାଙ୍କର ଗାରିମାପୂର୍ଣ୍ଣ ଜୀବନ ବଞ୍ଚିବା ପ୍ରତି ବାଧା ବୋଲି ଖଣ୍ଡପୀଠ କହିଛନ୍ତି।

ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ଅଧିନିୟମ ଅନ୍ତର୍ଗତ ଧାରା ୩୫୪, ୩୫୪-ଡି, ୫୦୬, ୭/୮ ଏବଂ ୧୧/୧୨ରେ ମାମଲା ରୁଜୁ କରାଯାଇଥିଲା। ପରେ ବ୍ୟକ୍ତି ଜଣକ ବୁଝାମଣା ପାଇଁ ଆବେଦନ କରିଥିଲେ। ତେବେ ଏହାକୁ କୋର୍ଟଙ୍କ ପକ୍ଷରୁ ରଦ୍ଦ କରାଯାଇଛି।

Share