Categories: ଜାତୀୟ

ପ୍ରତି ନାଗରିକ ସମ୍ବିଧାନ ଜାଣିବା ଜରୁରୀ

ନୂଆଦିଲ୍ଲୀ, ୧ା୮: ସମ୍ବିଧାନ ସମସ୍ତଙ୍କ ପାଇଁ। ଏକ ସାମ୍ବିଧାନିକ ଗଣତନ୍ତ୍ର ସେତେବେଳେ ଅଗ୍ରଗତି କରିପାରିବ ଯେତେବେଳେ ନାଗରିକମାନେ ସେମାନଙ୍କ ସମ୍ବିଧାନ ପ୍ରଦତ୍ତ ଅଧିକାର ଏବଂ କର୍ତ୍ତବ୍ୟ ବାବଦରେ ଅବଗତ ହେବେ। କିନ୍ତୁ ଦୁଃଖର କଥା ଦେଶରେ ଅଧିକାଂଶ ଲୋକଙ୍କ ନିକଟରେ ସମ୍ବିଧାନ ବାବଦରେ କମ୍‌ ଜ୍ଞାନ ରହିଛି। ଏହା କେବଳ ଆଇନ ଛାତ୍ରୀଛାତ୍ର, ଓକିଲାତି କରୁଥିବା ବ୍ୟକ୍ତିବିଶେଷ ତଥା ଦେଶର ଏକ କ୍ଷୁଦ୍ର ବର୍ଗଙ୍କ ମଧ୍ୟରେ ସୀମିତ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍‌ ଏନ୍‌. ଭି. ରମନା କହିଛନ୍ତି।

ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ ଅଧିକାର ଏବଂ କର୍ତ୍ତବ୍ୟ ବିଷୟରେ ଅବଗତ କରାଯିବା ଉଚିତ। ସରଳ ଭାଷାରେ ଲୋକଙ୍କୁ ସମ୍ବିଧାନ ବିଷୟରେ ବୁଝାଇବା ଆବଶ୍ୟକ ବୋଲି ରବିବାର ଛତିଶଗଡ଼ର ରାୟପୁରସ୍ଥିତ ହିଦାୟାତୁଲ୍ଲା ନ୍ୟାଶନାଲ ଲ’ ୟୁନିଭର୍ସିଟିରେ ଆୟୋଜିତ ଏକ ସମାରୋହରେ ଯୋଗ ଦେଇ ସିଜେଆଇ ରମନା କହିଛନ୍ତି।

ଅବସରରେ ଜଷ୍ଟିସ୍‌ ରମନା ଆହୁରି କହିଥିଲେ, ସାମ୍ବିଧାନିକ ସଂସ୍କୃତିକୁ ପ୍ରୋତ୍ସହିତ କରିବା ଏବଂ ସଚେତନତା ସୃଷ୍ଟି କରିବା ଆମ ସାମୂହିକ କର୍ତ୍ତବ୍ୟ। ଆଇନ ସାମାଜିକ ପରିବର୍ତ୍ତନର ଏକ ସାଧନ। ଆଇନ ଛାତ୍ରୀଛାତ୍ର ଏବଂ ଆଇନଜୀବୀମାନେ ସାମାଜିକ ନ୍ୟାୟର ଆଲୋକବର୍ତ୍ତିକା ହେବା ଉଚିତ। ସେମାନେ ସ୍ବରହୀନଙ୍କ ସ୍ବର ହୋଇ ଅସମାନତା ଦୂର କରିବାର ଯୋଗସୂତ୍ର ସ୍ଥାପନ କରିବା ଜରୁରୀ। ଏହି ଅଭିଯାନକୁ ଆଗକୁ ବଢ଼ାଇବା ପାଇଁ ଯୁବ ପ୍ରତିଭାସମ୍ପନ୍ନ ମନ ଆବଶ୍ୟକ। ଜ୍ଞାନ ଓ ସୂଚନା ଜଣଙ୍କ ସବୁଠୁ ବଡ଼ ସମ୍ପତ୍ତି ବୋଲି ସିଜେଆଇ ପ୍ରକାଶ କରିଥିଲେ।

Share