ଆମେରିକାର ପ୍ରତ୍ୟେକ ଶିଶୁଙ୍କୁ ମିଳିବ ୨ଟି ଲେଖାଏ ସ୍ପେସ୍‌-ଏକ୍ସ ଶେୟାର

ଓ୍ବାଶିଂଟନ,୨୭ା୧୧: ଆମେରିକାର ପ୍ରତ୍ୟେକ ଶିଶୁଙ୍କୁ ସ୍ପେସ୍‌-ଏକ୍ସର ୨ଟି ଲେଖାଏ ସେୟାର ମିଳିବ ବୋଲି କମ୍ପାନୀର ସିଇଓ ଏଲନ୍‌ ମସ୍କ ଗୁରୁବାର ଘୋଷଣା କରିଛନ୍ତି। ଏଥିମଧ୍ୟରୁ ଗୋଟିଏ ସେୟାର ସ୍ପେସ୍‌-ଏକ୍ସ ପକ୍ଷରୁ ଏବଂ ଅନ୍ୟଟି ସେ ବ୍ୟକ୍ତିଗତ ଭାବେ ଦାନ କରିବେ। ପିଲାମାନଙ୍କୁ କମ୍ପାନୀରେ ଅଂଶୀଦାର କରିବା ଏବଂ ଦୀର୍ଘମିଆଦୀ ସମ୍ପତ୍ତି ଗଠନରେ ସାହାଯ୍ୟ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପକୁ ସେ ଆହୁରି ସମ୍ପ୍ରସାରିତ କରିଛନ୍ତି।
ସ୍ପେସ-ଏକ୍ସ ପୂର୍ବରୁ ଘୋଷଣା କରିଥିଲା, ଏହା ପ୍ରତ୍ୟେକ ସକ୍ରିୟ ‘ଟ୍ରମ୍ପ୍‌ ଆକାଉଣ୍ଟ’କୁ ଏହାର କ୍ଲାସ-ଏ ସାଧାରଣ ଷ୍ଟକ୍‌ର ଗୋଟିଏ ନୂତନ ଭାବେ ଜାରି ହୋଇଥିବା ସେୟାର ପ୍ରଦାନ କରିବ। ସେ ବ୍ୟକ୍ତିଗତ ଭାବେ କମ୍ପାନୀର ଏହି ଯୋଗଦାନ ସହ ସମାନ ପରିମାଣର ସେୟାର ଦେବେ ବୋଲି କହିଛନ୍ତି।
ତେବେ ମସ୍କଙ୍କ ବ୍ୟକ୍ତିଗତ ସେୟାର ଦାନ ମଧ୍ୟ ‘ଟ୍ରମ୍ପ୍‌ ଆକାଉଣ୍ଟ’ ସହ ସଂଯୁକ୍ତ ହେବ କି ନାହିଁ କିମ୍ବା ଏହି ସେୟାରଗୁଡ଼ିକର ବିକ୍ରୟ ଉପରେ କୌଣସି ‘ଲକ୍‌-ଅପ୍‌ ପିରିୟଡ’ ଲାଗୁ ହେବ କି ନାହିଁ, ସେ ନେଇ କମ୍ପାନୀ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।
‘ଟ୍ରମ୍ପ ଆକାଉଣ୍ଟ’ ହେଉଛି ଟିକସ-ସୁବିଧାଯୁକ୍ତ ନିବେଶ ଖାତା, ଯାହା ଆମେରିକୀୟ ଶିଶୁମାନଙ୍କୁ ଦୀର୍ଘମିଆଦୀ ସଞ୍ଚୟ ଗଠନ କରିବାରେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ କରାଯାଇଛି।

 

Dharitri – Odisha’s No.1 Odia Daily

Share