Posted inଫୁରସତ

ବର୍ଷା, ଇଲିଶି ଓ ବାଲିଛତୁ…

ଶ୍ରାବଣର ଆକାଶରେ କଳାହାଣ୍ଡିଆ ମେଘ। ଅବିଳମ୍ବେ ମେଘ ବରଷିବାର ସମ୍ଭାବନା । ଏ ବେଳରେ କଳାମେଘ ଦେଖି ନାଚେ ମୟୂର । ସାରୁଗଛ ମୂଳେ ବେଙ୍ଗବେଙ୍ଗୁଲୀଙ୍କ ଖେଳ। ବାଉଁଶ ବୁଦାରେ କୁମ୍ଭାଟୁଆର ରାବ। ଗହୀର ବିଲରେ ଚଷାପୁଅର ବେଉଷଣ। ବେଳେବେଳେ ଆକାଶରେ ଖରାଛାଇର ଲୁଚକାଳିଖେଳ। ଇନ୍ଦ୍ରଧନୁର ସପ୍ତରଙ୍ଗର ବର୍ଣ୍ଣାଳି ଉଙ୍କିମାରେ। ହଠାତ୍‌ ବର୍ଷା ଆସେ ପୁଣି ଛାଡ଼ିଯାଏ। ସବୁଜ ଘାସ ଗାଲିଚାରେ ନାଲି ଟୁକୁଟୁକୁ ସାଧବବୋହୂର ଚାଲି। ବର୍ଷାଋତୁରେ ଭରାନଈରେ ଜଳଚର ଜୀବଙ୍କ ଚଳଚଞ୍ଚଳ ଗତି। ବାଡ଼ିବଗିଚାରେ ନାନାପ୍ରକାର ପନିପରିବା। ରଞ୍ଜାରେ ଜହ୍ନିକଷି ଓ କଖାରୁ ଫୁଲର ସମ୍ଭାର । ନଈପଠା, ତୋଟାମାଳ କିମ୍ବା ଜଙ୍ଗଲ ଭୂଇଁରେ ଫୁଟିଥିବା ନାନାପ୍ରକାର ବାଲିଛତୁ। ଗହୀରବିଲ ବୁଡ଼ା ପାଣିରେ ଚୂନା ମାଛ ଧରିବାର ନିଶା। ଏଦିନରେ ବିଶେଷକରି ଇଲିଶି ମାଛର ଭଜା, କଖାରୁଫୁଲର ପିଠଉ, ବାଲିଛତୁର ବେସରପୋଡ଼ା ଏମିତି କେତେକ ଖାଦ୍ୟର ସ୍ବାଦ ଖୁବ୍‌ ନିଆରା। ସତରେ ବର୍ଷା ଆସିଲେ ହିଁ ଏହିସବୁ ସ୍ବାଦିଷ୍ଟ ଖାଇବାର କଥା ଚାଲିଆସେ ଆପେ ଆପେ ମନକୁ..

କେନ୍ଦୁଝରରେ ଭଳିକି ଭଳି ଛତୁ-ବର୍ଷାଋତୁ ଆସିଲେ କେନ୍ଦୁଝର ଜିଲାର ବଣପାହାଡ଼, ବାଡ଼ିବଗିଚା ଆଦିରେ ଭଳିକି ଭଳି ଛତୁ ଫୁଟେ । ଏହି ଛତୁର ପସରା ଗାଁଗଣ୍ଡା, ହାଟବଜାର, ସହର ତଥା ରାଜରାସ୍ତାରେ ମେଲିଥାଏ । ବିଶେଷ କରି ଏହି ଋତୁରେ ଆଦିବାସୀମାନେ ବଣଜଙ୍ଗଲରୁ ଛତୁ ସଂଗ୍ରହ କରି ହାଟବଜାରରେ ବିକ୍ରି କରିଥାନ୍ତି । ଅବଶ୍ୟ ଆଜିକାଲି ଛତୁର ଚାହିଦା ସବୁଠି ରହିଛି। ଧନୀ ଗରିବ ସବୁ ଶ୍ରେଣୀର ଲୋକଙ୍କ ଘରେ ଛତୁ ତରକାରି ମହକି ଉଠେ । କିନ୍ତୁ ଆଜିକାଲି ବୈଜ୍ଞାନିକ ପଦ୍ଧତିରେ ବର୍ଷର ବିଭିନ୍ନ ସମୟରେ ବିଭନ୍ନ ସ୍ଥାନରେ ଛତୁ ଉପତ୍ାଦନ ହେଉଥିବା ଦେଖାଯାଏ। ମାତ୍ର ବର୍ଷା ଋତୁରେ ପ୍ରାକୃତିକ ଉପାୟରେ ବଣ ଜଙ୍ଗଲରୁ ମିଳୁଥିବା ଛତୁର ଚାହିଦା ଓ ସ୍ବାଦ ଅତ୍ୟନ୍ତ ନିଆରା । ଭଳିକି ଭଳି ରଙ୍ଗର ଛତୁ ରାସ୍ତାକଡ଼ରେ ଦେଖିବାକୁ ମିଳୁଛି । ସେଗୁଡ଼ିକର ନାମ ମଧ୍ୟ ଭିନ୍ନ ଭିନ୍ନ ରହିଥାଏ। ସେଥିମଧ୍ୟରେ ବାଲିଛତୁ, ବିହୁଡୁଣି, ରୁଟୁକା, ପିଚ, ମଣ୍ଡା, ପତୁରା, ମହାମଣି, ଭାନୁ, ଅଙ୍ଗାରୁ, କୁଟାଛତୁ, ବାଉଁଶଛତୁ, କାଠଛତୁ ଆଦି ନାମକରଣ କରାଯାଇଛି । ଏହି ଛତୁକୁ ବିକାଳିମାନେ ରାସ୍ତାକଡ଼ରେ ପତ୍ରଠୋଲା ବା ଚଉତିରେ ଭାଗ କରି ବିକ୍ରି କରୁଥିବାର ଦେଖିବାକୁ ମିଳେ। ଏହାକୁ ବେପାରୀମାନେ ବିଭିନ୍ନ ଦରରେ କିଣି ସେମାନଙ୍କ ଲାଭାଂଶ ରଖି ବିକ୍ରି କରିଥା’ନ୍ତି। କିନ୍ତୁ ଛତୁ ହେବା ପାଇଁ ଖରାଦିନେ ଜଙ୍ଗଲ, ପାହାଡ଼, ଜମିବାଡ଼ି, ବିଲ, ଖାଲଖମା ଆଦିରେ ଶୁଖିଲାପତ୍ର, ଘାସ ଆଦି ମାଟିରେ ମିଶି ଯାଇଥାଏ । ବର୍ଷା ହେଲେ ସେହି ସ୍ଥାନଗୁଡ଼ିକରେ ଛତୁ ଫୁଟିଥାଏ । ସ୍ଥାନୀୟ ବନବାସୀ ସକାଳୁ ଡାଲା, ପାଛିଆ ଧରି ବଣଜଙ୍ଗଲକୁ ବାହାରି ଯାଆନ୍ତି ଏବଂ ଛତୁ ସଂଗ୍ରହ କରି ଘରକୁ ଫେରନ୍ତି। ବିଶେଷ କରି କେନ୍ଦୁଝର ଜିଲାର ବାଂଶପାଳ, ହରିଚନ୍ଦନପୁର, ତେଲକୋଇ, ଝୁମ୍ପୁରା, ଯୋଡ଼ା ଓ ଘଟଗାଁ ଆଦି ବଣପାହାଡ଼ଘେରା ବ୍ଲକର ଗ୍ରାମାଞ୍ଚଳରେ ବର୍ଷାଦିନେ ଛତୁ ଫୁଟିଥାଏ । ଯଦିଓ ବଜାରରେ ଆଜିକାଲି ବର୍ଷର ସବୁସମୟରେ ପାଳ, କୁଟା, ବଟନ ଆଦି ଚାଷ ଛତୁ ମିଳିପାରୁଛି । କିନ୍ତୁ ଏହି ଛତୁର ସ୍ବାଦଠାରୁ ପ୍ରାକୃତିକ ଉପାୟରେ ବଣଜଙ୍ଗଲରୁ ମିଳୁଥିବା ଛତୁର ସ୍ବାଦ ଓ ଚାହିଦା ଅଧିକ। ଏହି ଛତୁକୁ ସେଠାକାର ଲୋକ ସଂଗ୍ରହକରିବା ସହିତ ନିଜର ତରକାରିପାଇଁ ରଖି କେହିକେହି ବଳକା ଛତୁକୁ ହାଟବଜାରରେ ବିକିଥା’ନ୍ତି । ବିଶେଷ କରି ପ୍ରତ୍ୟେକ ଓଡ଼ିଆ ଘରେ ଏହି ଋତୁରେ ଛତୁର ବିଭିନ୍ନ ପ୍ରକାର ତରକାରି ଦେଖିବାକୁ ମିଳେ । ତେବେ ଛତୁ ଭାଗ ୨୦ରୁ ୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ସେମାନଙ୍କଠାରୁ ବେପାରୀମାନେ କମ୍‌ ଦାମରେ କିଣି କିଲୋ ପିଛା ପ୍ରାୟ ୧୦୦ରୁ ୪୦୦ଟଙ୍କା ପର୍ଯ୍ୟନ୍ତ ବାହାରେ ବିକିଥା’ନ୍ତି । ବିଶେଷ କରି ବାଲି, ରୁଟୁକା, ବିହୁଡୁଣି, କୁଟା ଆଦି ଛତୁର ଚାହିଦା ଅଧିକ ରହିଛି । ଏହାର ଦାମ ମଧ୍ୟ ଅନ୍ୟ ଛତୁ ତୁଳନାରେ ଅଧିକ। ଏହି ଛତୁର ଆଜିକାଲି ବଡ଼ ବଡ଼ ହୋଟେଲରେ ମଧ୍ୟ ଚାହିଦା ରହିଛି । ଛତୁକୁ ସାଧାରଣତଃ ତରକାରି, ଭଜା, ରାଇ ଆଦି କରି ଖିଆଯାଇଥାଏ । ତେବେ ବେଳେବେଳେ ଅସାବଧାନତା ଯୋଗୁ ଏହି ଦିନରେ କେତେକ ବିଷାକ୍ତ ଛତୁ ଖାଇ ଅନେକେ ଅସୁସ୍ଥ ହୋଇପଡ଼ନ୍ତି ଏବଂ ଅନେକ ସମୟରେ ମୃତ୍ୟୁମୁଖରେ ପଡିଥାନ୍ତି । ଏଣୁ ଛତୁକୁ ଦେଖିପରଖି ଏବଂ ଭଲଭାବରେ ଧୋଇ ରାନ୍ଧି ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥା’ନ୍ତି । ଆଜିକାଲି କୁଟା ବା ବଟମ ଛତୁ ବର୍ଷ ତମାମ ଚାଷ କରାଯାଇ ପାରୁଥିବାରୁ ବର୍ଷସାରା ଖାଇବାକୁ ମିଳିଥାଏ । ହୋଟେଲଗୁଡ଼ିକରେ ମଧ୍ୟ ଏହି ଛତୁ ତରକାରିର ଚାହିଦା ଅନେକ ରହିଛି । ଛତୁକୁ ଭଜା, ତରକାରି ଓ ପକୁଡି କରି ଲୋକେ ଖାଇଥାନ୍ତି । ତେବେ ଗ୍ରାମାଞ୍ଚଳରେ ଛତୁକୁ ପିଠା କରି ମଧ୍ୟ ଖିଆଯାଏ । ତେବେ ଛତୁପାଇଁ ଉପଯୁକ୍ତ ବଜାର ଅଭାବରୁ ଆଦିବାସୀମାନେ ଅନେକ ସମୟରେ ବେପାରୀଙ୍କ ଶୋଷଣର ଶିକାର ହୋଇଥା’ନ୍ତି। ଏହି ଋତୁରେ କେତେ ପରିମାଣରେ ଛତୁ କାରବାର ହୋଇଥାଏ, ଏହାର ଠିକ୍‌ ତଥ୍ୟ କାହା ପାଖରେ ନାହିଁ । କିନ୍ତୁ ଆନୁମାନିକ ପ୍ରାୟ ୧୦ଟନ୍‌ରୁ ଅଧିକ ଛତୁ କାରବାର ହୋଇଥାଏ ବୋଲି କୁହାଯାଏ । ବହୁ ଛତୁ ବାହାରକୁ ମଧ୍ୟ ଚାଲାଣ ହୋଇଥାଏ । ବାଂଶପାଳ ଅଞ୍ଚଳର ବାସୁମତି ଦେହୁରୀ କୁହନ୍ତି ଛତୁ ସଂଗ୍ରହକରି କିଛିମାସ ଆମକୁ ରୋଜଗାର ମିଳିଯାଏ। ବର୍ଷା ଋତୁରେ ପାଖାପାଖି ଦୁଇ ମାସ ଧରି ଛତୁ ସଂଗ୍ରହ କରି ସେସବୁ ବିକି ଜୀବିକା ଚଳାଇଥାଉ । ବଜାରରେ ଛତୁ ବିକି ତେଲ ଲୁଣ କିଣି ସଂସାର ଚଳାଇଥାଉ । କିନ୍ତୁ ଆଜିକାଲି ଆଗଭଳି ଆଉ ବହୁଳ ପରିମାଣରେ ଛତୁ ମିଳୁନାହିଁ । ବର୍ଷାର ଅନିୟମିତତା ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ଛତୁ ଆଗ ଭଳି ଫୁଟୁ ନାହିଁ । ଏଣୁ ଆଗରୁ ଗ୍ରାମରେ ହାତପାଆନ୍ତାରେ ମିଳୁଥିବା ଛତୁ ଏବେ ସେମିତି ନାହିଁ । ବାଡିବଗିଚାରେ ମଧ୍ୟ ପ୍ରଚୁର ପରିମାଣରେ ଛତୁ ମିଳୁଥିଲା । ଛତୁ ପାଇଁ ଦୂର ଜଙ୍ଗଲ ଓ ପାହାଡ଼କୁ ଯିବାକୁ ହୋଇଥାଏ । ଅନେକ ସମୟରେ ବନ୍ୟଜନ୍ତୁର ଶିକାର ହେବାକୁ ପଡିଥାଏ। ଛତୁ ଜଙ୍ଗଲରେ କୁଢାଇବା ଓ ସେଠାରୁ ଆଣି ହାଟବଜାରରେ ବିକୁଥିଲେ ହେଁ ଉପଯୁକ୍ତ ମୂଲ୍ୟ ମିଳୁନାହିଁ ବୋଲି କହିଛନ୍ତି କାଞ୍ଜିପାଣି ଅଞ୍ଚଳର ସୁରଥି ନାଏକ। ହରେକୃଷ୍ଣ ମହାନ୍ତ, ବୈଦ୍ୟ ବିଶାରଦ କୁହନ୍ତି ଯେ ଛତୁରେ ଭରି ରହିଛି ପ୍ରୋଟିନ । ଏଣୁ ଏହା ସ୍ବାସ୍ଥ୍ୟ ପକ୍ଷେ ହିତକାରକ । କିନ୍ତୁ ଅନେକ ସମୟରେ ବିଷାକ୍ତ ଛତୁ ଖାଇ ଅନେକେ ଅସୁସ୍ଥ ହୋଇପଡନ୍ତି । ଏଣୁ ଦେଖିପରଖି ଛତୁ କିଣିବା ସହ ଖାଇବା ଜରୁରୀ। ଡ. ବିମ୍ବାଧର ବେହେରା, ଅବସରପ୍ରାପ୍ତ ପ୍ରାଧ୍ୟାପକ, କେନ୍ଦୁଝର କୁହନ୍ତି ଯେ ଛତୁ ବହୁ ଆଗରୁ ଖାଇ ଆସୁଛୁ । ଏହାର ସ୍ବାଦ ଅତ୍ୟନ୍ତ ନିଆରା । ଛତୁରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ କରାଯାଇଥାଏ । ଆଜିକାଲି ପଞ୍ଚ ତାରକା ହୋଟେଲମାନଙ୍କରେ ମଧ୍ୟ ଛତୁରେ ପ୍ରସ୍ତୁତ ବ୍ୟଞ୍ଜନର ଚାହିଦା ଅଧିକ ରହିଛ । ଆଜିକାଲି ଛତୁ ମହଙ୍ଗା ହୋଇଗଲାଣି ତଥାପି ଲୋକେ ଛତୁ ଖାଇବା ଛାଡି ପାରୁନାହାନ୍ତି । ତେବେ ତଦାରଖର ଅଭାବରୁ ବେପାରୀମାନେ କମ୍‌ ଦାମରେ କିଣି ଅଧିକ ଦାମରେ ବିକ୍ରି କରି ଲାଭବାନ ହୋଇଥା’ନ୍ତି। ଫଳରେ ସାଧାରଣ ଉପଭୋକ୍ତାଙ୍କ ପାଇଁ ଛତୁ ମହଙ୍ଗା ହୋଇଯାଉଛି । ଜିଲା ଓର୍‌ମାସ କାର୍ଯ୍ୟ ନିର୍ବାହୀ ସପନ ଗୋସ୍ବାମୀ କୁହନ୍ତି, ଛତୁ ଚାଷ ପାଇଁ ଉଦ୍ୟାନ ବିଭାଗର ବିଭିନ୍ନ ସ୍କିମ ରହିଛି । କିନ୍ତୁ ଏହି ଋତୁରେ ବଣପାହାଡ଼ରୁ ସଂଗ୍ରହ କରି ଆଦିବାସୀମାନେ ବିକୁଥିବା ଛତୁ ବିକ୍ରି ବା ପରିଚାଳନା ପାଇଁ କାୈଣସି ସ୍କିମ୍‌ ନାହିଁ । ସେମାନେ ନିଜେ ସଂଗ୍ରହ କରି ନିଜେ ବିକ୍ରି କରି ଦୁଇ ପଇସା ପାଇଥାନ୍ତି । ରାଜ୍ୟର ଅନେକ ଅଞ୍ଚଳରେ ବିଭିନ୍ନ ପ୍ରକାର ଛତୁ ଦେଖିବାକୁ ମିଳିଥାଏ। ଅନ୍ୟପକ୍ଷେ ବର୍ଷା ଋତୁ ଆସିଲେ ଅନେକେଚାଷି ପନିପରିବା ଚାଷ କରିଥାନ୍ତି। କିନ୍ତୁ ଏହି ସମୟରେ ବନବାସୀମାନେ । ବିଶେଷ କରି ପାହାଡର ଗଡାଣିଆ ଜମିରେ ତଇଳାକାଟି ସେ ସବୁକୁ ପୋଡି ବର୍ଷା ହେଲେ ଚାଷ କରିଥାନ୍ତି । ଏହାକୁ ପୋଡୁ ଚାଷ କୁହାଯାଏ । ଏହି ଜମିରେ କାକୁଡି, ଜହ୍ନି, ବିଭିନ୍ନ ପ୍ରକାରର ଛତୁ, ଭେଣ୍ଡି, କଞ୍ଚା କଦଳୀ, ରୁମା ଛୁଇଁ, କାଙ୍କଡ, ବାଇଗଣ, ଲାଉ, ଅମୃତଭଣ୍ଡା, ସଜନା ଛୁଇଁ, କଖାରୁ ଫୁଲ, କଖାରୁ ଡଙ୍କ, କଦଳୀ ମଞ୍ଜା, କଲରା, ବିଭିନ୍ନ ପ୍ରକାରର ଶାଗ ବିକ୍ରି ହୋଇଥାଏ ।

ଧାମରା ଇଲିଶି-ମାଛଙ୍କ ମଧ୍ୟରେ ଇଲିଶିର ସ୍ଥାନ ସ୍ବତନ୍ତ୍ର । ସମୁଦ୍ର, କେତେକ ନଦୀ ଓ ଚିଲିକାରେ ଏହି ମାଛ ଦେଖିବାକୁ ମିଳିଥାଏ। ଏହା କଣ୍ଟାଯୁକ୍ତ ଓ ତେଲିଆ ହୋଇଥିଲେ ବି ଖୁବ୍‌ ସ୍ବାଦିଷ୍ଠ । ତେବେ ଏହାର ବଜାର ଦର ମଧ୍ୟ କିଛି କମ୍‌ ନୁହେଁ । ବିଶେଷକରି ବର୍ଷାଋତୁରେ ଓଡ଼ିଶାର ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଧାମରା ମତ୍ସ୍ୟ ପୋତାଶ୍ରୟର ଚନ୍ଦନିପାଳ ବେସ୍‌ରୁ ଅଧିକ ପରିମାଣର ଇଲିଶି ଧରା ହୋଇ ଥାଏା ବର୍ଷର ଆଷାଢ, ଶ୍ରାବଣ, ଭାଦ୍ରବ ଓ ଆଶ୍ୱିନ ମାସରେ ସମୁଦ୍ରରୁ ଏହି ମାଛ ଧରାହୋଇ ଥାଏ । ତେବେ ଜଳବାୟୁର ପରିବର୍ତ୍ତନ ଓ ଅନିୟମିତ ବୃଷ୍ଟିପାତ ଯୋଗୁ ଇଲିଶି ଧରାହେବାରେ କିଛି ଫରକ ଆସିଥାଏ । ଧାମରାର ଅବସରପ୍ରାପ୍ତ ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ଦେବେନ୍ଦ୍ରନାଥ ପ୍ରଧାନ କୁହନ୍ତି, ଇଲିଶି ଏକ ସାମୁଦ୍ରିକ ମାଛ । ଏହିମାଛ ଗଭୀର ସମୁଦ୍ରରେ ଦଳଦଳ ହୋଇ ବାସକରିଥାନ୍ତି। ସମୁଦ୍ରରେ ଏମାନଙ୍କର ଗତି ଖୁବ ତୀବ୍ର । ବର୍ଷାର ପରିମାଣକୁ ଲକ୍ଷ୍ୟ କରି ଧାମରା ଅଞ୍ଚଳରେ ମୁଖ୍ୟତଃ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଇଲିଶିକୁ ଗିଲନେଟ ଜାଲରେ ଧରା ହୋଇଥାଆନ୍ତି। ବନ୍ୟା ବର୍ଷା, କୋହଲା ପାଗ ଓ ପୂବେଇ ପବନ ହେଲେ ଏହିମାଛ ପ୍ରଜନନ ପାଇଁ ଦଳଦଳ ହୋଇ ଗଭୀର ସମୁଦ୍ରରୁ ବାହାରି ମଧୁର ଜଳର ଉତ୍ସର ମୁହାଣ ଆଡକୁ ଆସି ଥାଆନ୍ତି । ମଧୁର ଜଳ ସଂସ୍ପର୍ଶରେ ଆସିଲେ ଏମାନଙ୍କ ଶରୀରରେ ଚର୍ବି ଅଂଶ ବୃଦ୍ଧି ପାଇଥାଏ । ଏହି ସମୟରେ ବହୁଳପରିମାଣରେ ଜାଲରେ ପଡିଥାଆନ୍ତି । ଧାମରା, କଷିଆ, ବଳରାମଗଡି, ତାଳସାରୀ, ଦୀଘା ପର୍ଯ୍ୟନ୍ତ ବିଭିନ୍ନ ମାଛଧରା ବେସ୍‌ରେ ଏହି ମାଛ ଧରାଯାଇଥାଏ ାକିନ୍ତୁ ଧାମରାରୁ ଧରାଯାଉଥିବା ଇଲିଶିମାଛ ସିଧାସଳଖ ଦୀଘାକୁ ଚାଲାଣ ହୋଇଥାଏ । ଗୋଟିଏ ଗୋଟିଏ ଇଲିଶିମାଛର ଓଜନ ପ୍ରାୟ ୩ରୁ ୪କିଲୋଗ୍ରାମ ହୋଇଥାଏ । ବଜାର, ଗ୍ରାହକ ଓ ମାଛଧରା ହେବାର ପରିମାଣକୁ ନେଇ ଏହାର ବିକ୍ରି ଦାମ୍‌ ନିର୍ଭର କରୁଛି । ସାଧାରଣତଃ ବଜାରରେ ୫ଶହ ଗ୍ରାମରୁ ପ୍ରାୟ ଦେଢ କିଲୋଗ୍ରାମର ଇଲିଶି ବିକ୍ରି କରାଯାଇଥାଏ। । ସୂଚନା ଅନୁସାରେ ୫ଶହ ଗ୍ରାମରୁ କମ୍‌ ମାଛ କିଲୋପ୍ରତି ୬ଶହରୁ ୮ଶହ, ୫ଶହ ଗ୍ରାମରୁ ୧କିଲୋପ୍ରତି ୧୨ଶହରୁ ୧୫ଶହ, ୧କିଲୋରୁ ଅଧିକ ମାଛ କିଲୋପ୍ରତି ୧୮ଶହରୁ ୨ହଜାର ଟଙ୍କାରେ ବିକ୍ରି ହୋଇଥାଏ।ମାତ୍ର ବେଳେବେଳେ ବହୁଳମାତ୍ରାରେ ଇଲିଶି ଧରାଯାଇଥିବାରୁ କିଛି ଶସ୍ତା ଦରରେ ସ୍ଥାନୀୟ ବଜାରରେ ଇଲିଶି ବିକ୍ରି ହୋଇଥାଏ। ଅନ୍ୟପକ୍ଷେ ବର୍ଷର ସବୁ ସମୟରେ ସମୁଦ୍ରରୁ ଏହି ମାଛଧରା ହେବା ଓ ଅନିୟମିତ ବୃଷ୍ଟିପାତ କାରଣରୁ ପ୍ରଜନନ ବାଧାପ୍ରାପ୍ତ ଯୋଗୁ ଏମାନଙ୍କ ପରିମାଣ କମ୍‌ ହେବାରେ ଲାଗିଛି । ନଦୀ ପ୍ରଦୂଷଣ ଓ ଆନିକଟ ଇଲିଶି ମାଛ ବଂଶ ବୃଦ୍ଧିରେ ବାଧକ ସାଜିଛି । ସବୁବେଳେ ଇଲିଶିମାଛର ଚାହିଦା ରହିଥିବା ବେଳେ ଏହାର ଆମଦାନୀ କମ୍‌ ହେବାରୁ ଇଲିଶିର ଦାମ୍‌ ଆକାଶଛୁଆଁ ହୋଇଥାଏ। ସେହିପରି ରାଜ୍ୟ ବାହାରେ ଏହାର ଚାହିଦା, ପ୍ୟାକିଂ ଓ ପରିବହନ ବ୍ୟବସ୍ଥାର ଉନ୍ନତୀକରଣରୁ ବିଶେଷକରି ସ୍ଥାନୀୟ ବଜାରରେ କମପରିମାଣର ମିଳେ। କିନ୍ତୁ ଇଲିଶିର ସାଦୃଶ୍ୟ ଥିବା ଏକ ମାଛ ଇଲଶା (ଚିଲିକା ଅଞ୍ଚଳର ବଳଙ୍ଗମାଛ) ବଜାରରେ ସବୁବେଳେ ମିଳିଥାଏ।

ପାରାଦୀପ ଇଲିଶି-କଥାରେ ଅଛି ଚାକିରି କରିବ ପୋଲିସ ମାଛ ଖାଇବ ଇଲିଶି। ଏକଦା ଉପକୂଳ ଓଡ଼ିଶାର ସର୍ବବୃହତ ପାରାଦୀପ ମାଛଧରା ବନ୍ଦର ଇଲିଶି ପାଇଁ ପ୍ରସିଦ୍ଧ ଥିଲା। ଶ୍ରାବଣ, ଭାଦ୍ରବ ଦୁଇମାସରେ ପ୍ରଚୁର ଇଲିଶି ଧରାହେଉଥିଲା। ବେଳେବେଳେ ଅଧିକ ମାଛ ଉତ୍ପାଦନ ବେଳେ ବରଫ ଅଭାବ ପଡିଥାଏ। ସେଦିନ ଇଲିଶି ଗଦା ଆକାରରେ ବିକ୍ରି ହୁଏ। ଯୋଡ଼ା କୋଡିଏ (୨୦ ଟଙ୍କାରେ ଦୁଇଟି ଇଲିଶି, ଯାହାର ଓଜନ ଆନୁମାନିକ ୧କେଜି)ରେ ବିକ୍ରି ହୁଏ। ୨୦୧୧ମସିହା ପରଠାରୁ ସେଭଳି ଦୃଶ୍ୟ ଆଉ ଦେଖିବାକୁ ମିଳୁନାହିଁ। କାରଣ ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି। ଏହି ୧୨ ବର୍ଷ ମଧ୍ୟରେ କେବଳ୨୦୧୯ ସେପ୍ଟେମ୍ବରରେ ଦୁଇଦିନ ଅଧିକ ଇଲିଶି ଉତ୍ପାଦନ ହୋଇଥିଲା। ସେହି ଦୁଇଦିନ ବଜାର ମୂଲ୍ୟ ସାମାନ୍ୟ ହ୍ରାସ ପାଇଥିଲା। ଯୋଡ଼ା ୮୦ ରୁ ୧୦୦ ଟଙ୍କାରେ ମିଳିଥିଲା। ଏବେ ପ୍ରାୟତଃ ଇଲିଶି ବହୁଳ ମାତ୍ରାରେ ଧରାହେବା ଦେଖିବାକୁ ମିଳୁନାହିଁ। ଇଲିଶିମାଛ ଗଦି ବୋଲି ଖ୍ୟାତ ଅଠରବାଙ୍କି ବାଲିପ୍ଲଟର ବ୍ୟବସାୟୀ ପରେଶ ମଣ୍ଡଳ କୁହନ୍ତି, ଚଳିତବର୍ଷ କାଁ ଭାଁ ଡଙ୍ଗାରେ ଇଲିଶି ଆସୁଛି। କିଏ ୨୦ କେଜି ତ କେହି ୧୦୦ କେଜି ମାଛ ଆଣୁଛନ୍ତି। ତାକୁ ଖୋଲାବଜାର ବ୍ୟବସାୟୀମାନେ ଅଧିକ ମୂଲ୍ୟରେ କିଣି ନେଇ ବଡ ସହରରେ ବିକୁଛନ୍ତି। ଯଦ୍ଦ୍ବାରା ସାଧାରଣ ଖାଉଟି ଇଲିଶି କିଣିବା ପାଇଁ ଅସମର୍ଥ । ଚଳିତ ସପ୍ତାହରେ ପ୍ରାୟତଃ ଇଲିଶି ଗ୍ରାମ୍‌ ହିସାବରେ ବିକ୍ରି ହେଉଛି। ୧୦୦ରୁ ୩୦୦ ଗ୍ରାମ୍‌ ଓଜନବିଶିଷ୍ଟ ମାଛର ମୂଲ୍ୟ କେଜି ପିଛା ୩୦୦ରୁ ୪୦୦ ଟଙ୍କା ଲେଖାଏ ବିକ୍ରି ହେଉଛି। ୫୦୦ ଗ୍ରାମରୁ ଅଧିକ ମାଛର ମୂଲ୍ୟ ୭୦୦ରୁ ୮୦୦ ଟଙ୍କା। କେଜିଏରୁ ଅଧିକ ଓଜନ ମାଛର ମୂଲ୍ୟ ୧୬୦୦ ରୁ ୧୮୦୦ ଟଙ୍କା ରହିଥିଲା। ମାଛ ଉତ୍ପାଦନ ହ୍ରାସ ପ୍ରସଙ୍ଗରେ ପାରମ୍ପରିକ ସାମୁଦ୍ରିକ ମତ୍ସ୍ୟଜୀବୀ ଟି. ବି. ରାମଣା କୁହନ୍ତି, ଏବେ ପ୍ରାୟ ସବୁ ନଦୀର ପ୍ରଦୂଷିତ ପାଣି ସମୁଦ୍ରରେ ମିଶୁଛି। ବଡ ବଡ ନଦୀ ମଧ୍ୟରେ ଏକାଧିକ ଆନିକଟ ହୋଇଗଲାଣି। ଯେଉଁଥିପାଇଁ ଏହି ମାଛ ସ୍ବାଭାବିକ ପ୍ରଜନନ କରି ପାରୁନାହାନ୍ତି।ଏହି ମାଛର ଜୀବନଚକ୍ର ଅନ୍ୟ ମାଛଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ମନୋରଞ୍ଜନ ମହାପାତ୍ର କୁହନ୍ତି। ଏମାନେ ଦଳହୋଇ ଗଭୀର ସମୁଦ୍ରରେ ରହିଥାନ୍ତି। ପ୍ରଜନନ, ଅଣ୍ଡାଦାନ ଏବଂ ଯାଆଁଳ ହେବା ପର୍ଯ୍ୟନ୍ତ ମଧୁରଜଳକୁ ଆସିଥାନ୍ତି। ସାଧାରଣତଃ ଶ୍ରାବଣ, ଭାଦ୍ରବ ମାସରେ ଅଧିକ ବର୍ଷା ହୋଇଥାଏ। ବର୍ଷାପାଣି କିମ୍ବା ବନ୍ୟା ପାଣି ଯେତେବେଳେ ସମୁଦ୍ରରେ ମିଶେ ସେମାନେ ଦଳହୋଇ ମୁହାଣ ଦେଇ ନଦୀ ଭିତରକୁ ଆସିଥାନ୍ତି। ଆସିବା ବେଳେ ତୀକ୍ଷ୍ଣ ଗତିଥାଏ। ନଦୀ ମଧ୍ୟରେ ମିଳନ, ଅଣ୍ଡାଦାନ କରିଥାନ୍ତି। ସେହି ଅଣ୍ଡା ସବୁ ନଦୀ ସମୁଦ୍ର ସଂଲଗ୍ନ ହେନ୍ତାଳବଣ ଢେଉରେ ଫାଟିଥାଏ। ସେହିଠାରେ ଶାବକ ହୋଇ ମଧୁରଜଳକୁ ଯାଇଥାନ୍ତି। ପ୍ରାୟ ୩୦ -୪୦ ଗ୍ରାମ୍‌ ଭଳି ହୋଇଗଲେ ଗଭୀର ସମୁଦ୍ରକୁ ଚାଲିଯା’ନ୍ତି। ନଦୀଗୁଡିକ ମୁକ୍ତ ଥିଲେ ସେମାନେ ନଦୀର ଆରମ୍ଭ ଅର୍ଥାତ୍‌ ପାହାଡ ପାଦଦେଶ ପର୍ଯ୍ୟନ୍ତ ଯାଇଥା’ନ୍ତି। ଏବେ ନଦୀ ପାଣି ଦୂଷିତ ରହିବା, ସମୁଦ୍ରରେ କୋଳାହଳପୂର୍ଣ୍ଣ ପରିବେଶ, ନଦୀରେ ଆନିକଟ ଆଦି କାରଣ ପାଇଁ ସେମାନଙ୍କ ଯାତାୟାତ ଓ ପ୍ରଜନନ ଠିକ୍‌ଭାବେ ହୋଇ ପାରୁନାହିଁ। ଏହି ମାଛର ଚାହିଦା ସମ୍ପର୍କରେ କଳ୍ପତରୁ ମନ୍ତ୍ରୀ କୁହନ୍ତି, ଏହା ସ୍ବାଦିଷ୍ଟ। ଏଥିରେ ଓମେଗା ଭଳି ଶକ୍ତି ବର୍ଦ୍ଧକ ପ୍ରୋଟିନ ଅଛି। ତରକାରି କିମ୍ବା ଭଜା ପାଇଁ ବିଶେଷ ତେଲର ଆବଶ୍ୟକ ନାହିଁ। ଇଲିଶି ବର୍ଷାଦିନେ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। କ୍ୟାଲସିୟମ ଅଧିକ ଥାଏ। ଏହି ମାଛ ଗଭୀର ସମୁଦ୍ରରେ ଶୈବାଳ ଓ ନକ୍ଟିଲୋକା ନାମକ ଛୋଟ ମାଛ ଖାଆନ୍ତି। ସେଥିପାଇଁ ଉପକୂଳବର୍ତ୍ତୀ ରାଜ୍ୟର ଲୋକମାନେ ଏହାକୁ ଅଧିକ ଖାଆନ୍ତି। ଆଉ କେତେଜଣ ଶୁଖୁଆ କରି ବର୍ଷ ତମାମ ଖାଇଥା’ନ୍ତି। ଓଡିଶା ଓ ପଶ୍ଚିମବଙ୍ଗ ଅଞ୍ଚଳରେ ଏହି ମାଛକୁ ସୁନାଇଲିଶି କହିଥାନ୍ତି॥

-ବନବିହାରୀ ବେହେରା, ଅଶୋକ କୁମାର ପଣ୍ଡା, ନରେଶ ପଟ୍ଟନାୟକ, ଶରତ କୁମାର ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri