‘ସଂକ୍ରମଣ ବଢିଲେ ବି ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ୍‌’

ଭୁବନେଶ୍ୱର,୧୨।୭(ବ୍ୟୁରୋ): କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି, ବର୍ତ୍ତମାନ ଯେଉଁ ସଂକ୍ରମଣ ବଢ଼ୁଛି, ସେଥିରେ ଡାକ୍ତରଖାନା ଯିବା ରୋଗୀଙ୍କ ସଂଖ୍ୟା କମ୍‌ ରହିଛି। ମାତ୍ର ଏକ ପ୍ରତିଶତ ରୋଗୀ ଡାକ୍ତରଖାନା ଯାଉଛନ୍ତି। ସେହିପରି ସୋମବାର ସୁଦ୍ଧା ୩ ହଜାରରୁ ଅଧିକ ସକ୍ରିୟ ରୋଗୀ ଥିଲେ । ସେମାନଙ୍କ ମଧ୍ୟରୁ ମାତ୍ର ୩୧ ଜଣ ଡାକ୍ତରଖାନାରେ ଅଛନ୍ତି । ଡାକ୍ତରଖାନାରେ ଭର୍ତ୍ତି ରୋଗୀଙ୍କ ମଧ୍ୟରୁ ୨୫ ଜଣ ଆଇସିୟୁରେ ଅଛନ୍ତି । ଅଧିକାଂଶ ରୋଗୀ ଲକ୍ଷଣଯୁକ୍ତ ନୁହନ୍ତି ବୋଲି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସର୍ବଭାରତୀୟ କୋଭିଡ ସ୍ଥିତି ଦେଖିଲେ, ସବୁ ରାଜ୍ୟରେ କୋଭିଡ ବଢୁନାହିଁ । ଯେଉଁ ରାଜ୍ୟରେ ବଢ଼ୁଛି, କେବଳ ସହରାଞ୍ଚଳରେ ହିଁ ସଂକ୍ରମଣ ବଢ଼ୁଛି, ଗ୍ରାମାଞ୍ଚଳରେ ନାହିଁ । ଯେହେତୁ ବର୍ତ୍ତମାନ ଅନ୍ତଃରାଜ୍ୟ କଟକଣା ନାହିଁ, ବାଣିଜ୍ୟ ବ୍ୟବସାୟ ଉପରେ କଟକଣା ନାହିଁ, ଲୋକମାନଙ୍କ ଯାତାୟାତ ହେଉଛି, ଲୋକ ଏକାଠି ହେଉଛନ୍ତି, ସେସବୁ ସ୍ଥାନରେ ସଂକ୍ରମଣ ଅଧିକ ରହୁଛି ବୋଲି ନିରଞ୍ଜନ ମିଶ୍ର କହିଛନ୍ତି।