Categories: ଜାତୀୟ

ସରକାର ପ୍ରବାସୀ ଶ୍ରମିକଙ୍କ ମୃତଦେହ ନ ଗଣିଲେ ବି ମୃତ୍ୟୁ ତ ଆସିଲା: ରାହୁଲ

ନୂଆଦିଲ୍ଲୀ, ୧୫।୯: ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ନେଇ ବିରୋଧୀ ଶାସକ ଦଳଙ୍କୁ ଘେରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ନେଇ କୌଣସି ତଥ୍ୟ ମିଳିନି। ସେଥିପାଇଁ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଇ ପାରିନି। ତେବେ ଲକ୍‌ଡାଉନ୍‌ ସମୟରେ ଏକ କୋଟିରୁ ଅଧିକ ପ୍ରବାସୀ ନିଜ ନିଜ ରାଜ୍ୟକୁ ଫେରିଥିବା କେନ୍ଦ୍ରୀୟ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ସ୍ବୀକାର ଯାଇଛି। ଏହାକୁ ନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ମଙ୍ଗଳବାର ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି ଯେ, ସରକାର ପ୍ରବାସୀ ଶ୍ରମିକଙ୍କ ମୃତଦେହ ନ ଗଣିଲେ ବି ମୃତ୍ୟୁ ତ ଆସିଲା। ବିନା ଯୋଜନାରେ ତରବରିଆ ଭାବେ ସରକାର ଦେଶରେ ଲକ୍‌ ଡାଉନ୍‌ ଘୋଷଣା କଲେ। ଏହାର ପ୍ରଭାବ ପ୍ରବାସୀ ଶ୍ରମିକଙ୍କ ଉପରେ ପଡ଼ିଲା। ଭୋକ ଉପାସରେ ଘରେ ପହଞ୍ଚିବା ପୂର୍ବରୁ ବହୁ ଶ୍ରମିକଙ୍କର ବାଟରେ ହିଁ ମୃତ୍ୟୁ ହେଲା। ଏଥିପାଇଁ ସରକାର ଦାୟୀ ବୋଲି ରାହୁଲ କହିଛନ୍ତି। ସାରା ଦେଶ ପ୍ରବାସୀଙ୍କ ମୃତ୍ୟୁ ସମ୍ପର୍କରେ ଜାଣିଥିବାବେଳେ ମୋଦି ସରକାର କିଭଳି ଅଜଣା ରହିଲେ ରାହୁଲ ପ୍ରଶ୍ନ କରିଛନ୍ତି।

Share