ମେଘାଚ୍ଛନ୍ନ ହୋଇ ମଧ୍ୟ ବର୍ଷା ନାହିଁ, ଚାଷୀ ନିରାଶ

ପାରଳାଖେମୁଣ୍ଡି,୧୦ା୧୧(ଗିରିଧାରୀ ପରିଛା)ଗଜପତି ଜିଲାରେ ଦୁଇ ମାସରୁ ଊର୍ଦ୍ଧ୍ୱ ଦିନ ହେଲା ବର୍ଷା ହୋଇନଥିବାରୁ ଚାଷ ଜମିଫାଟି ଆଁ କରିଛି। ଚାଷୀମାନେ ନିରାଶ ହୋଇ ରହିଥିବା ବେଳେ ଗତ ଦୁଇ ଦିନ ହେଲା ଗୋଷାଣୀ ବ୍ଲକ, ରାୟଗଡ଼ ବ୍ଲକ, ନୂଆଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ସାମାନ୍ୟ ବର୍ଷା ପଡ଼ିଥିଲା। ତିନିରୁ ଚାରି ଦିନ ଧରି ଆକାଶ ମେଘାଚ୍ଛନ୍ନ ରହୁଥିଲେ ମଧ୍ୟ ବର୍ଷା ପଡିନାହିଁ। ମେଘାଚ୍ଛନ୍ନକୁ ଦେଖି ଚାଷୀଙ୍କ ମୁହଁରେ ହସଫୁଟି ଥିଲା । ହେଲେ ସାମାନ୍ୟ ବର୍ଷା ହୋଇ ଛାଡିଯିବା ପରେ ଚାଷୀମାନେ ହତାସିଆ ହୋଇପଡ଼ିଛନ୍ତି ଚଳିତ ବର୍ଷ ଧାନ ଗଛ ଜମିରେ ଉଠିଯାଇଛି। ହେଲେ ବର୍ଷା ନଥିବାରୁ ଜଳସେଚନ ହୋଇପାରୁନି । ଫଳରେ ମରୁଡି ପରିସ୍ଥିତି ଉପୁଜିଛି । ଅନେକ ହେକ୍ଟର ଚାଷ ଜମି ଫାଟି ଆଁ କରି ରହିଛି । ଅନେକ ଜମିରେ ଧାନ ଗଛ ପୋଡିଗଲାଣି ବା ପୋଡିବାକୁ ଲାଗିଛି। ଯେଉଁ ଗଛ ଗର୍ଭ ଧାରଣ କରିଛି ତାହା ବି ନଷ୍ଟ ହେବାକୁ ଲାଗିଛି । ଗୁରୁବାର ଦିନ ସାରା ମେଘୁଆ ପାଗକୁ ଦେଖି ବର୍ଷା ହେବ ବୋଲି ଅନୁମାନ କରାଯାଇଥିଲେ ମଧ୍ୟ ବର୍ଷା ପଡିନାହିଁ। ବ୍ଲକର ବୃହତ୍ତର ଜଳାଶୟ କୃଷ୍ଣ ସାଗର ସୁସ୍କ ହେବାକୁ ଲାଗିଲାଣି । ଏହି ସାଗରରେ ଆଣ୍ଠୁଏ ପାଣି ରହିଥିବାର ଲୋକେ ଜଣାଇଛନ୍ତି। ଆଉ ଅଳ୍ପ ଦିନରେ ଥିବା ଜଳ ମଧ୍ୟ ଶୁଖିଯିବ। ସେହିପରି ଅନ୍ୟାନ୍ୟ ଜଳ ଉତ୍ସ ଗୁଡିକ ମଧ୍ୟ ସମଦଶା । ଛୋଟ ଛୋଟ ପୋଖୋରୀ, ନାଳ ଆଦିରୁ ଚାଷୀମାନେ ହଜାର ହଜାର ଫୁଟ ଲମ୍ବ ପାଇପ ଲଗାଇ ମୋଟର ଯୋଗେ ନିଜ ଜମିକୁ ପାଣି ନେଉଛନ୍ତି। ଏଥିଲାଗି ହଜାର ହଜାର ଟଙ୍କା ବ୍ୟୟବରାଦ ମଧ୍ୟ କରୁଛନ୍ତି। ଏକ ମାସରୁ ଊର୍ଦ୍ଧ୍ୱ ସମୟ ଧରି ନିଜ ନିଜ ଜମିକୁ ଜଳସେଚନ ଲାଗି ଦିନରାତି ପରିଶ୍ରମ କରୁଛନ୍ତି ବୋଲି କହିଛନ୍ତି ଚାଷୀ ରଶ୍ମିରଞ୍ଜନ ସାହୁ, ସନ୍ୟାସୀ ସାହୁ, ମୁନା ପରିଛା।