ବର୍ଷେ ପରେ ବି ହୋଇପାରିଲାନି ଜମି ଚିହ୍ନଟ

କେସିଙ୍ଗା,୧୮।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ଫଟକାମାଲ ପଞ୍ଚାୟତରେ ସରକାରୀ ଗୋଚରଜମି ଉଚ୍ଛେଦ ପାଇଁ ମଙ୍ଗଳବାର ତହସିଲଦାର କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏହା ସହ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲା ସରପଞ୍ଚ ସଙ୍ଘର ସଭାପତି ସୁବୋଧ ରଣାଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ହୋଇଛି। ଉକ୍ତ ପଞ୍ଚାୟତରେ ୧୫୦ ଏକର ଜମିକୁ ଗ୍ରାମର ବହୁ ଲୋକେ ଜବରଦଖଲକରି ଚାଷକରି ଆସୁଛନ୍ତି। ଜମି ଲାଗି ସରକାରୀ କାର୍ଯ୍ୟକ୍ରମରେ ଘୋର ସମସ୍ୟା ଦେଖା ଯାଉଥିବାରୁ ଜିଲାପାଳ ଓ ତହସିଲଦାରଙ୍କୁ ଏକ ବର୍ଷ ଧରି ଅଭିଯୋଗ ହୋଇ ଆସୁଛି। ରାଜ୍ୟ ସରକାରଙ୍କ ଅମୃତ ସରବୋର ଯୋଜନାରେ ପାଣିଟାଙ୍କି ନିର୍ମାଣ ପାଇଁ ଡାଇରେକ୍ଟର ସ୍ପେସିଆଲ ପ୍ରୋଜେକ୍ଟ ପକ୍ଷରୁ ଫଟକାମାଲକୁ ମଞ୍ଜୁରୀ ମିଳିଛି। ମଞ୍ଜୁରୀ ମିଳିଥିବା ବେଳେ ଉକ୍ତ ପଞ୍ଚାୟତ ପକ୍ଷରୁ ଜିଲାପାଳ, କେସିଙ୍ଗା ତହସିଲଦାରଙ୍କୁ ଜାନୁୟାରୀରେ ସ୍ଥାନ ଚିହ୍ନଟ ପାଇଁ କୁହାଯାଇଥିଲ। ତେବେ ଏହାକୁ ଏକବର୍ଷ ବିତିଥିଲେ ସୁଦ୍ଧା ଏଯାବତ୍‌ ଜମି ଚିହ୍ନଟ ହୋଇପାରି ନାହିଁ। ଏ ନେଇ ମଙ୍ଗଳବାର କେସିଙ୍ଗା ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ୧୦ ଦିନ ମଧ୍ୟରେ ଜମି ଚିହ୍ନଟ ପ୍ରତିଶ୍ରୁତି ପରେ ଲୋକେ ଆନ୍ଦୋଳନରୁ ହଟିଛନ୍ତି।