ଅଢେଇ ବର୍ଷ ପରେ ବି ପୋଲିସ ହାତ ଖାଲି

ରାଉରକେଲା,୨୨ା୬(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଏସ୍‌ଟିଆଇ ଓଭରବ୍ରିଜ ଉପରେ ୨୦୨୦ ମସିହା ଡିସେମ୍ବର ୧୮ ତାରିଖ ରାତି ୯ଟା ୪୫ରେ ଘଟିଥିଲା ଗୁଳିକାଣ୍ଡ। ସରୋଜ ସାହୁ ନାମକ ଜନୈକ ଯୁବକଙ୍କ ଉପରକୁ ଗୁଳିକରି ଦୁର୍ବୃତ୍ତ ବାଇକ୍‌ରେ ଫେରାର ହୋଇଯାଇଥିଲେ। ସରୋଜଙ୍କ ଘର ଓ୍ବାଡ ନଂ. ୫ ଗଙ୍ଗାଧରପାଲ୍ଲୀରେ। ଏହି ଘଟଣାର ଅଢେଇ ବର୍ଷ ପରେ ବି ଅଭିଯୁକ୍ତମାନଙ୍କୁ ଗିରଫ କରିପାରିନି ପୋଲିସ। ଫଳରେ ମୃତକଙ୍କ ପରିବାର ଲୋକଙ୍କ ପୋଲିସ ଉପରୁ ଭରସା ତୁଟୁଛି। ନ୍ୟାୟ ଦାବିରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ନେଇଛନ୍ତି।
ସରୋଜଙ୍କୁ ହତ୍ୟା ପରେ ତାଙ୍କ ବଡଭାଇ ସତ୍ୟନାରାୟଣ ସାହୁ ଡିସେମ୍ବର ୧୯ରେ ରଘୁନାଥପାଲ୍ଲୀ ଥାନାରେ ଏତଲା ଦେଇଥିଲେ। ପୋଲିସ କିଛି ଦିନ ଧରି ଯୋରସୋର ତଦନ୍ତ ଚଳାଇଥିଲା। ଏଥିସହିତ ମୃତକଙ୍କ ପରିବାର ହତ୍ୟାକାଣ୍ଡ ନେଇ ସନ୍ଦେହ କରୁଥିବା ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା ପରେ ପୋଲିସ ଛାଡି ଦେଇଥିଲା। ହତ୍ୟାକାଣ୍ଡ ନେଇ ପୋଲିସର ତଦନ୍ତ ପ୍ରକ୍ରିୟା ଶିଥିଳ ହେବାରୁ ମୃତକଙ୍କ ପରିବାର ବର୍ଗ ଏବଂ ଗଙ୍ଗାଧରପଲ୍ଲୀ ବସ୍ତିବାସିନ୍ଦା ରଘୁନାଥପାଲ୍ଲୀ ଥାନା ଘେରାଓ କରିଥିଲେ। ଘଟଣାର ତଦନ୍ତ ଚାଲିଛି, ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରାଯିବ ବୋଲି ପୋଲିସ କହିବାରୁ ବସ୍ତିବାସିନ୍ଦା ଘେରାଓରୁ ଓହରି ଯାଇଥିଲେ। ଏହାପରେ ମଧ୍ୟ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ଓ ହତ୍ୟାକାରୀମାନଙ୍କ ସମ୍ପର୍କରେ ରଘୁନାଥପାଲ୍ଲୀ ପୋଲିସ ପକ୍ଷରୁ କୌଣସି ପ୍ରକାର ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଶେଷରେ ମୃତକଙ୍କ ପରିବାର ବର୍ଗ ତତ୍କାଳୀନ ରାଉରକେଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ମୁକେଶ କୁମାର ଭାମୁଙ୍କୁ ସାକ୍ଷାତ କରିଥିଲେ। ହତ୍ୟାକାରୀଙ୍କ ଗିରଫ ଦାବି ସହ ଗୁଳିକାଣ୍ଡର ରହସ୍ୟ ଉନ୍ମୋଚନ ନେଇ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ। ହେଲେ ଏପର୍ଯ୍ୟନ୍ତ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇନାହିଁ। ଯାହାକୁ ନେଇ ମୃତ ଯୁବଙ୍କ ପରିବାର ବର୍ଗ ରାଉରକେଲା ପୋଲିସ ପ୍ରଶାସନ ଉପରୁ ନ୍ୟାୟ ପାଇବା ଭରସା ଉଠି ଯାଇଥିବା ଉଲ୍ଲେଖ କରିବା ସହ ପୋଲିସ ଘଟଣାକୁ ଚାପି ଦେବା ଉଦ୍ଦେଶ୍ୟରେ ମୃତ ସରୋଜଙ୍କ ସ୍ମାର୍ଟ ମୋବାଇଲ ଫୋନ ଏବଂ ଏକ ବ୍ୟାଗ ଲୁଚାଇ ଦେଇଛି, ଯେଉଁଥିରେ ପ୍ରମାଣ ଥିଲା ବୋଲି କହିଛନ୍ତି। ସରୋଜ ଅବିବାହିତ ଥିଲେ। ପରିବାର କହିଲେ ବିଧବା ମା’ ମନୋରମା (୫୫) ଓ ଦୁଇଭାଇ, ଭାଉଜ ପଦ୍ମିନୀ, ପୁତୁରା। ସେ ସେଲସମ୍ୟାନ ଭାବେ କାମ କରି ପରିବାର ଚଳାଉଥିଲେ। ତାଙ୍କ ମୃତ୍ୟୁ ପରେ ମା, ଭାଇ, ଭାଉଜ ସମସ୍ତେ ଭାଙ୍ଗିପଡ଼ିଛନ୍ତି। ସତ୍ୟନାରାୟଣଙ୍କ ସ୍ତ୍ରୀ ପଦ୍ମିନୀ ଏହି ହତ୍ୟାକାଣ୍ଡର ତୁରନ୍ତ ପର୍ଦ୍ଦାଫାଶ କରିବା ଦାବି କରିଥିଲେ। ବସ୍ତିର ନେତ୍ରାନନ୍ଦ ଜେନା, ନମିତା ପାତ୍ର, ଅଜୟ କୁମାର ସାହୁ, ବାସନ୍ତୀ କିଆ, ଶାନ୍ତିଲତା ପରିଡା, ଲକ୍ଷ୍ମୀ ବେହେରା, ଓଷାରାଣୀ ସାହୁ, ଜୟନ୍ତୀଲତା ଜେନା ପ୍ରମୁଖ ବସ୍ତିବାସିନ୍ଦା ମଧ୍ୟ ହତ୍ୟାକାଣ୍ଡରେ ପୋଲିସର ତଦନ୍ତ ପ୍ରକ୍ରିୟା ନିରାଶଜନକ ବୋଲି ଉଲ୍ଲେଖ କରିଛନ୍ତି। ଏନେଇ ରାଉରକେଲା ଆରକ୍ଷୀ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ, ଏଇ ନିକଟରେ ରାଉରକେଲା ଆରକ୍ଷୀ ଅଧୀକ୍ଷକ ଭାର ଗ୍ରହଣ କରିଛି। ମୋ ନଜରକୁ ଘଟଣାଟି ଆସି ନ ଥିଲା। ଘଟଣାର ସମସ୍ତ ପ୍ରୋଗ୍ରେସ ରିପୋର୍ଟ ସଂଗ୍ରହ କରି କଣ ସବୁ କେସ୍‌ରେ ରହିଛି, କ’ଣ ତଦନ୍ତ ବାକି ରହିଛି ତାହାର ଅନୁଧ୍ୟାନ କଲା ପରେ ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ ପାଇଁ ବିଧିବଦ୍ଧ ପଦକ୍ଷେପ ପୋଲିସ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯିବ ବୋଲି ଉଲ୍ଲେଖ କରିଥିଲେ।