୧.୧୯ କୋଟି ଖର୍ଚ୍ଚ ପରେ ବି ପାଣି ମିଳୁନି

କୋରେଇ,୧୯ା୬(ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ରଣପୁର ପିଡବ୍ଲ୍ୟୁଏସ୍‌ ପ୍ରକଳ୍ପ ନିର୍ମାଣ ଶେଷ ହେବାର ଇତି ମଧ୍ୟରେ ୫ ବର୍ଷ ଅତିକ୍ରମ କରିଛି। ମାତ୍ର ବିଡ଼ମ୍ବନାର ବିଷୟ ଏହି ପ୍ରକଳ୍ପ ଉପରେ ଆଶା ବାନ୍ଧିଥିବା ରଣପୁର ପଞ୍ଚାୟତର ୧୧ ଗ୍ରାମର ଜନସାଧାରଣ ଦୀର୍ଘଦିନ ହେବ ଜଳକଷ୍ଟ ଭୋଗି ଆସୁଛନ୍ତି। ପଞ୍ଚାୟତର ବେଲଟିକିରି, ମହାନ୍ତି ସାହି, ପ୍ରଧାନସାହି, ରଣପୁର, ସନଳ, ଶ୍ୟାମପୁର, ଚିଙ୍ଗୁଡ଼ିପୁର, ବେହେରାସାହି, ଗୋପାଳପୁର, ତୋରନ୍ଦା, ଠାକୁରସାହି ଆଦି ଗ୍ରାମର ପ୍ରାୟ ୪୯୦୦ ଲୋକଙ୍କୁ ଜଳଯୋଗାଣ ଉଦ୍ଦେଶ୍ୟରେ ୩ ଲକ୍ଷ ଲିଟରବିଶିଷ୍ଟ ପିଡବ୍ଲୁଏସ୍‌ ଟାଙ୍କି ନିର୍ମାଣ ପାଇଁ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଆର୍ଥିକ ବର୍ଷ ୨୦୧୮-୧୯ରେ ୨.୨ କୋଟି ଟଙ୍କାର ଆର୍ଥିକ ଅନୁଦାନ ବରାଦ ହୋଇଥିଲା।
ଠିକାଦାରଙ୍କୁ କାର୍ଯ୍ୟାଦେଶ ମିଳିବାର ୯ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଏଗ୍ରିମେଣ୍ଟ ହୋଇଥିଲା। ହେଲେ ଏହି ଟାଙ୍କି ନିର୍ମାଣ କାର୍ଯ୍ୟ ଶେଷ ହେବାର ୫ ବର୍ଷ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜଳଯୋଗାଣ ହୋଇପାରିନାହିଁ। ପ୍ରକଳ୍ପ ନିକଟରେ ଥିବା ବୈତରଣୀ ନଦୀପଠାରୁ ବୋରିଂ ଯୋଗେ ଟାଙ୍କିକୁ ପାଣି ଉଠାଇବା ପାଇଁ ପ୍ଲାନିଂ କରାଯାଇଥିଲା। ବୋରିଂ ଫେଲ୍‌ ହେବା କାରଣରୁ ଏହା ସମ୍ଭବ ହୋଇପାରି ନ ଥିଲା। ଫଳରେ ଉପରୋକ୍ତ ଗ୍ରାମବାସୀ ଜଳକଷ୍ଟ ଭୋଗୁଛନ୍ତି। ଅନ୍ୟତ୍ର ବୋରିଂ କରି ଜଳ ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀ ମନ ବଳାଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପାଇପ୍‌ ବିଛାଇବା ନାମରେ ଠିକାଦାର ଓ ଯନ୍ତ୍ରୀ ମିଳିମିଶି ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗ ହୋଇଛି। ୩ ଫୁଟ୍‌ ତଳେ ପାଇପ୍‌ ପୋତିବାକୁ ଅନୁମତି ରହିଥିଲେ ହେଁ ଠିକାଦାର ଏହାକୁ ଖାତିର ନ କରି କନିଷ୍ଠ ଯନ୍ତ୍ରୀଙ୍କ ସହ ଭିତିରି ବୁଝାମଣା କରି ୧ ଫୁଟରୁ ୧.୫ ଫୁଟ ମଧ୍ୟରେ ଗାତ ଖୋଳି ପାଇପ ବିଛାଇଥିବା ଅଭିଯୋଗ ହୋଇଛି।
ସମୁଦାୟ ୫ ଥରରେ ୧ କୋଟି ୧୯ ଲକ୍ଷ ଟଙ୍କାର ବିଲ ହୋଇଥିବା ଆର୍‌ଟିଆଇ ତଥ୍ୟରୁ ଜଣାପଡ଼ିଛି। ଅଧିକାରୀମାନେ ଠିକାଦାରଙ୍କ ନିକଟରୁ ମୋଟା ଅଙ୍କର ପିସି ଆଦାୟ କରି ଆଗୁଆ ବିଲ କରୁଥିବା ଯୋଗୁ ଠିକାଦାର ଅଧିକାରୀଙ୍କ କୌଣସି ନିର୍ଦ୍ଦେଶର ଅନୁପାଳନ କରୁନାହାନ୍ତି। ଯେନତେନ ପ୍ରକାର କାମ କରି ଠିକାଦାର ଓ ଯନ୍ତ୍ରୀ ସମଗ୍ର ଅର୍ଥରାଶି ମିଳିମିଶି ଲୁଟ୍‌ କରିବାକୁ ମସୁଧା କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ନିର୍ମାଣସ୍ଥଳୀ ପରିଭ୍ରମଣ କିମ୍ବା ଆବଶ୍ୟକ ଭିତ୍ତିଭୂମି ତଦାରଖ ନ କରି ଶୀତତାପ ନିୟନ୍ତ୍ରିତ ରୁମ୍‌ରେ ବସି ଯନ୍ତ୍ରୀମାନେ ପ୍ରୋଜେକ୍ଟ ପ୍ଲାନିଂ ଓ ଫାଇନାଲ ରିପୋର୍ଟ ପ୍ରସ୍ତୁତ କରି ଠିକାଦାରଙ୍କ ସହ ଏଗ୍ରିମେଣ୍ଟ କରୁଥିବା କାରଣରୁ ଅଧିକାଂଶ ପ୍ରୋଜେକ୍ଟରେ ଟାଙ୍କି ନିର୍ମାଣ ପରେ ମଧ୍ୟ ପାଣି ମିଳୁନାହିଁ। ଫଳରେ ସରକାରଙ୍କ ଏହି ଜନକଲ୍ୟାଣକାରୀ ଯୋଜନା ଅନେକ ଗ୍ରାମରେ ଫେଲ୍‌ ମାରୁଥିବା ସାମ୍ନାକୁ ଆସୁଛି। ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗର କେତେଜଣ ଅଧିକାରୀଙ୍କ ପାଇଁ ରାଜ୍ୟ ରାଜକୋଷରୁ ବିପୁଳ ଟଙ୍କା ପାଣିରେ ପଡୁଥିବାବେଳେ ସରକାରଙ୍କ ପ୍ରଚାର ଓ ବାସ୍ତବତା ମଧ୍ୟରେ ଆକାଶ ପାତାଳର ଫରକ ଦେଖାଯାଉଛି। ତେଣୁ ଜିଲାରେ ପୂର୍ବରୁ ଓ ଏବେ ଦାୟିତ୍ୱରେ ଥିବା ଯନ୍ତ୍ରୀ ଏବଂ ଅଧିକାରୀଙ୍କ ଆୟବହିର୍ଭୂତ ସମ୍ପତ୍ତି ଉପରେ ଭିଜିଲାନ୍ସ ତଦନ୍ତ କରାଗଲେ ବାସ୍ତବ ସତ୍ୟ ଲୋକଲୋଚନକୁ ଆସିପାରନ୍ତା ବୋଲି ମତପ୍ରକାଶ ପାଇଛି। ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ସୁଧାକର ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି, ଏହି ଟାଙ୍କିର ବିଲ୍‌ ପୂର୍ବରୁ ପ୍ରେରିତ ହୋଇଛି। ଆସନ୍ତା ୧ ସପ୍ତାହ ମଧ୍ୟରେ ଏହା କାର୍ଯ୍ୟକାରୀ ହେବ। ତେବେ ଦେଖିବାକୁ ଅପେକ୍ଷା କେବେ ଏହା କାର୍ଯ୍ୟକାରୀ ହେଉଛି।