ନିର୍ମାଣ ପରେ ବି କାର୍ଯ୍ୟକ୍ଷମ ହେଉନି ଥାନା

ନିମାପଡ଼ା,୩।୩(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ଗୃହ ବିଭାଗର ପ୍ରାୟ ୧ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ନିମାପଡ଼ାଠାରେ ବହୁ ପ୍ରତୀକ୍ଷିତ ନବନିର୍ମିତ ନିମାପଡ଼ା ଥାନାର ନୂତନ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ମାସେ ହେବ ସରିଛି। ପୋଲିସ ହାଉସିଂବୋର୍ଡ ଏହି ନବନିର୍ମିତ ଥାନା ନିର୍ମାଣ ସମାପନ କରି ନିମାପଡ଼ା ଥାନା ଅଧିକାରୀଙ୍କୁ ହସ୍ତାନ୍ତର କରିଛିି। ହେଲେ ଥାନାକୁ ଏହି ନୂତନ ବିଲ୍ଡିଂ ପ୍ରାୟ ୪ ମାସ ହେବ ହସ୍ତାନ୍ତର ହୋଇଥିଲେ ମଧ୍ୟ ଅଦ୍ୟାବଧି ଏହାର ଉଦ୍‌ଘାଟ, ଲୋକାର୍ପିତ ହୋଇପାରି ନ ଥିବାରୁ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ନୂତନ ଥାନା ଉଦ୍‌ଘାଟିତ ହୋଇପାରି ନ ଥିବାରୁ ଏବେ ବ୍ରିଟିଶ ଅମଳର ଏହି ବହୁ ପୁରାତନ ନିମାପଡ଼ା ଥାନାଟି ରୁଗ୍‌ଣ, ଜରାଜୀର୍ଣ୍ଣ ଆଜବେଷ୍ଟସ ଘରେ କାର୍ଯ୍ୟ କରୁଛି। ଆୟତନ, ଜନସଂଖ୍ୟା, ପରିସୀମା, ଭୌଗୋଳିକ ସ୍ଥିତି ଦୃଷ୍ଟିରୁ ନିମାପଡ଼ା ଥାନାଟି ପୁରୀ ଜିଲାର ଏକ ସୁଦୀର୍ଘ ଥାନା ଭାବେ ବେଶ୍‌ ଜଣାଶୁଣା। ନବନିର୍ମିତ ଥାନାର ନିର୍ମାଣ କାର୍ଯ୍ୟ ସରିଥିବାବେଳେ ପୁରୁଣା, ରୁଗ୍‌ଣ, ଅତି ସଂକୀର୍ଣ୍ଣ ଗୃହରେ ଚାଲିଥିବା ନିମାପଡ଼ା ଥାନା ନୂତନ ଥାନା ବିଲ୍ଡିଂକୁ ସ୍ଥାନାନ୍ତର ହୋଇପାରି ନ ଥିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ବହୁ ବୁଦ୍ଧିଜୀବୀ, ରାଜନେତା, ସାମାଜିକ କର୍ମୀ, ସ୍ଥାନୀୟ ବହୁ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି। ଏହା କେବେ ଉଦ୍‌ଘାଟନ ଓ ଲୋକାର୍ପିତ ହୋଇ ଲୋକଙ୍କ ସେବାରେ ଲାଗିବ ତାହା ସ୍ପଷ୍ଟ ଭାବେ ଜଣାପଡୁନାହିଁ।
ଏ ସମ୍ପର୍କରେ ଏସ୍‌ଡିପିଓ ଦେବାଶିଷ ମିଶ୍ରଙ୍କୁ ପଚାରିବାରେ, ଖୁବ୍‌ଶୀଘ୍ର ନିମାପଡ଼ାର ନବନିର୍ମିତ ଥାନା ଉଦ୍‌ଘାଟିତ ହୋଇ ଲୋକାର୍ପିତ ହେବ ବୋଲି କହିଛନ୍ତି। ଏନେଇ ସ୍ଥାନୀୟ ବିଧାୟକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ପଚାରିବାରେ, ଖୁବ୍‌ଶୀଘ୍ର ନବନିର୍ମିତ ନିମାପଡ଼ା ଥାନାର ନୂଆ ବିଲ୍ଡିଂ ଉଦ୍‌ଘାଟିତ ହୋଇ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି। ଯଥାଶୀଘ୍ର ନବନିର୍ମିତ ଥାନାକୁ ଲୋକାର୍ପିତ କରାଯାଇ କାର୍ଯ୍ୟକ୍ଷମ କରାଯିବାକୁ ସ୍ଥାନୀୟ ଅଞ୍ଚଳବାସୀ ପୋଲିସ ଡିଜି, ଡିଆଇଜି, ପୁରୀ ଏସ୍‌ପି, ଗୃହମନ୍ତ୍ରୀ, ଗଣଶିକ୍ଷାମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।