Categories: ଜାତୀୟ

ପୋଲିସ ଅଟକ ରଖି ଛାଡିବା ପରେ ବି ଥାନା ଛାଡି ଯିବାକୁ ନା ରାଜ ଟିଏମସି ନେତା

କୋଲକାତା,୯।୪: ଲୋକ ସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ବାହାରେ ଟିଏମସି ନେତାଙ୍କ ପ୍ରଦର୍ଶନ ଜାରି ରହିଛି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ), ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ), ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଏବଂ ଆୟକର ବିଭାଗ ଆଦିର ମୁଖ୍ୟଙ୍କ ବଦଳି ଦାବିରେ ସୋମବାର ଦିଲ୍ଲୀର ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ବାହାରେ ବସିଥିବା ଟିଏମସି ନେତାଙ୍କୁ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ କରାଯାଇଥିଲା। ତେବେ କିଛି ସମୟ ପରେ ପୋଲିସ ତାଙ୍କୁ ମୁକ୍ତ କରିଥିଲା, କିନ୍ତୁ ଟିଏମସି ନେତା ପୋଲିସ ଷ୍ଟେଶନରୁ ବାହାରକୁ ଯିବାକୁ ରାଜି ହୋଇନଥିଲେ। ମଙ୍ଗଳବାର ମଧ୍ୟ ଟିଏମସି ପ୍ରତିନିଧି ପୋଲିସ ଷ୍ଟେଶନରେ ରହିଥିଲେ।

ବର୍ତ୍ତମାନ ଟିଏମସି ନେତାମାନେ ମନ୍ଦିର ମାର୍ଗ ପୋଲିସ ଷ୍ଟେଶନ ଭିତରେ ରହିଛନ୍ତି। ଦିଲ୍ଲୀ ପୋଲିସର ଏସିପି ର଼୍ୟାଙ୍କର ଅଧିକାରୀ ଟିଏମସି ନେତାମାନଙ୍କୁ ସେହି ସ୍ଥାନରୁ ଦୂରେଇ ଯିବାକୁ କହୁଛନ୍ତି କିନ୍ତୁ ସେମାନେ ଏପର୍ଯ୍ୟନ୍ତ ସେ ସ୍ଥାନ ଛାଡି ନାହାଁନ୍ତି।
ଗିରଫ ହେବାର କିଛି ଘଣ୍ଟା ପରେ ସୋମବାର ଦଳର ନେତାମାନେ କହିଥିଲେ ଯେ ସେମାନେ ମନ୍ଦିର ମାର୍ଗ ପୋଲିସ ଷ୍ଟେଶନରେ ନିଜର ବିରୋଧ ଜାରି ରଖିବେ। ଅନ୍ୟପକ୍ଷରେ କୋଲକାତାରେ ବରିଷ୍ଠ ତ୍ରୁଣମୂଳ କଂଗ୍ରେସ (ଟିଏମସି) ନେତା ଅଭିଷେକ ବାନାର୍ଜୀ ସାରେ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି.ଆନନ୍ଦ ବୋଷଙ୍କ ନିକଟକୁ ଯାଇ ଦିଲ୍ଲୀ ପୋଲିସ ପକ୍ଷରୁ ଦଳର ନେତାଙ୍କ ଗିରଫଦାରୀ ସମ୍ପର୍କରେ ଅଭିଯୋଗ ଆଣିଥିଲେ। ଟିଏମସି ସୂତ୍ର ଅନୁଯାୟୀ ଅଭିଷେକ ବାନାର୍ଜୀଙ୍କ ନେତୃତ୍ୱରେ ଏକ ୧୧ ଜଣିଆ ପ୍ରତିନିଧି ଦଳ ରାତି ପ୍ରାୟ ୯ଟା ସମୟରେ ରାଜ୍ୟପାଳଙ୍କ ବାସଭବନକୁ ଯାଇଥିଲେ। ଅଭିଷେକ ବାନାର୍ଜୀ କହିଛନ୍ତି ଯେ ଏହା ହେଉଛି ଗଣତନ୍ତ୍ରର ହତ୍ୟା। ସେ ଦିଲ୍ଲୀ ପୋଲିସର କାର୍ଯ୍ୟକୁ ସମାଲୋଚନା କରିଛନ୍ତି।

Share