ସ୍ବାଧୀନତାର ୭ ଦଶନ୍ଧି ପରେ ବି ପରାଧୀନ

ଭବାନୀପାଟଣା,୨୦।୨(ସ୍ବ.ପ୍ର.): ଦେଶ ସ୍ବାଧୀନତା ପୂର୍ବରୁ ଛୁଆଁଅଛୁଆଁ ଭେଦଭାବ ରହିଥିଲା। ସେହି ସମୟରେ ଆଦିବାସୀଙ୍କୁ ଏକ ଭିନ୍ନ ଚକ୍ଷୁରେ ଦେଖାଯାଉଥିଲା। ଆଦିବାସୀଙ୍କୁ ଘୃଣା କରିବା ସହ ନିର୍ଯାତନା ମଧ୍ୟ ଦେଉଥିଲେ। ସେହି ସମୟରେ ଅକଥନୀୟ ନିର୍ଯାତନା ସହି ନ ପାରି ସରଳି ଆଦିବାସୀମାନେ ଜଙ୍ଗଲ ମଧ୍ୟକୁ ଚାଲିଆସି ସେଠାରେ ବାସ କରୁଥିଲେ। ଜଙ୍ଗଲଜାତ ଦ୍ରବ୍ୟ ଖାଉଥିଲେ ଓ ଝରଣା ପାଣି ପିଉଥିଲେ। ଦେଶ ସ୍ବାଧୀନ ହୋଇ ୭୫ ବର୍ଷ ହେଲେ ଆଜି ବି ଆଦିବାସୀମାନେ ଜଙ୍ଗଲରେ ପରାଧୀନ ଜୀବନ ଅତିବାହିତ କରୁଛନ୍ତି। ଏମାନଙ୍କ ପାଇଁ ସରକାରୀ ଯୋଜନା ସବୁ ଫେଲ ମାରିଛି। କେବଳ ନିର୍ବାଚନ ସମୟରେ ମାଳମାଳ ରାଜନେତା ଯାଇ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନ ପରେ ଆଦିବାସୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଆନ୍ତି। କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦେଦର ପଞ୍ଚାୟତ ବଣପାହାଡ଼ ଘେରାରେ ରହିଛି କୁସୁମବରା ଗାଁ। ଏହି ଗାଁ କେଉଁ ଆବାହମାନ କାଳରୁ ଥିବାବେଳେ ଏହା ସରକାରଙ୍କ ରାଜସ୍ବ ଗ୍ରାମ ମାନ୍ୟତା ମିଳିଛି। ଏହି ଗାଁରେ ୨୦ଟି ଆଦିବାସୀ ପରିବାର ବସ କରୁଛନ୍ତି। ଏହି ଆସିବାସୀମାନେ ଶାନ୍ତସ୍ବଭାବର ହୋଇଥିବା ବେଳେ ଏମାନେ ସବୁ ବେଳେ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି। ଜଙ୍ଗଲ କାଠକୁ ପୋଡି କୋଇଲା ପ୍ରସ୍ତୁତ କରି ସେହି କୋଇଲାକୁ ବିକ୍ରି କରି ଏମାନେ ପରିବାର ପ୍ରତିପୋଷଣ କରିଥାନ୍ତି। ଗାଁରେ ଫେଲ ମାରିଛି ଆବାସ ଯୋଜନା। ଗାଁର ଆଦିବାସୀମାନଙ୍କ ମଧ୍ୟରୁ କାହାକୁ କିଛି ମଧ୍ୟ ଆବାସ ଯୋଜନାରେ ସାମିଲ କରାଯାଇନାହିଁ। ଫଳରେ ଏମାନେ ଏବେବି ଚାଳ ଘରେ ବସବାସ କରୁଛନ୍ତି। କୁସୁମବରା ଗ୍ରାମର ଆଦିବାସୀମାନଙ୍କ ପାଇଁ ରାସ୍ତା ଟିଏ ନାହିଁ। ଏମାନେ ଜଙ୍ଗଲରେ ପାଦଚଲା ରାସ୍ତାରେ ଯିବାଆସିବା କରିଥାନ୍ତି। ରାସ୍ତା ନ ଥିବା ଯୋଗୁ ଗର୍ଭବତୀ କିମ୍ବା ପ୍ରସୂତି ଅବା ଅନ୍ୟ କୌଣସି ରୋଗାଗ୍ରସ୍ତ ଲୋକଙ୍କୁ ଡାକ୍ତରଖାନାକୁ ନେବାକୁ ହେଲେ ୫ କି.ମି. ଖଟିଆରେ ବୋହି ବୋଣ୍ଡୋଗୁଡା ଗାଁକୁ ନେଇଥାନ୍ତି। ସେଠାରୁ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ନିଅନ୍ତି। ଗାଁରେ ନେଟୱାର୍କ ନ ଥିବା ଯୋଗୁ ଯୋଗାଯୋଗ ହୋଇପାରେ ନାହିଁ। ସ୍ବାଧୀନତାର ୭ ଦଶନ୍ଧି ପରେ ଆଜି ବି ବିକାଶ ଅପହଞ୍ଚ ହୋଇଥିବା ବେଳେ କେବେ ଏହି ଦୁର୍ଗମ କୁସୁମବରା ଗାଁ ବିକାଶର ଶିଖର ପହଞ୍ଚତ୍ବ, କେବେ ଏହି ଗାଁକୁ ଗମନାଗମନ ପାଇଁ ରାସ୍ତା, ସ୍ବଚ୍ଛ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ମିଳିବ ତାହା ଦେଖବାକୁ ବାକି ରହିଲା।