ଲୋଇସିଂହା,୨୍୭।୧୧(ସୁଶାନ୍ତ ବାରିକ):ମହିଳାଙ୍କ ସ୍ବଚ୍ଛତା, ସୁରକ୍ଷା ଓ ସମ୍ମାନ ନେଇ ସରକାର ବିଭିନ୍ନ ଯୋଜନା ଓ ସଚେତନତା କାର୍ଯ୍ୟକ୍ରମ ଚଳାଇଛନ୍ତି। ଏପରିକି ମହିଳା ଓ କିଶୋରୀମାନଙ୍କୁ ସ୍ବଚ୍ଛତା ସମ୍ପର୍କରେ ସଚେତନ କରିବା ଦାୟିତ୍ୱ ଅଙ୍ଗନୱାଡ଼ି କର୍ମୀଙ୍କ ଉପରେ ନ୍ୟସ୍ତ ରହିଛି। ହେଲେ ଖୋଦ ବ୍ଲକ କାର୍ଯ୍ୟାଳୟ ପରିସରରେ ସେମାନଙ୍କ ପାଇଁ ଗୋଷ୍ଠୀ ଶୌଚାଳୟଟିଏ ନ ଥିବାରୁ କର୍ମୀମାନେ ଅନେକ ସମୟରେ ଅସୁବିଧାରେ ପଡ଼ୁଛନ୍ତି। ଦୀର୍ଘ ବର୍ଷର ଏହି ସମସ୍ୟାକୁ ନେଇ ଅଙ୍ଗନୱାଡ଼ି କର୍ମୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ପରିସରରେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ (ଆଇସିଡିଏସ) କାର୍ଯ୍ୟାଳୟ ରହିଛି। ଏହି କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀମାନେ ବିଭିନ୍ନ ସରକାରୀ କାର୍ଯ୍ୟ, ବୈଠକ ଓ ତାଲିମ ପାଇଁ ନିୟମିତ ଅଫିସକୁ ଆସିଥାନ୍ତି। ଲୋଇସିଂହା ପଞ୍ଚାୟତ ସମିତି ୨୦ଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ବେଳେ ୧୯୯୨ ମସିହାରୁ ଏଠାରେ ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ କାର୍ଯ୍ୟ କରୁଛି। ବର୍ତ୍ତମାନ ଏହି ପ୍ରକଳ୍ପ ଅଧୀନରେ ୧୮୮ଟି ଅଙ୍ଗନୱାଡ଼ି କେନ୍ଦ୍ର ରହିଛି। ପ୍ରତ୍ୟେକ କେନ୍ଦ୍ରରେ ଜଣେ ଲେଖାଏଁ କର୍ମୀ ଓ ସହାୟିକା କାର୍ଯ୍ୟ କରୁଛନ୍ତି।ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ନିମନ୍ତେ ସିଡିପିଓ କାର୍ଯ୍ୟାଳୟ ଏବଂ ବ୍ଲକ ପ୍ରଶାସନ ପକ୍ଷରୁ କର୍ମୀମାନଙ୍କୁ ଡାକି ବିଭାଗୀୟ ସଭାଗୃହରେ ନିୟମିତ ବୈଠକ ଓ ତାଲିମ ପ୍ରଦାନ କରାଯାଇଥାଏ। ଏଥିପାଇଁ ଦୂରଦୂରାନ୍ତରୁ ମହିଳା କର୍ମୀମାନେ ବ୍ଲକ କାର୍ଯ୍ୟାଳୟକୁ ଆସୁଥିଲେ ମଧ୍ୟ ସେମାନଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା ନାହିଁ। ଫଳରେ ଦୀର୍ଘ ବର୍ଷ ଧରି ସେମାନେ ଶୌଚ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି। ଏପରିକି ବାଧ୍ୟ ହୋଇ ଖୋଲାମେଲା ସ୍ଥାନକୁ ଯିବାକୁ ପଡ଼ୁଥିବା କର୍ମୀମାନେ ଦୁଃଖର ସହ ପ୍ରକାଶ କରିଛନ୍ତି।
ଏହି ସମସ୍ୟା ସମ୍ପର୍କରେ ସିଡିପିଓ, ବିଡିଓ ଓ ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିନାହିଁ। ଅପରପକ୍ଷେ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ମହିଳା କର୍ମୀଙ୍କ ପାଇଁ ଏକ ଶୌଚାଳୟ ନିର୍ମାଣ ହୋଇ ନ ପାରିବା ପରିତାପର ବିଷୟ ବୋଲି ସେମାନେ କହିଛନ୍ତି। ମହିଳା ଓ କିଶୋରୀମାନଙ୍କୁ ସ୍ବଚ୍ଛତାର ପାଠ ପଢ଼ାଉଥିବା ଅଙ୍ଗନୱାଡ଼ି କର୍ମୀମାନେ ଖୋଦ ବ୍ଲକ କାର୍ଯ୍ୟାଳୟରେ ଏଭଳି ଅବ୍ୟବସ୍ଥାର ଶିକାର ହେବା ଘଟଣା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି। ତୁରନ୍ତ ସେମାନଙ୍କ ପାଇଁ ଏକ ଶୌଚାଳୟ ନିର୍ମାଣ କରିବାକୁ କର୍ମୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ସିଡିପିଓ ରଜନୀରାଣୀ ମେହେର କହନ୍ତି, ସମସ୍ୟା ସମ୍ପର୍କରେ ଅବଗତ ଅଛି। ଏନେଇ ବିଡ଼ିଓଙ୍କ ଦୃଷ୍ଟିକୁ ଆଣିଥିବା ସେ କହିଥିଲେ।