ରୁଷ ପାଇଁ ଆକାଶ ମାର୍ଗ ବନ୍ଦ କଲେ ୟୁରୋପ, କାନାଡା

ନୂଆଦିଲ୍ଲୀ,୨୭।୨: ରୁଷିଆ ବିମାନ ପାଇଁ ୟୁରୋପିୟ ଦେଶ ଓ କାନାଡା ତାଙ୍କର ଏୟାରସ୍ପେସ୍‌ ବନ୍ଦ କରି ଦେଇଛନ୍ତି। ୟୁକ୍ରେନ ଉପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସାମରିକ କାର୍ଯ୍ୟାନୁଷ୍ଠାନକୁ ରୋକିବା ଲାଗି ଏଭଳି ଅପ୍ରତ୍ୟାଶିତ ପଦକ୍ଷେପ ନିଆଯାଇଛି।

ରୁଷିଆକୁ ସେମାନଙ୍କ ଏୟାରସ୍ପେସ୍‌ ବ୍ୟବହାର ଉପରେ ବ୍ରିଟେନ ବ୍ୟାନ ଲଗାଇବା ପରେ ଜର୍ମାନୀ ଓ ଫ୍ରାନ୍ସ ମଧ୍ୟ ସମାନ ପଦକ୍ଷେପ ନେଇଛନ୍ତି। ୟୁକ୍ରେନ ଉପରେ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ପୁଟିନଙ୍କ ବିରୋଧରେ ଅର୍ଥନୈତିକ ଯୁଦ୍ଧ ଆରମ୍ଭ କରିଛନ୍ତି ନଟୋ ସହଯୋଗୀ ଦେଶମାନେ।

“ସମସ୍ତ ରୁଷିଆନ ବିମାନ ଓ ଏୟାରଲାଇନ୍ସ ପାଇଁ ଫ୍ରାନ୍ସ ରବିବାର ସନ୍ଧ୍ୟାଠାରୁ ଏହାର ଏୟାର ସ୍ପେସ୍‌ ବନ୍ଦ କରୁଛି” ବୋଲି ଫ୍ରେଞ୍ଚ ପରିବହନ ମନ୍ତ୍ରୀ ଜିନ ଜେବାରି ଏକ ଟୁଇଟ୍‌ରେ କହିଛନ୍ତି। କାନାଡା ସମେତ ନାର୍ଡିକ ଦେଶ ସ୍ବିଡେନ, ଫିନଲାଣ୍ଡ, ଡେନମାର୍କ ଓ ଆଇସ୍‌ ଲାଣ୍ଡ ମଧ୍ୟ ସମାନ ପ୍ରକାର ଘୋଷଣା କରିଛନ୍ତି। ଏଥିପୂର୍ବରୁ ବ୍ରିଟେନ, ପୋଲାଣ୍ଡ, ବୁଲଗେରିଆ, ଚେକ୍‌ ରିପବ୍ଲିକ, ରୋମାନିଆ ସେମାନଙ୍କ ଏୟାରସ୍ପେସ୍‌ ବନ୍ଦ କରିଥିଲେ।

Share