Categories: ବାଣିଜ୍ୟ

୨୦ ହଜାର କୋଟି ନିବେଶ କରିବ ଏଟିଜିଏଲ୍‌

ଭୁବନେଶ୍ୱର,୩୦।୬(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିଳ୍ପସଂସ୍ଥା ତଥା ଆଦାନୀ ଗ୍ରୁପ୍‌ର ଅନ୍ୟତମ ସଂସ୍ଥା ଆଦାନୀ ଟୋଟାଲ ଗ୍ୟାସ୍‌ ଲିମିଟେଡ୍‌ (ଏଟିଜିଏଲ୍‌) ଗ୍ୟାସ୍‌ ବ୍ୟବସାୟ କ୍ଷେତ୍ରରେ ପ୍ରାୟ ୨୦ ହଜାର କୋଟି ଟଙ୍କା ନିବେଶ କରିବ ବୋଲି ଆଦାନୀ ଗ୍ରୁପ୍‌ ପକ୍ଷରୁ କୁହାଯାଇଛି। ବିଶେଷକରି ଏଟିଜିଏଲ୍‌ ଆଗାମୀ ୧୦ବର୍ଷ ମଧ୍ୟରେ ୧୮ ରୁ ୨୦ ହଜାର କୋଟି ଟଙ୍କାର ନିବେଶ ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କରୁଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଗଣମାଧ୍ୟମର ଉକ୍ତ ରିପୋର୍ଟ ଅନୁଯାୟୀ, କମ୍ପାନୀର ଉକ୍ତ ନିବେଶ ଦ୍ବାରା ବଜାରରେ ସୁଧାର ଆସିବା ସହ ଗାଡ଼ିରେ ବ୍ୟବହାର ହେଉଥିବା ସିଏନ୍‌ଜିର ରିଟେଲ ବିକ୍ରି, ଘରୋଇ ଏବଂ ଶିଳ୍ପ ଉଦ୍ୟୋଗକୁ ପାଇପ୍‌ ଦ୍ବାରା ଗ୍ୟାସ୍‌ ପହଞ୍ଚାଇବା ଭିତ୍ତିଭୂମିକୁ ଆହୁରି ବିସ୍ତାର ହୋଇପାରିବ। ସେହିଭଳି ବର୍ତ୍ତମାନ ଏଟିଜିଏଲ୍‌ ଦେଶର ୧୨୪ ଜିଲାରେ ଗାଡ଼ି ପାଇଁ ସିଏନ୍‌ଜିର ରିଟେଲ ବିକ୍ରି ବ୍ୟତୀତ ପାଇପ୍‌ ଯୋଗେ ଘରୋଇ ରୋଷେଇ ଗ୍ୟାସ୍‌ ମଧ୍ୟ ଯୋଗାଉଛି। ସାରା ଭାରତରେ ଏଟିଜିଏଲ୍‌ର ୪୬୦ ସିଏନ୍‌ଜି ଷ୍ଟେଶନ ରହିଥିବା ବେଳେ ପାଇପ ଯୋଗେ ରୋଷେଇ ଗ୍ୟାସ୍‌ ମଧ୍ୟ ଲକ୍ଷାଧିକ ଗ୍ରାହକଙ୍କୁ ଯୋଗାଇଦେଉଛି। ତେବେ ନୂଆ ବାର୍ଷିକ ରିପୋର୍ଟ ଅନୁଯାୟୀ, କମ୍ପାନୀ ଅତିରିକ୍ତ ଭିତ୍ତିଭୂମି ନିର୍ମାଣ ଉପରେ ଆର୍ଥିକ ବର୍ଷ ୨୦୨୨-୨୩ ରେ ୧,୧୫୦ କୋଟି ଟଙ୍କାରୁ ଅଧିକ ନିବେଶ କରିଛି। ଏ ସମ୍ପର୍କରେ କମ୍ପାନୀର ସିଏଫ୍‌ଓ ପରାଗ ପାରିଖ କହିଛନ୍ତ, କମ୍ପାନୀ ଦୀର୍ଘମିଆଦୀ ଗ୍ୟାସ୍‌ କାରବାର ସମ୍ଭାବନାକୁ ନେଇ ଆଶାବାଦୀ ରହିଛି। କମ୍ପାନୀ ଭିତ୍ତିଭୂମିର ନିର୍ମାଣ ଏବଂ ନେଟ୍‌ଓ୍ବର୍କ ବିସ୍ତାରରେ ଅଧିକ ନିବେଶ କରିବା ଉପରେ ଯୋଜନା କରୁଛି। କମ୍ପାନୀ ଏହାର ସହରୀ ଗ୍ୟାସ୍‌ ବିତରଣ କାରବାରକୁ ଆଗାମୀ ୮ରୁ ୧୦ ବର୍ଷରେ ଭିତ୍ତିଭୂମି ନିର୍ମାଣ ପାଇଁ ପ୍ରାୟ ୧୮ ହଜାର- ୨୦ ହଜାର କୋଟି ଟଙ୍କାର ନିବେଶ କରିବାକୁ ଲକ୍ଷ୍ୟ ରଖିଛି। ଏହା ଗ୍ରାହକଙ୍କ ଆଧାରକୁ ବ୍ୟାପକ କରିବା ଏବଂ ରାଜସ୍ବ ବୃଦ୍ଧି କରିବାରେ ସହାୟକ ହେବ। ସେହିପରି କମ୍ପାନୀର ଲାଇସେନ୍ସପ୍ରାପ୍ତ ଅଞ୍ଚଳରେ ଷ୍ଟିଲ୍‌ ପାଇପଲାଇନକୁ ବିକଶିତ କରିବା ଏବଂ ସିଏନ୍‌ଜି ଷ୍ଟେଶନକୁ ବଢ଼ାଇବାର ଉଦ୍ଦେଶ୍ୟ ରହିଛି ବୋଲି ଏଟିଜିଏଲ୍‌ ସିଇଓ ସୁରେଶ ମଙ୍ଗଲାନୀ ଅବଗତ କରାଇଛନ୍ତି। ଅପରପକ୍ଷରେ କମ୍ପାନୀ ଆଗାମୀ ୧୦ବର୍ଷରେ ୧୮୦୦ରୁ ଅଧିକ ସିଏନ୍‌ଜି ଷ୍ଟେଶନ ତିଆରି କରିବାକୁ ଯାଉଛି। ଏହାଦ୍ବାରା ଅଧିକରୁ ଅଧିକ ଗ୍ରାହକଙ୍କ ପର୍ଯ୍ୟନ୍ତ ସିଏନ୍‌ଜି ଗ୍ୟାସ୍‌ ଉପଲବ୍ଧ କରାଯାଇପାରିବ ବୋଲି କମ୍ପାନୀ ଆକଳନ କରିଛି।

Share