Categories: ଜାତୀୟ

ଏଟାରେ ଏଡସ୍ ବାଣ୍ଟୁଛନ୍ତି ସ୍ୱାସ୍ଥ୍ୟକର୍ମୀ!

ଲକ୍ଷ୍ନୌ,୫ ।୩: ଉତ୍ତର ପ୍ରଦେଶର ଏଟା ମେଡିକାଲ କଲେଜରେ ଏଚଆଇଭିରେ ସଂକ୍ରମିତ ପିଲାମାନଙ୍କୁ ଯେଉଁ ସିରିଞ୍ଜରେ ଇଞ୍ଜେକଶନ ଦିଆଯାଉଛି, ପରେ ସେହି ସିରିଞ୍ଜରେ ସୁସ୍ଥ ପିଲାଙ୍କୁ ଇଞ୍ଜେକଶନ ଦିଆଯାଉଥିବା ଭଳି ଗରୁତର ଅଭିଯୋଗ ସାମ୍ନାକୁ ଆସିଛି । ଏଟାର ଜିଲା ଅଧିକାରୀ ଅଙ୍କିତ କୁମାର ଅଗ୍ରୱାଲଙ୍କ ନିକଟରେ ଏହି ଅଭିଯୋଗ କରାଯାଇଛି । ଏହାପରେ ଜିଲା ଅଧିକାରୀ ଏଟା ମେଡିକାଲ କଲେଜ ପ୍ରଶାସନକୁ ଏହାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି, ଏହି ଗୁରୁତର ଅଭିଯୋଗ ଆସିବା ପରେ ଏଟା ମେଡିକାଲ କଲେଜରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ଏହି ଅଭିଯୋଗ ଆଣିଛନ୍ତି ଜନପଦ ମୁଖ୍ୟାଳୟରେ ରହୁଥିବା ମହିଳା ମିନାକ୍ଷି ଭରଦ୍ୱାଜ । ତାଙ୍କର ୭ ବର୍ଷର ଝିଅ ୨୦ ଫେବୃୟାରୀରୁ ଏହି ମେଡିକାଲ କଲେଜରେ ଭର୍ତ୍ତି ହୋଇଛି । ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ସେଠାରେ ଗୋଟିଏ ସିରିଞ୍ଜରେ ସବୁ ପିଲାମାନଙ୍କୁ ଇଞ୍ଜେକଶନ ଦିଆଯାଉଛି । ସେ ଏହାର ବିରୋଧ କରିବାରୁ ନର୍ସ କହିଛନ୍ତି ଆମେ ସିରିଞ୍ଜକୁ ଡିଷ୍ଟିଲ ୱାଟରରେ ସଫା କରୁଛୁ । ତେଣୁ ଆପଣ ଭୟଭୀତ ହେବାର କୌଣସି କାରଣ ନାହିଁ । ଏମିତି ଅଭିଯୋଗ ଆଉ ଜଣେ ମହିଳା ରୀତା ବି ଆଣିଛନ୍ତି । ତାଙ୍କର ୫ ମାସ ପୁଅ ୨୮ ଫେବୃୟାରୀ ୨୦୨୩ରୁ ଏହି ମେଡିକାଲ କଲେଜରେ ଭର୍ତ୍ତି ହୋଇଛି । ଏବେ ସେ ଚିନ୍ତିତ ଯେ ତାଙ୍କ ୫ ମାସର ଶିଶୁପୁତ୍ର ଏଚଆଇଭିରେ ସଂକ୍ରମିତ ହୋଇ ଯାଇନାହିଁତ । ଏମିତି ଅଭିଯୋଗ ଆହୁରି କେତେଜଣ ରୋଗି ବି ଆଣିଛନ୍ତି । ତେବେ ମେଡିକାଲ କଲେଜରେ ଥିବା ଏଚଆଇଭି ସଂକ୍ରମିତଙ୍କୁ ଇତିମଧ୍ୟରେ ଡିସଚାର୍ଜ କରି ଦିଆଯାଇଛି ।

Share