ନୂଆଦିଲ୍ଲୀ, ୭ା୩ : ସୋମବାର ସପ୍ତମ ପର୍ଯ୍ୟାୟ ଉତ୍ତର ପ୍ରଦେଶ ନିର୍ବାଚନ ଶେଷ ହେବା ପରେ ଭାରତରେ ତୈଳ ଓ ଗ୍ୟାସ୍ ଦର ବୃଦ୍ଧି ପାଇବ। ତଦନୁସାରେ ପରିବହନଜନିତ ଖର୍ଚ୍ଚ ଏବଂ ମୁଦ୍ରାସ୍ଫୀତି ମଧ୍ୟ ବଢ଼ିବ। ଫଳରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକ ଆହୁରି ମହଙ୍ଗା ହେବ। ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବାରେ ଲାଗିଥିବାରୁ ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍ଆଇଆଇ)ମାନେ ଭାରତୀୟ ପୁଞ୍ଜି ବଜାରରୁ ଓହରିବାରେ ଲାଗିଛନ୍ତି। ଫଳରେ ସେନ୍ସେକ୍ସ ଓ ନିଫ୍ଟି ସୂଚକାଙ୍କ କ୍ରମାଗତ ଭାବେ ଧରାଶାୟୀ ହେବାରେ ଲାଗିଛି। ରବିବାର ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ୭୬.୩୭ ଟଙ୍କା ଥିବାବେଳେ ୟୁରୋ ତୁଳନାରେ ଏହା ୮୩.୪୮ ଟଙ୍କା ରହିଛି। ସୋମବାରଠାରୁ ଏହି ମୂଲ୍ୟ ଆହୁରି ତଳକୁ ଖସିବା ଆଶଙ୍କା କରାଯାଉଛି। ଭାରତ ରୁଷିଆଠାରୁ ୨୦୨୧ରେ ୪୩,୪୦୦ ବିପିଡି (ବ୍ୟାରେଲ ପର୍ ଡେ) ଆମଦାନୀ କରିଛି, ଯାହାକି ମୋଟ ଆମଦାନୀର ୧%। ସେହିପରି ଗତବର୍ଷ ୧.୮ ନିୟୁତ ଟନ୍ କୋଇଲା ମଧ୍ୟ ଭାରତ ରୁଷିଆରୁ ଆମଦାନୀ କରିଥିଲା। ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ରୁଷିଆରୁ ଭାରତ ୦.୨% ଆମଦାନୀ କରିଥାଏ। ରୁଷିଆର ସରକାରୀ କମ୍ପାନୀ ଗାଜ୍ପ୍ରୋମ୍ ସହ ଗେଲ୍ ଇଣ୍ଡିଆ ୨୦ ବର୍ଷ ପାଇଁ ଚୁକ୍ତିବଦ୍ଧ ହୋଇଛି। ଉକ୍ତ ଚୁକ୍ତି ଅନୁସାରେ୨୦୧୮ରୁ ରୁଷିଆଠାରୁ ବାର୍ଷିକ ୨.୫ ନିୟୁତ ଟନ୍ ଲିକ୍ୱିଫାଏଡ୍ ନାଚୁରାଲ ଗ୍ୟାସ୍ (ଏଲ୍ଏନ୍ଜି) ଭାରତକୁ ଆସୁଛି। ଯୁଦ୍ଧ ପରିପ୍ରେକ୍ଷୀରେ କୃଷ୍ଣ ସାଗରରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଥିବାରୁ ଆମଦାନୀ ଉପରେ ପ୍ରଭାବ ପଡ଼ିବ। ଯୁଦ୍ଧ ଆରମ୍ଭରୁ ଭାରତରେ ଖାଇବା ତେଲ, ଡାଲି ଓ ଅନ୍ୟ ଜରୁରୀ ସାମଗ୍ରୀ ଦରଦାମ୍ ବଢ଼ିଥିବାବେଳେ ଆଗକୁ ସ୍ଥିତି ଆହୁରି ଜଟିଳ ହେବା ଆଶଙ୍କା କରାଯାଉଛି।


