୨୦୨୩ ଜାନୁୟାରୀ ସୁଦ୍ଧା ବାଲେଶ୍ୱରରେ ଖୋଲିବ ଇଏସ୍‌ଆଇ ଡାକ୍ତରଖାନା

ବାଲେଶ୍ୱର ଅଫିସ, ୧୯।୧୦: ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଙ୍ଗଳବାର କେନ୍ଦ୍ର ଶ୍ରମନିଯୁକ୍ତି, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପିନ୍ଦର ଯାଦବଙ୍କୁ ଭେଟି ୩ଟି ପତ୍ର ମାଧ୍ୟମରେ ୩ଟି ସମସ୍ୟା ନେଇ ଦାବି ଉତ୍‌ଥାପନ କରିଛନ୍ତି। ପୁରାତନ ଦାବି ଅନୁସାରେ ବାଲେଶ୍ୱରରେ ଇଏସ୍‌ଆଇ ଡାକ୍ତରଖାନା ନିର୍ମାଣ କରି କଳକାରଖାନାର ଶ୍ରମିକମାନଙ୍କ ସୁବିଧା ପାଇଁ ଅନୁରୋଧ କରିଥିଲେ। ଆସନ୍ତା ୨୦୨୩ ଜାନୁୟାରୀ ସୁଦ୍ଧା ଏହାର ଶୁଭାରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
ସେହିପରି ବାଲେଶ୍ୱରର ବନ, ଅରଣ୍ୟ, ପାହାଡ଼, ପର୍ବତ, ନଦୀ ଓ ସମୁଦ୍ର ପରିବ୍ୟାପ୍ତ ବ୍ୟାପକ ଜୈବ ବିବଧତାର ସଂରକ୍ଷଣ ଓ ସମ୍ବର୍ଦ୍ଧନା ପାଇଁ ଏକ ଅନୁସନ୍ଧାନ କରି ସଂସ୍ଥା ଗଠନ କରି ଏ ଦିଗରେ ପଦେକ୍ଷପ ନେବା ପାଇଁ ଏମ୍‌ପିଙ୍କ ପ୍ରସ୍ତାବକୁ କେନ୍ଦ୍ରମନ୍ତ୍ରୀ ସ୍ବୀକୃତି ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ବାଲେଶ୍ୱରର ଗରିବ ଶ୍ରମିକ ଯେଉଁମାନେ ଅସ୍ବାସ୍ଥ୍ୟକର ପରିସ୍ଥିତିରେ ବାହାରେ କାମ କରୁଛନ୍ତି, ସେମାନଙ୍କ ଏକ ପୂର୍ଣ୍ଣ ତଥ୍ୟ ସମ୍ବଳିତ ଡିଜିଟାଲ ସୂଚୀ ପ୍ରସ୍ତୁତ କରିବା ସହିତ ସେମାନଙ୍କ ପିଲାମାନଙ୍କ ପପାଇଁ ଏକ ଛାତ୍ରାବାସ ନିର୍ମାଣ ପାଇଁ ଅନୁରୋଧ କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କର ସକାରାତ୍ମକ ପ୍ରତିକିୟା ଏମ୍‌ପିଙ୍କୁ ଉତ୍ସାହିତ କରିଛି, ଏଥିପାଇଁ ଏମ୍‌ପି ଷଡ଼ଙ୍ଗୀ ମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।