IPL 2026 ଛାଡ଼ି ରାତାରାତି ଫେରିଗଲେ ପର୍ପଲ କ୍ୟାପ୍‌ ଖେଳାଳି, ଏହି ଟିମ୍‌ର ୩ ଖେଳାଳି ହଠାତ୍‌…

ନୂଆଦିଲ୍ଲୀ,୩୦।୪: ଆଇପିଏଲ୍‌ ୨୦୨୬ ସିଜନ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି। ଅଧାରୁ ଅଧିକ ମ୍ୟାଚ ଶେଷ ହୋଇଥିବା ବେଳେ ଖେଳାଳିଙ୍କ ଆହତ ସମସ୍ୟା ଟିମ୍‌ଗୁଡ଼ିକ ପାଇଁ ଚିନ୍ତାର କାରଣ ସାଜିଛି। ଏହାରି ମଧ୍ୟରେ ସନରାଇଜର୍ସ ହାଇଦ୍ରାବାଦର ତିନିଜଣ ପ୍ରମୁଖ ଖେଳାଳି ହଠାତ ନିଜ ଦେଶ ଶ୍ରୀଲଙ୍କା ଫେରିଯାଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ଏହି ଖେଳାଳିଙ୍କ ମଧ୍ୟରେ ଚଳିତ ସିଜନର ସର୍ବାଧିକ ଉଇକେଟ ହାସଲକାରୀ ତଥା ‘ପର୍ପଲ କ୍ୟାପ୍‌’ ବିଜେତା ବୋଲର ମଧ୍ୟ ସାମିଲ ଅଛନ୍ତି। ରିପୋର୍ଟ ଅନୁସାରେ, ହାଇଦ୍ରାବାଦର ତାରକା ବୋଲର ଈଶାନ ମଲିଙ୍ଗା, ଦିଲଶାନ ମଧୁଶଙ୍କା ଏବଂ କାମିଣ୍ଡୁ ମେଣ୍ଡିସ ହଠାତ ଶ୍ରୀଲଙ୍କା ଫେରିଛନ୍ତି। ସୌଭାଗ୍ୟବଶତଃ, ଏହି ଖେଳାଳିମାନେ କୌଣସି ଆହତ ସମସ୍ୟା ପାଇଁ ନୁହେଁ, ବରଂ କିଛି ଜରୁରୀ କାଗଜପତ୍ର କାମ ପାଇଁ ଦେଶକୁ ଫେରିଛନ୍ତି।
ଆଇପିଏଲ ପରେ ଶ୍ରୀଲଙ୍କା ଦଳ ୱେଷ୍ଟଇଣ୍ଡିଜ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଭିସା ସମ୍ବନ୍ଧୀୟ ବାୟୋମେଟ୍ରିକ ପ୍ରକ୍ରିୟା ଶେଷ କରିବାକୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏହି ଖେଳାଳିମାନଙ୍କୁ ନିର୍ଦ୍ଦେଶ ଦେଇଥିଲା। ଏହି ତିନି ଖେଳାଳି ଶୁକ୍ରବାର ଦିନ ପୁଣିଥରେ ସନରାଇଜର୍ସ ହାଇଦ୍ରାବାଦ ଶିବିରରେ ଯୋଗ ଦେବେ। ଆସନ୍ତା ରବିବାର (୩ ମଇ) ଦିନ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସେମାନେ ଦଳରେ ଉପଲବ୍ଧ ହେବେ।
ସନରାଇଜର୍ସ ପାଇଁ ଈଶାନ ମଲିଙ୍ଗାଙ୍କ ଉପସ୍ଥିତି ଅତ୍ୟନ୍ତ ଜରୁରୀ, କାରଣ ସେ ଚଳିତ ସିଜନରେ ଦମଦାର ଫର୍ମରେ ଅଛନ୍ତି। ମଲିଙ୍ଗା ଏପର୍ଯ୍ୟନ୍ତ ୧୫ଟି ଉଇକେଟ ନେଇ ପର୍ପଲ କ୍ୟାପ୍‌ ଦୌଡ଼ରେ ସବୁଠାରୁ ଆଗରେ ରହିଛନ୍ତି। ବୁଧବାର ରାତିରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ସେ ୪ ଓଭରରେ ମାତ୍ର ୨୯ ରନ ଦେଇ ୧ଟି ଉଇକେଟ ନେଇଥିଲେ। ଏହି ମ୍ୟାଚ୍‌ରେ ହାଇଦ୍ରାବାଦ ୨୪୪ ରନ୍‌ରଏକ ବିଶାଳ ଲକ୍ଷ୍ୟକୁ ସଫଳତାର ସହ ହାସଲ କରି ଐତିହାସିକ ବିଜୟ ପଞ୍ଜିକୃତ କରିଥିଲା।
Dharitri – Odisha’s No.1 Odia Daily

Share