ସବୁଠୁ ବଡ଼ ଆଗ୍ନେୟଗିରିରୁ ଲାଭା ଉଦ୍‌ଗିରଣ

ହୋନୋଲୁଲୁ, ୨୯।୧୧:ହାଓ୍ବାଇର ସମିଟ୍‌ କାଲଡେରାରେ ଥିବା ବିଶ୍ୱର ସବୁଠୁ ବଡ଼ ମାଉନା ଲୋଆ ଆଗ୍ନେୟଗିରିରୁ ରବିବାର ରାତିରୁ ଲାଭା ଉଦ୍‌ଗିରଣ ହେଉଛି। ୟୁ. ଏସ୍‌. ଜିଓଲୋଜିକାଲ ସର୍ଭିସ୍‌ ଭଲକାନିକ୍‌ ଆକ୍ଟିଭିଟି ସର୍ଭିସ ପକ୍ଷରୁ ସୋମବାର ଏହି ସୂଚନା ଦିଆଯାଇଛି। ଆଗାମୀ ଦିନରେ ଲାଭା ଉଦ୍‌ଗିରଣର ବେଗ ବ୍ୟାପକ ହେବ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆଡ୍‌ଭାଇଜରି ଦ୍ୱାରା ଲୋକଙ୍କୁ ସତର୍କ କରାଯାଇଛି। ହାଓ୍ବାଇ ଭଲକାନୋ ଅବଜର୍ଭେଟୋରି (ଏଚ୍‌ଭିଓ) ପକ୍ଷରୁ ଏକ ଦଳ ଖୁବ୍‌ ଶୀଘ୍ର ମାଉନା ଲୋଆର ସ୍ଥିତିକୁ ଏରିଅଲ ସର୍ବେକ୍ଷଣ ଦ୍ୱାରା ଅନୁଧ୍ୟାନ କରିବା ସହ ଲାଭାର ଗତି ସମ୍ବନ୍ଧରେ ଅଧିକ ତଥ୍ୟ ଯୋଗାଡ଼ କରିବ।
ଉଦ୍‌ଗିରଣର ଦୁଇଘଣ୍ଟା ପରେ ସମିଟ ଅଞ୍ଚଳରେ ୧୨ରୁ ଉର୍ଦ୍ଧ୍ୱ ୨.୫ ତୀବ୍ରତା ବିଶିଷ୍ଟ ଭୂକମ୍ପ ହୋଇଥିବାବେଳେ ସେଥିମଧ୍ୟରୁ ୪.୨ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ସବୁଠାରୁ ଭୟଙ୍କର ଥିବା ୟୁଏସ୍‌ଜିଏସ୍‌ କହିଛି। ହାଓ୍ବାଇ ଦ୍ୱୀପର ଅର୍ଦ୍ଧାଧିକ ଅଞ୍ଚଳକୁ ନେଇ ମାଉନା ଲୋଆ ଆଗ୍ନେୟଗିରି ଗଠିତ। ପ୍ରଶାନ୍ତ ମହାସାଗର ପତନଠାରୁ ଏହା ୧୩,୬୭୯ ଫୁଟ ଉଚ୍ଚତାରେ ଅବସ୍ଥିତ। ୧୯୮୪ରେ ଶେଷଥର ପାଇଁ ମାଉନା ଲୋଆରୁ ଲାଭା ଉଦଗିରଣ ହୋଇଥିବାବେଳେ ୫ ମାଇଲ (ପାଖାପାଖି ୮.୦୮ କି.ମି.) ଦୂର ହିଲୋ ସହର ପର୍ଯ୍ୟନ୍ତ ଲାଭା ବୋହିଥିବା କୁହାଯାଉଛି।

Share