ଏରସମା-କାଣିପଦା ରାସ୍ତା ଶୋଚନୀୟ: ଅସୁବିଧାରେ ୩ ପଞ୍ଚାୟତ

ଏରସମା,୨୧ା୮(ଦୀପ୍ତି ରଞ୍ଜନ ଖଣ୍ଡୁଆଳ):ଏରସମା ବ୍ଲକ ମୁଖ୍ୟାଳୟ ପଞ୍ଚାୟତର ବାଳିକା ଉଚ୍ଚ ବିଦ୍ୟାଳୟଠାରୁ କାଣିପଦା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଏହା ଉପରେ ନିର୍ଭର କରୁଥିବା ୩ ପଞ୍ଚାୟତର ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଆରଡି ରାସ୍ତା ଏରସମାସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟଠାରୁ ବାହାରି କାଣିପଦା, ଓରେଇଶାଳ, ଅସରଣା, ଅରଡା, ଓରନାଳ, ତଳକୁସୁମା ଓ ମାଣପୁର ଗ୍ରାମ ଦେଇ କୋଠି ନିମୋଳ ଛକକୁ ସଂଯୋଗ କରିଛି। ୫ ବର୍ଷ ତଳେ ଏହି ରାସ୍ତା ଆରଡି ବିଭାଗ ପକ୍ଷରୁ ପିଚୁ କରାଯାଇଥିଲା। ଗତ ୨ ବର୍ଷ ତଳେ ହୋଇଥିବା ଲଗାଣ ବର୍ଷାରେ ଏହି ରାସ୍ତା ଧୋଇ ଯାଇଥିଲା। ଏହି ରାସ୍ତା ପୁନରୁଦ୍ଧାର ପାଇଁ ଗ୍ରାମବାସୀ ବହୁ ଆପତ୍ତି ଅଭିଯୋଗ କରିଥିଲେ। ମାତ୍ର ପରିତାପର ବିଷୟ, ଏହାକୁ ବିଚାରକୁ ନେଇ ଆରଡି ବିଭାଗ ପକ୍ଷରୁ କରାଯାଇଥିବା ପୁନରୁଦ୍ଧାର କାର୍ଯ୍ୟ କୋଠି ନିମୋଳ ଛକଠାରୁ କାଣିପଦା ଦେଇ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟକୁ ସଂଯୋଗ ନ କରି ପଲ୍ଲୀକଣ୍ଟା ପଞ୍ଚାୟତର କେନ୍ଦୁରୀଶାଳ ଓ ଶାଇଁତୋଳ ଗ୍ରାମକୁ ସଂଯୋଗ କରି ଦେଇଛନ୍ତି। ଫଳରେ କାଣିପଦା ଗ୍ରାମଠାରୁ ବାଳିକା ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ଅପରିବର୍ତ୍ତିତ ରହିଯାଇଛି।
ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏହା ଉପରେ ନିର୍ଭର କରୁଥିବା ପଲିକଣ୍ଟା, କୃଷ୍ଣଚନ୍ଦ୍ରପୁର ଓ ଏରସମା ପଞ୍ଚାୟତର ଲୋକେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ଏରସମାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟକୁ ଛାତ୍ରୀଛାତ୍ରମାନେ ପାଠ ପଢ଼ିବାକୁ ଆସି ପାରୁନାହାନ୍ତି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ପ୍ରସନ୍ନ କୁମାର କୁଅଁର, ଧ୍ୱଜରାଜ ଖଣ୍ଡୁଆଳ, ବଳରାମ ସେଠୀ, ଶୁକଦେବ ସ୍ବାଇଁ, ବାବାଜୀ ମଲ୍ଲିକ, ନିଖିଳ ବାରିକ ପ୍ରମୁଖ ଦାବି କରିଛନ୍ତି। ନଚେତ ବାଧ୍ୟ ହୋଇ ସେମାନେ ଆନ୍ଦାଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବୁଦ୍ଧନାଥ ସିଂଙ୍କୁ ପଚାରିବାରେ ସେ ଏଠାରେ ଯୋଗ ଦେବା ପୂର୍ବରୁ କାର୍ଯ୍ୟର ପୁନରୁଦ୍ଧାର କାର୍ଯ୍ୟ ପାଇଁ ବ୍ୟୟ ମଞ୍ଜୁର ହୋଇଯାଇଥିଲା। ବର୍ଷା ଋତୁ ଆସି ଯାଇଥିବାରୁ ଚଳିତ ବର୍ଷ ଏହି କାର୍ଯ୍ୟ କରିବା ସମ୍ଭବ ହେବ ନାହିଁ। ଆସନ୍ତ ବର୍ଷକୁ ମଞ୍ଜୁର ପାଇଁ ଆମେ ପ୍ରସ୍ତାବ ଦେବୁ ବୋଲି ସେ କହିଛନ୍ତି।