ଜାତୀୟ ରାଜପଥ ସୂଚନା ଫଳକରେ ତ୍ରୁଟି

ରସୁଲପୁର,୭ା୧୦(ଡି.ଏନ.ଏ.): ରସୁଲପୁର ବ୍ଲକ ଅଧୀନ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜନସାଧାରଣଙ୍କ ସୂଚନା ନିମନ୍ତେ ଲାଗୁଥିବା ସୂଚନା ଫଳକଗୁଡ଼ିକରେ ତ୍ରୁଟି ପରିଲକ୍ଷିତ ହୋଇଛି। ଏହି ଫଳକରେ ଓଡ଼ିଆ ଭାଷାକୁ କଦର୍ଥ କରି ଲେଖାଯାଇଛି, ଯାହାକି ଓଡ଼ିଆଙ୍କ ସ୍ବାଭିମାନ ଓ ସମ୍ମାନ ପ୍ରତି ଆଘାତ ଦେଇଛି। ଏହିଭଳି ଲେଖାକୁ ଭାଷାବିତ୍‌ଙ୍କ ପକ୍ଷରୁ ନିନ୍ଦା କରାଯିବା ସହ ତ୍ରୁଟି ସୁଧାରିବାକୁ ଦାବି ହେଉଛି। ଏଥିରେ ବ୍ୟତିକ୍ରମ ହେଲେ ରାଜପଥ କର୍ତ୍ତୃପକ୍ଷଙ୍କ ବିରୋଧରେ ସାମାଜିକ କର୍ମୀ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି।
ସୂଚନା ମୁତାବକ, ରସୁଲପୁର ବ୍ଲକ ଦେଇ ଯାଇଥିବା ଜାତୀୟ ରାଜପଥର ବାରବାଟୀଠାରୁ ଖଣ୍ଡିତର ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଗାଁଗୁଡ଼ିକ ସମ୍ପର୍କରେ ସୂଚନା ଫଳକ ଲଗାଯାଇଛି। ରାଜପଥ ପାର୍ଶ୍ୱସ୍ଥ ଗାଁ ଓରାଳି ନିକଟରେ ଲାଗିଥିବା ସୂଚନା ଫଳକରେ ପାଞ୍ଚନଗୋଛିଆ ବୋଲି ଲେଖାଯାଇଛି। ହେଲେ ଏହିଭଳି ଗାଁ ରସୁଲପୁର ବ୍ଲକ ଅଞ୍ଚଳରେ ନାହିଁ। ବଡ଼କଇଞ୍ଚତ୍ ପଞ୍ଚାୟତରେ ପାଞ୍ଚଗୋଛିଆ ଗ୍ରାମ ରହିଛି। ମାତ୍ର ଏହି ଗାଁଟି ରାଜପଥ ପାର୍ଶ୍ୱରେ ଅବସ୍ଥିତ ନୁହେଁ। ଏହାଛଡ଼ା ଭୋଟକା ପଞ୍ଚାୟତର ରାଜପଥ ପାର୍ଶ୍ୱସ୍ଥ ବିଲିପଡ଼ା ଗ୍ରାମ ନିକଟରେ ଲାଗିଥିବା ଫଳକରେ ଗାଁର ନାମ ବିଲିପଦା ଲେଖାଯାଇଛି। ଆଉ କେତେକ ସ୍ଥାନରେ ଲେଖାଯାଇଥିବା ଗାଁ ଓ ତୀରଚିହ୍ନରେ ସୂଚା ଯାଇଥିବା ଦିଗରେ ତ୍ରୁଟି ରହିଛି। ଅନ୍ୟକେତେକ ସ୍ଥାନରେ ଗାଁର ନାମ ଲେଖାଯାଇଛି, ହେଲେ ସେଠାରେ ସେଭଳି କୌଣସି ଗାଁ ନ ଥିବା ଜଣାଯାଇଛି। ଏଭଳି ତ୍ରୁଟି ବିଚ୍ୟୁତି ବାରମ୍ବାର ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ କରାଯାଉଛି, ଯାହାକୁ ନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ପରେ ସେଥିରେ ସଂଶୋଧନ କରାଯାଉଛି। ମାତ୍ର ଏହାର ସ୍ଥାୟୀ ସମାଧାନ ପାଇଁ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନାହାନ୍ତି। ଏନେଇ ରାଜପଥ କର୍ତ୍ତୃପକ୍ଷଙ୍କ ଆଞ୍ଚଳିକ ଅଧିକାରୀ(ସିଜିଏମ) ରାମପ୍ରସାଦ ପଣ୍ଡା କହିଛନ୍ତି, ଅଣଓଡ଼ିଆ ଅଧିକାରୀଙ୍କ ଦ୍ୱାରା ସୂଚନା ଫଳକ ନିର୍ମାଣ କାର୍ଯ୍ୟ ତଦାରଖ କରାଯାଉଥିବାରୁ ଏଭଳି ତ୍ରୁଟି ହେଉଛି। ଏ ନେଇ ସେ ଅବଗତ ହେଲାପରେ ଯେଉଁ ସବୁସ୍ଥାନରେ ତ୍ରୁଟି ବିଚ୍ୟୁତି ଥିବ ତାହାକୁ ତୁରନ୍ତ ସଂଶୋଧନ କରାଇବେ ବୋଲି ପ୍ରକାଶ କରିଛନ୍ତି। ଏବେ ଦେଖିବାକୁ ଅପେକ୍ଷା କେବେ ଏହି ତ୍ରୁଟି ସଂଶୋଧନ ହେଉଛି।