ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟି: ସେଟ୍‌ ‘ବି’ ରେ ସେଟ୍‌ ‘ଏ’ର ପ୍ରଶ୍ନ

ବରଗଡ଼ ଅଫିସ,୧୮ା୩: ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା(ଏଚ୍‌ଏସ୍‌ସି) ଅର୍ଥାତ୍‌ ମାଟ୍ରିକ ପରୀକ୍ଷାର ଶନିବାର ହୋଇଥିବା ସାମାଜିକ ବିଜ୍ଞାନ (ଇତିହାସ, ଭୂଗୋଳ) ପ୍ରଶ୍ନପତ୍ରରେ ତ୍ରୁଟି ପରିଲକ୍ଷିତ ହୋଇଛି। ଉପରେ ସେଟ୍‌ ‘ବି’ ପ୍ରଶ୍ନପତ୍ର ଲେଖାଯାଇ ଥିବା ବେଳେ ଭିତରେ ସେଟ୍‌ ‘ଏ’ର ଅନେକ ପ୍ରଶ୍ନ ରହିଛି। ସେହିପରି ପ୍ରଶ୍ନପତ୍ରରେ କିଛି ପ୍ରଶ୍ନ ଉଭାନ ହୋଇଛି। ଏହାକୁ ନେଇ ପରୀକ୍ଷାର୍ଥୀମାନେ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ବରଗଡ଼ ଜର୍ଜ ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ପରୀକ୍ଷାର୍ଥୀମାନେ ଏହି ତ୍ରୁଟି ଦେଖିବାକୁ ପାଇଛନ୍ତି।

ଉକ୍ତ ପରୀକ୍ଷାକେନ୍ଦ୍ରରେ ୨୮୨ ପରୀକ୍ଷାର୍ଥୀ ରହିଛନ୍ତି। କେବଳ ଜର୍ଜ ହାଇସ୍କୁଲ ନୁହେଁ, ଅନ୍ୟ କେତେକ ପରୀକ୍ଷାକେନ୍ଦ୍ରରେ ପ୍ରଶ୍ନପତ୍ରରେ ଏଭଳି ବିଭ୍ରାଟ ନଜରକୁ ଆସିଛି। ତେବେ ଏ ସମ୍ପର୍କରେ ଜର୍ଜ ହାଇସ୍କୁଲ ପରୀକ୍ଷାକେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଡଃ ଡୋଳାମଣି ଶତପଥୀଙ୍କୁ ପଚାରିବାରୁ ଏନେଇ ଜିଲା ଅଧିକାରୀଙ୍କୁ ଅବଗତ କରାଯାଇଥିବା କହିଛନ୍ତି।