ଏରିକାଙ୍କ ‘ଶୁଟିଂ ଫ୍ରମ୍‌ ହୋମ୍‌’

ମୁମ୍ବାଇ: ଟେଲି ଦୁନିଆରେ ଏରିକା ଫର୍ନାଡିସ୍‌ ହେଉଛନ୍ତି ଜଣେ ସଫଳ ଅଭିନେତ୍ରୀ। ଦେଖିବାକୁ ଯେମିତି ସେ ସୁନ୍ଦର ତାଙ୍କ ଅଭିନୟ ମଧ୍ୟ ସେତିକି ଚମତ୍କାର। ଜଣେ ସଫଳ ମଡେଲ ମଧ୍ୟ ସେ। ଖାଲି ବଲିଉଡ୍‌ କାହିଁକି ଟଲିଉଡ୍‌ରେ ମଧ୍ୟ ସେ ବେଶ୍‌ ଜଣାଶୁଣା। ଏରିକାଙ୍କ ଫ୍ୟାନ୍‌ ଫଲୋଇଙ୍ଗ୍‌ ମଧ୍ୟ ଅଧିକ। ୨୦୧୬ରେ ସୋନୀ ଟିଭିରେ ପ୍ରସାରିତ ହୋଇଥିବା ଶୋ ‘କୁଛ ରଙ୍ଗ୍‌ ପ୍ୟାର୍‌ କେ ଐସେ ଭି’ରେ ସେ ଘରେ ଘରେ ପରିଚିତ। ଏହି ଶୋ’ରେ ସେ ସାହିର ଶେଖ୍‌ଙ୍କ ସହ ନଜର୍‌ ଆସିଥିଲେ। ଉଭୟଙ୍କ କେମେଷ୍ଟ୍ରି ଏଥିରେ ବହୁତ ଦମ୍‌ଦାର୍‌ ଥିଲା।
ଏବେ ଏରିକା ସିରିୟଲ ‘କସୌଟି ଜିନ୍ଦେଗୀ କି’ରେ ଲିଡ୍‌ ରୋଲରେ ଅଛନ୍ତି। ନିକଟରେ ଏହି ସିରିୟଲରେ ଅନୁରାଗର ରୋଲ୍‌ ପ୍ଲେ କରୁଥିବା ପାର୍ଥ ସମଥାନ କୋଭିଡ୍‌ ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ତାହାପରଠୁ ଏହି ସିରିୟଲର ଶୁୁଟିଂ ସବୁ ବନ୍ଦ ହୋଇଯାଇଥିଲା। ଶୁଟିଂ ସେଟ୍‌କୁ ସାନିଟାଇଜ୍‌ କରାଯାଇଥିଲା। ଏବେ ପୁଣି ଥରେ ସତର୍କତାର ସହ ବିଭିନ୍ନ ନିୟମ କରାଯାଇ ଶୁଟିଂ ଆରମ୍ଭ ହୋଇଛି। କିନ୍ତୁ ଏରିକା ପୂରା ଡରିଯାଇଛନ୍ତି। ସେ ଆଉ ସେଟ୍‌କୁ ନ ଯାଇ ଘରୁ ଶୁଟ୍‌ କରି ପଠାଉଛନ୍ତି। ଅନ୍ୟ କଳାକାରମାନେ ପୁଣି ଥରେ ସେମାନଙ୍କର ଶୁଟିଂ ଆରମ୍ଭ କରିଦେଇଛନ୍ତି। ଅଭିନେତା କରଣ ପଟେଲ ଏବଂ ପୂଜା ବାନାର୍ଜୀଙ୍କୁ ଶୁଟିଂ ସେଟ୍‌ରେ ଦେଖିବାକୁ ମିଳିଛି। କିନ୍ତୁ ଏରିକା ଏବଂ ଆମ୍‌ନା ସରିଫ ସେଟ୍‌କୁ ନ ଆସି ଘରୁ ଶୁଟିଂ କରି ପଠାଉଛନ୍ତି। ଏରିକା ଏବେ କୌଣସି ରିସ୍କ ନେଇପାରିବେ ନାହିଁ ବୋଲି ଡାଇରେକ୍ଟର ଏବଂ ପ୍ରଡ୍ୟୁସରଙ୍କୁ କହିଦେଇଛନ୍ତି। ବର୍ତ୍ତମାନ ମହାମାରୀ କରୋନା ସଂକ୍ରମଣ ଦେଶରେ ବଢ଼ି ବଢ଼ି ଚାଲିଥିବାରୁ ସେ ଭୟଭୀତ ହୋଇପଡ଼ିଛନ୍ତି। ଏରିକାଙ୍କୁ ଘରୁ ଶୁଟିଂ କରିବାକୁ ସେତେ କଷ୍ଟ ଲାଗୁନି କାରଣ ପୂର୍ବରୁ ତାଙ୍କର ଏକ ୟୁଟ୍ୟୁବ୍‌ ଚ୍ୟାନେଲ ଅଛି। କ୍ୟାମେରାର ଜ୍ଞାନ ଅଳ୍ପ ବେଶୀ ରହିଛି ବୋଲି ସେ କହିଛନ୍ତି। ବିନା କୋ-ଷ୍ଟାର୍‌ରେ ଆକ୍ଟିଂ କରିବା ବହୁତ କଷ୍ଟ ବୋଲି ସେ ନିଜ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଫ୍ୟାନ୍‌ମାନଙ୍କୁ ଜଣାଇଛନ୍ତି। ଘରେ ରହି ପୂରା ୧୨ଘଣ୍ଟା ସମୟ ନିଜ ସିରିୟଲକୁ ଦେଉଥିବା ସେ ପ୍ରକାଶ କରିଛନ୍ତି।

Share