ଟିଏଫ୍‌ଏଲ୍‌ ପାଇଁ ଆସିଲା ଯନ୍ତ୍ରାଂଶ

ତାଳଚେର,୨୩ା୭(ନି.ପ୍ର.): ଅନୁଗୋଳ ଜିଲାର ତାଳଚେର ସାର କାରଖାନାଠାରେ ନିର୍ମାଣାଧୀନ ଦେଶର ପ୍ରଥମ କୋଇଲା ଗ୍ୟାସ୍‌ ଭିତ୍ତିକ ସାର କାରଖାନା ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍‌ (ଟିଏଫ୍‌ଏଲ୍‌) ନିମନ୍ତେ ଆନୁଷଙ୍ଗିକ ଯନ୍ତ୍ରାଂଶ ଆସିବା ଆରମ୍ଭ ହୋଇଛି। ଏକ ୧୨୮ ଚକିଆ ବିରାଟ ଟ୍ରେଲରରେ ଆସିଥିବା କିଛି ଯନ୍ତ୍ରାଂଶ ଶୁକ୍ରବାର ସାର କାରଖାନା ପରିସରରେ ପହଞ୍ଚିଛି। ଏସବୁ ଯନ୍ତ୍ରାଂଶ ଗୁଜରାଟର ସୁରଟସ୍ଥିତ ଏଲ୍‌ଆଣ୍ଡଟି କାରଖାନାରେ ନିର୍ମାଣ ହୋଇଥିଲା। ମାର୍ଚ୍ଚ ୨୦୨୦ରୁ ଏହାର ନିର୍ମାଣ ଆରମ୍ଭ ହୋଇ ୨୦୨୨ ଏପ୍ରିଲରେ ଶେଷ ହୋଇଥିଲା। ଏହାପରେ ସୁରଟରୁ ପାରାଦୀପ ବନ୍ଦର ଦେଇ ଉକ୍ତ ଯନ୍ତ୍ରାଂଶକୁ ତାଳଚେର ଅଣାଯାଇଛି। ଜାତୀୟ ରାଜପଥରେ ଏକ ସମୟରେ ଏସବୁ ବଡ଼ ଯନ୍ତ୍ରାଂଶ ଆସିବା ଅସମ୍ଭବ ହୋଇଥିବାରୁ ଛୋଟ ଛୋଟ ଖଣ୍ଡ ମାଧ୍ୟମରେ ତାହାକୁ ତାଳଚେର ଅଣାଯାଉଛି। ଆସନ୍ତା ଅଗଷ୍ଟ ଶେଷ ସୁଦ୍ଧା ନିର୍ମାଣରେ ଲାଗିବାକୁ ଥିବା ସମସ୍ତ ଯନ୍ତ୍ରାଂଶ ତାଳଚେରରେ ପହଞ୍ଚିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ଟିଏଫ୍‌ଏଲ୍‌ ସମ୍ପୂର୍ଣ୍ଣ କୋଇଲାରୁ ଗ୍ୟାସ ଆଧାରିତ ୟୁରିଆ ଉପତ୍ାଦନ କାରଖାନା। ଦୀର୍ଘବର୍ଷ ହେଲା ବନ୍ଦ ହୋଇ ପଡିଥିବା ତାଳଚେର ସାର କାରଖାନାକୁ ଏପରି ନୂଆ ଟେକ୍ନୋଲୋଜି ବ୍ୟବହାର କରି ପୁନରୁଦ୍ଧାର କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ୨୦୧୪ ସେପ୍ଟେମ୍ବର ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଭିତ୍ତି ପକାଇଥିଲେ। ଗ୍ୟାସ୍‌ ଅଥରିଟି ଇଣ୍ଡିଆ ଲିମିଟେଡ(ଗେଲ୍‌), କୋଲ୍‌ ଇଣ୍ଡିଆ ଲିମିଟେଡ(ସିଆଇଏଲ୍‌), ରାଷ୍ଟ୍ରୀୟ କେମିକାଲ୍ସ ଆଣ୍ଡ୍‌ ଫର୍ଟିଲାଇଜର ଲିମିଟେଡ(ଆର୍‌ସିଏଫ୍‌ଏଲ୍‌) ଏବଂ ଫର୍ଟିଲାଇଜର କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ(ଏଫ୍‌ସିଆଇଏଲ୍‌)ର ମିଳିତ ଉଦ୍ୟମରେ ଏହା ସ୍ଥାପନ ହେଉଛି। ୧୩ ହଜାର କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏହି କାରଖାନାରୁ ବାର୍ଷିକ ୧.୨୭ ନିୟୁତ ଟନ୍‌ ୟୁରିଆ ଉପତ୍ାଦନ ହେବ। ୨୦୨୪ ସେପ୍ଟେମ୍ବର ୧୦ ସୁଦ୍ଧା ଟିଏଫ୍‌ଏଲ୍‌କୁ କାର୍ଯ୍ୟକାରୀ କରାଯିବାର ଯୋଜନା ରହିଛି। ବର୍ତ୍ତମାନ ସୁଦ୍ଧା ପ୍ଲାଣ୍ଟର ୨୭.୪୨% କାର୍ଯ୍ୟ ଶେଷ ହୋଇଥିବା ପ୍ରକଳ୍ପ ମହାପ୍ରବନ୍ଧକ ସତ୍ୟବ୍ରତ ମିଶ୍ର ପ୍ରେସ୍‌ ବିବୃତି ମାଧ୍ୟମରେ ସୂଚନା ଦେଇଛନ୍ତି।