Categories: ଫୁରସତ

ସମାନତା ହିଁ ବିକାଶର ମୂଳମନ୍ତ୍ର

ପୃଥିବୀରେ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ସମାନତା ବଜାୟ ରହିବା ଅପରିହାର୍ଯ୍ୟ। ଏହାଦ୍ୱାରା ବିକାଶଧାରା ଅବ୍ୟାହତ ରହିବା ସହ ପୃଥିବୀ ଏକ ବୃହତ୍‌ ପରିବାରର ଧାରଣା ସୃଷ୍ଟି ହୋଇଥାଏ। ବିଶ୍ୱ ଭ୍ରାତୃତ୍ୱକୁ ଆଗେଇ ନେବାକୁ ପ୍ରତିବର୍ଷ ଡିସେମ୍ବର ୧୦ରେ ଅନ୍ତର୍ଜାତୀୟସ୍ତରରେ ମାନବାଧିକାର ଦିବସ ପାଳନ କରାଯାଇଥାଏ।
୧୯୪୮ ଡିସେମ୍ବର ୧୦ରେ ଜାତିସଂଘର ସାଧାରଣ ମହାସଭାରେ ମାନବିକ ଅଧିକାର ଘୋଷଣାନାମା ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ମାନବିକ ଅଧିକାର ଦିବସର ଆନୁଷ୍ଠାନିକ ପ୍ରତିଷ୍ଠା ୪ ଡିସେମ୍ବର ୧୯୫୦ରେ ସାଧାରଣ ସଭାର ୩୧୭ ତମ ବୈଠକରେ ହୋଇଥିଲା। ବିଧିବଦ୍ଧ ଭାବେ ୧୯୫୦ ଡିସେମ୍ବର ୧୦ଠାରୁ ଏହାର ପାଳନ ଆରମ୍ଭ ହୋଇଥିଲା। କାହାର ସ୍ବାର୍ଥରେ ଉଲ୍ଲଂଘନ ହେଲେ ମିଳିିତ ଜାତିସଂଘ ପକ୍ଷରୁ ଏନେଇ ପଦକ୍ଷେପ ଗ୍ରହଣ କରାଯାଇଥାଏ।
ଏହି ଦିବସର ପାଳନ ମାନବିକ ଅଧିକାରର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱାରୋପ କରିଥାଏ। ବିଶ୍ୱର ବୃହତ ପରିବାର ମଧ୍ୟରେ ସମସ୍ତଙ୍କର ସ୍ବାର୍ଥ ସୁରକ୍ଷା ହିଁ ଏକମାତ୍ର ଲକ୍ଷ୍ୟ ବୋଲି ମାନବାଧିକାର ଦିବସ ସୂଚିତ କରିଥାଏ। ଏହି ଦିବସ ପାଳନ ଅବସରରେ ବିଶ୍ୱସ୍ତରରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କ୍ଷେତ୍ରରେ ଯେପରି ସଭିଙ୍କୁ ସମାନ ସୁବିଧା ସୁଯୋଗ ଉପଲବ୍ଧ କରାଯିବ ସେ ନେଇ ସଚେତନତା ସୃଷ୍ଟି କରାଯାଇଥାଏ।

Share