ଏପିଲେପ୍‌ସୀ ବୃତ୍ତାନ୍ତ

ଅପସ୍ମାର ବା ଏପିଲେପ୍‌ସୀ ଏକ ପ୍ରକାର ମସ୍ତିଷ୍କ ରୋଗ। ଏହାକୁ ‘ମୃଗୀରୋଗ’ ବୋଲି ମଧ୍ୟ କହନ୍ତି। ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିକୁ ସାଧାରଣତଃ ବାରମ୍ବାର ହଠାତ ବାତ ମାରିଥାଏ। ରୋଗୀଠାରେ ମାଂସପେଶୀଗୁଡ଼ିକର ଘନଘନ ଆକସ୍ମିକ ସଙ୍କୋଚନ ହେବା ସଙ୍ଗେ ସଙ୍ଗେ ସେ ମୂର୍ଚ୍ଛା ଯାଇପାରେ। ମସ୍ତିଷ୍କସ୍ଥ ସ୍ନାୟୁକୋଷର କାର୍ଯ୍ୟଧାରାର ବିଘ୍ନ ତଥା ବିଶୃଙ୍ଖଳା ସୃଷ୍ଟି ହିଁ ଏଭଳି ଲକ୍ଷଣ ପ୍ରକାଶ ପାଇବାର କାରଣ। ଏହି ରୋଗ ସମ୍ପର୍କରେ ବହୁ ପୂର୍ବରୁ ଜଣା। ଇତିହାସ ପୃଷ୍ଠାରୁ ଜଣାପଡ଼େ ଯେ ରୋମାନ ଜେନେରାଲ ଓ ଶାସକ ଜୁଲିଅସ ସିଜର ଗ୍ରୀକବୀର ଆଲେକ୍‌ଜାଣ୍ଡାର ଏବଂ ଫ୍ରାନ୍ସର ସମ୍ରାଟ ନେପୋଲିୟନ କୁଆଡ ଥିଲେ ଏପିଲେପ୍‌ସୀ ରୋଗୀ। ଏପିଲେପ୍‌ସୀ ଶବ୍ଦଟି ଆସିଛି ଗ୍ରୀକ ଶବ୍ଦ ଏପିଲେପ୍‌ସିଆରୁ। ଏପିଲେପ୍‌ସିଆର ଅର୍ଥ ହଠାତ୍‌ କବଳିତ କରି ପକେଇବା। ପୃଥିବୀରେ ରହିଛନ୍ତି ପାଖାପାଖି ୫କୋଟି ଏପିଲେପ୍‌ସୀ ରୋଗୀ। ଜନସାଧାରଣଙ୍କଠାରେ ଏପିଲେପ୍‌ସୀ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ପ୍ରତିବର୍ଷର ଫେବୃୟାରୀ ମାସ ଦ୍ୱିତୀୟ ସୋମବାର ଦିନ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ଅପସ୍ମାର ଦିବସ’ ବା ‘ଇଣ୍ଟରନ୍ୟାଶନାଲ ଏପିଲେପ୍‌ସୀ ଡେ’।
ଏପିଲେପ୍‌ସୀ କଅଣ ଓ କାହିଁକି ବାତମାରେ: ବାତ ମାରିବାକୁ ‘ଫିଟ୍ସ’ ବୋଲି କହନ୍ତି। ଡାକ୍ତରୀ ଭାଷାରେ କହନ୍ତି ‘ସଜର’ କିମ୍ବା ‘କନ୍‌ଭଲ୍‌ସନ’। ସାଧାରଣ ଭାବରେ ଦେଖିଲେ ମସ୍ତିଷ୍କର ସ୍ନାୟୁକୋଷମାନ ସଦାସର୍ବଦା ସକ୍ରିୟ। ସେମାନେ ସେକେଣ୍ଡକୁ ଅନ୍ତତଃ ଅଶୀଥର ସ୍ନାୟୁସଙ୍କେତ ପ୍ରେରଣ କରିଥାନ୍ତି। ସେକେଣ୍ଡ ପ୍ରତି ପାଖାପଖି ୮୦ଥର ସ୍ନାୟୁସଙ୍କେତ ପ୍ରେରଣ କରିବା ମସ୍ତିଷ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି କରି ନ ଥାଏ। କିନ୍ତୁ ଯେଉଁମାନଙ୍କଠାରେ ଏପିଲେପ୍‌ସୀ ଥାଏ ସେମାନଙ୍କ କ୍ଷେତ୍ରରେ ଏହି ସଙ୍କେତ ପ୍ରେରଣ ସେକେଣ୍ଡ ପ୍ରତି ୮୦ରେ ସୀମିତ ନ ରହି ହଠାତ୍‌ ୫୦୦ କିମ୍ବା ତତୋଧିକ ସ୍ତରକୁ ଉଠିଯାଏ। ସଙ୍କେତ ପ୍ରେରଣରେ ଅତି ସକ୍ରିୟତାର ଏପରି ସ୍ଥିତି ଉପୁଜିଲେ ପ୍ରକାଶ ପାଇଥାଏ ବାତମାରିବା ଲକ୍ଷଣ। ମସ୍ତିସ୍କର କେଉଁ ଅଂଶରେ ଏହି ଅସ୍ବାଭାବିକତା ଜାତ ହୋଇଛି ତା’ଉପରେ ନିର୍ଭର କରି ସୃଷ୍ଟି ହୋଇପାରେ ଅଲଗା ଅଲଗା ଲକ୍ଷଣ।
ରୋଗର କାରଣ: ଅଧାଅଧି ରୋଗୀଙ୍କ କ୍ଷେତ୍ରରେ ରୋଗର କୌଣସି କାରଣ ଠଉରେଇ ହୁଏ ନାହିଁ। ଅବଶିଷ୍ଟ କ୍ଷେତ୍ରରେ ମସ୍ତିଷ୍କର କୋମଳ ବିଦ୍ୟୁତ ରାସାୟନିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡେ। ଯେପରି କି ମୁଣ୍ଡରେ ଜୋରରେ ମାଡ଼ ବାଜିଲେ, ଶିଶୁ ଜନ୍ମ ସମୟରେ ତା’ ପାଇଁ ଅମ୍ଳଜାନର ଅଭାବ ହେଲେ, ମସ୍ତିଷ୍କରେ ପ୍ରଦାହ ହେଲେ କି ମସ୍ତିଷ୍କରେ ଅର୍ବୁଦ ବା ଟ୍ୟୁମର ହୋଇଥିଲେ ଏପିଲେପ୍‌ସୀର ଲକ୍ଷଣମାନ ପ୍ରକାଶ ପାଇଥାଏ। ଏପିଲେପ୍‌ସୀର ମଧ୍ୟ ରହିଛି ବଂଶଗତ ପ୍ରଭାବ। ଏପିଲେପ୍‌ସୀ ରହିଥିବା ଦୁଇଟି ପରିବାର ବିବାହ ସମ୍ପର୍କରେ ଜଡିତ ହୋଇପଡିଲେ ସନ୍ତାନମାନଙ୍କୁ ଏପିଲେପ୍‌ସୀ ହେବାର ଆଶଙ୍କା ଅଧିକ। ତେବେ ଯେ କୌଣସି ବ୍ୟକ୍ତି ଜୀବନରେ କୌଣସି ସମୟରେ ଏହି ରୋଗର ଶିକାର ହୋଇପାରନ୍ତି।
ଲକ୍ଷଣ: ଏପିଲେପ୍‌ସୀ ଏକାଧିକ ପ୍ରକାରର। ପ୍ରକାରକୁ ଚାହିଁ ଲକ୍ଷଣ ଭିନ୍ନ ଭିନ୍ନ ହେବା ସ୍ବାଭାବିକ। ମାତ୍ର ଏଠାରେ କେବଳ ସାଧାରଣ ଲକ୍ଷଣଗୁଡିକ ସମ୍ପର୍କରେ ଉଲ୍ଲେଖ କରାଯାଉଛି। କିନ୍ତୁ ବାତ ମାରିବା ଲକ୍ଷଣଟି ହିଁ ପ୍ରଧାନ ଓ ଏହା ଅନେକ ରୋଗୀଙ୍କ କ୍ଷେତ୍ରରେ ପରିଲକ୍ଷିତ ହୋଇଥାଏ। ବାତ ମାରିବା ଆରମ୍ଭ ହେବା ପୂର୍ବରୁ ଯେଉଁ ସବୁ ସୂଚନା ପ୍ରକାଶ ପାଇପାରେ, ତାକୁ ଡାକ୍ତରୀ ଭାଷାରେ ‘ଅରା’ ବୋଲି କହନ୍ତି। ଗନ୍ଧ ଛାଡିବାର କିଛି କୁଆଡେ ସୂଚନା ନ ଥାଇ ହଠାତ୍‌ ଗନ୍ଧ ବାରିବାର ଅନୁଭବ ହେବା, କୌଣସି ସୋର ଶବ୍ଦ ନ ଥାଇ ହଠାତ୍‌ ଶବ୍ଦ ଶୁଣିବାରୁ ଅନୁଭବ ହେବା, ପାଟି ଭିତରେ କିଛି ନ ଥାଇ ଆକସ୍ମିକ ଭାବେ ସ୍ବାଦ ଅନୁଭବ କରିବା, କୌଣସି ଅସ୍ବସ୍ତି ନ ଥାଇ ପେଟରେ ହଠାତ୍‌ ଅସ୍ବସ୍ତି ଅନୁଭବ କରିବା, ଆଖି ସାମ୍‌ନାରେ ହଠାତ୍‌ ଆଲୁଅ ଚକ୍‌ମକ କରିବା ଇତ୍ୟାଦି ହେଉଛି ‘ଅରା’ର କେତୋଟି ଉଦାହରଣ। ଅତ୍ୟଧିକ ମାନସିକ ଚାପ, କ୍ରୋଧ, ନୈରାଶ୍ୟ, ବିରକ୍ତି ଏବଂ ଟେଲିଭିଜନ ପରଦାରେ ଦୃଶ୍ୟ ପରିବର୍ତ୍ତନ ଭଳି କାରକ ମସ୍ତିଷ୍କସ୍ଥ ସ୍ନାୟୁ କୋଷିକାଗୁଡିକରେ କିପରି ମାତ୍ରାଧିକ ବିଦ୍ୟୁତ ଆବେଗ ଜାତ କରିଥାଏ, ତାହା ଏଯାବତ୍‌ ଜଣାନାହିଁ। ତେବେ ଅରା ବା ପୂର୍ବାଭାସ ହେଉଛି ବାତ ମାରିବାର ପ୍ରାକ୍‌ ସତର୍କ ସୂଚନା। ଏହି ସୂଚନା ଅନୁଭବ କରିବା ମାତ୍ରେ କାଳବିଳମ୍ବ ନ କରି ରୋଗୀ ବାତ ମାରିବା ସମ୍ପର୍କିତ ନିରାପତ୍ତାମୂଳକ ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ସାବଧାନ ହୋଇଯିବା ଉଚିତ।
ଗୋଟିଏ ପ୍ରକାରର ଏପିଲେପ୍‌ସୀରେ ରୋଗୀ ମସ୍ତିଷ୍କସ୍ଥ ସମୟ ସ୍ନାୟୁ ପରିପଥ ସମାନ ସମୟରେ ଆକ୍ରାନ୍ତ ହୋଇପଡନ୍ତି। ଫଳରେ ରୋଗୀ ଏକ ଅଦ୍‌ଭୁତ ଶବ୍ଦ କରି ଅଚେତ ହୋଇ ପଡେ। ତା’ର ସମସ୍ତ ଶରୀର ନାଠି ଭଳି ଟାଣ ହୋଇଯାଏ। କେତେକ ମାଂସପେଶୀରେ ପ୍ରକାଶ ପାଏ ଘନ ଘନ ସଂକୋଚନ ବା ବାତମାରିବା ଲକ୍ଷଣ। ରୋଗୀର ଦାନ୍ତ ଜାବ ପଡିପାଇଯାଇପାରେ, ଜିଭ କାମୁଡି ହୋଇଯାଇପାରେ। ଲୁଗାପଟାରେ ଆପେ ଆପେ ଝାଡା ପରିସ୍ରା ହୋଇଯାଇପାରେ। ବାତ ମାରିବା ଲକ୍ଷଣ ଅଳ୍ପ କେଇ ସେକେଣ୍ଡ କି ମିନିଟ୍‌ ରହି ପରେ ପରେ ଶରୀର ଶିଥିଳ ହୋଇଯାଏ। ରୋଗୀ ଭ୍ରମିତ ହୋଇପଡେ। ପରେ ସେ ଘଣ୍ଟାଏ ଖଣ୍ଡେ ଧରି ଶୋଇଯାଏ ଗାଢି ନିଦରେ। ତା’ର ମୁଣ୍ଡ ବଥେଇପାରେ। ଅଳ୍ପ କିଛି ମିନିଟ୍‌ ପୂର୍ବରୁ ଯେ ଏପରି ଏକ ଘଟଣା ଘଟିଯାଇଛି, ରୋଗୀ ଏହା ଆଦୌ ମନେ ପକେଇପାରେନି। ଅନ୍ୟ ଏକ ପ୍ରକାର ଏପିଲେପ୍‌ସୀ ମୁଖ୍ୟତଃ ପରିଲକ୍ଷିତ ହୁଏ ପିଲାମାନଙ୍କଠାରେ। ରୋଗୀ ହଠାତ୍‌ ଚୁପ୍‌ ହୋଇ ରହିଯାଏ। ବୋକାଙ୍କ ଭଳି ଚାହିଁ ରହେ। ଆଖି ମିଟିମିଟି କରେ। ମାଂସପେଶୀ ବାରମ୍ବାର ସଙ୍କୁଚିତ ହୋଇ ଦିନମାନ ଭିତରେ ଏକାଧିକ ଥର ବାତ ମାରିପାରେ। ସୁତରାଂ ଏହାଦ୍ୱାରା ପିଲାର ପାଠପଢ଼ା ବ୍ୟାହତ ହୋଇପଡ଼ିବା ସ୍ବାଭାବିକ। ସମୟେ ସମୟେ ବାତ ମାରିବା ଲକ୍ଷଣ ଏତେ ଚଞ୍ଚଳ ପ୍ରକାଶ ପାଇ ଏତେ ଚଞ୍ଚଳ ଚାଲିଯାଇପାରେ ଯେ ରୋଗୀ ନିଜେ ବି ତାହା ବାରିପାରେନି। ତେବେ ଏପିଲେପ୍‌ସୀରେ ବାତ ମାରିବା ଲକ୍ଷଣ ଅତି ଅଳ୍ପକ୍ଷଣ ସ୍ଥାୟୀ। କିନ୍ତୁ ବାତମାରିବା କିଛି ସେକେଣ୍ଡ କି ମିନିଟ ଭିତରେ ବନ୍ଦ ନ ହୋଇ ୩୦ ମିନିଟରୁ ଅଧିକ ସମୟ ଅବ୍ୟାହତ ରହିଲେ କି ରୋଗୀ ଅଚେତ ଅବସ୍ଥାରେ ରହି ମଧ୍ୟ ଏକାଧିକ ଥର ବାତ ମାରିବାର ଶିକାର ହୋଇଥିଲେ, ଆଦୌ ଡେରି ନ କରି ରୋଗୀକୁ ହସ୍‌ପିଟାଲ ନେଇଯିବା ନିରାପଦ।
ପରୀକ୍ଷାନିରୀକ୍ଷା : ରୋଗ ନିର୍ଣ୍ଣୟ ପାଇଁ କରାଯାଉଥାଏ ଇଲେକ୍ଟ୍ରୋଏନ୍‌ସେଫାଲୋଗ୍ରାଫି ବା ଇ.ଇ.ଜି., ଭିଡିଓ ଇଇଜି, ମୁଣ୍ଡର ଏକ୍ସ-ରେ, ମସ୍ତିଷ୍କର ସିଟି ସ୍କାନ୍‌, ଏମ୍‌ଆଇ ସ୍କାନ୍‌, ପି.ଇଟି. ସ୍କାନ, ରେଡ଼ିଓଆଇସୋଟୋପ୍‌ ସ୍କାନିଂ ଏବଂ ମ୍ୟାଗ୍‌ନେଟୋଏନ୍‌ସେଫାଲୋଗ୍ରାଫି ଆଦି ପରୀକ୍ଷା।
ଚିକିତ୍ସା : ଏପିଲେପ୍‌ସୀର ପ୍ରକାର ବିବିଧ। ଏହାର ଚିକିତ୍ସା ପାଇଁ ଏକାଧିକ ଔଷଧ ଉପଲବ୍‌ଧ। ତେଣୁ ସ୍ନାୟୁରୋଗ ବିଶେଷଜ୍ଞଙ୍କ ପରାମର୍ଶରେ ଚିକିତ୍ସିତ ହେବା ବିଜ୍ଞତାର କାର୍ଯ୍ୟ। ଚିକିତ୍ସା କରିବା ନିମନ୍ତେ ବିଶେଷଜ୍ଞ ଡାକ୍ତର ରୋଗୀର ଜୟସ, ଲିଙ୍ଗ, ବୃତ୍ତି, ଆନୁଷଙ୍ଗିକ ବ୍ୟାଧି ଓ ଲକ୍ଷଣଗୁଡ଼ିକ ବିଚାରକୁ ନେଇଥାନ୍ତି। ଔଷଧ ଚାଲୁ ରଖିବା କି ବନ୍ଦ କରିଦେବା ନିଷ୍ପତ୍ତି ଗ୍ରହଣ କରିଥାନ୍ତି। ପିଲାବେଳେ ବାତ ମାରିବା ଲକ୍ଷଣ ପ୍ରକାଶ ପାଇଥିଲେ, ବୟସ ବଢ଼ିବା ସଙ୍ଗେ ସଙ୍ଗେ ବାତ ମାରିବା ଧୀରେ ଧୀରେ କମି କମି ପୂରାପୂରି ବନ୍ଦ ହୋଇଯିବା କିଛି ଅସମ୍ଭବ ନୁହେଁ। ତେବେ ନିୟମିତ ଚିକିତ୍ସା ସତ୍ତ୍ୱେ ଅନ୍ତତଃ ଏକ ଚତୁର୍ଥାଂଶ ରୋଗୀଙ୍କ କ୍ଷେତ୍ରରେ ଯେତେ ଯାହା ଔଷଧ ଦେଲେ ବି ଚିକିତ୍ସା ବିଶେଷ ଫଳବତୀ ହୋଇ ନ ଥାଏ। ସୀମିତ କ୍ଷେତ୍ରରେ ଅପରେସନ ଚିକିତ୍ସାର ମଧ୍ୟ ସାହାଯ୍ୟ ନିଆଯାଇପାରେ।

ଡା. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’, ସେକ୍ଟର-୬, ପ୍ଲଟ୍‌ ନଂ-୧୧୩୧, ଅଭିନବ ବିଡ଼ାନାସୀ, କଟକ, ମୋ:୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri