ମାନବ ସମାଜ ଉପରେ ଆସିଛି ମହାମାରୀ ସଙ୍କଟ, ତେବେ ବି ଭାରତ ଆତ୍ମନିର୍ଭରଶୀଳ, କହିଲେ ମୋଦି…

ନୂଆଦିଲ୍ଲୀ,୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଭିଡ଼ିଓ କନଫରେନ୍ସିରେ ଏହି ଯୋଜନାର ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଉପସ୍ଥିତ ଥିଲେ। ହିତାଧିକାରୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ଦେଶର ୮୦ କୋଟିରୁ ଅଧିକ ଗରିବ ଲୋକଙ୍କ ଘରେ ମାଗଣା ରାଶନ ଯୋଗାଇ ଦିଆଯାଉଛି। ଏହି ଯୋଜନା ଅର୍ନ୍ତଗତ ୫ କୋଟି ହିତାଧିକାରୀଙ୍କୁ ଉପକୃତ କରାଇବା ଲାଗି ମଧ୍ୟପ୍ରଦେଶରେ ଏକ ବଡ ଅଭିଯାନ ଜାରି ରହିିଛି।
ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ନେଇ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ରାଜ୍ୟ ବହୁ ଜିଲାରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଛି। ଏହାଯୋଗୁ ସାଧାରଣ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି। ଏହି ସଙ୍କଟ ସମୟରେ ଭାରତ ସରକାର ଏବଂ ସମଗ୍ର ଦେଶ ମଧ୍ୟପ୍ରଦେଶ ସହିତ ଛିଡା ହୋଇଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିପର୍ଯ୍ୟୟ ଯାହା ହେଉନା କାହିଁକି ଏହାର ପ୍ରଭାବ ବ୍ୟାପକ ଏବାଂ ସୁଦୂରପ୍ରସାରୀ। କରୋନା ମହାମାରୀ ଯୋଗୁ ୧୦୦ ବର୍ଷର ମାନବ ଇତିହାସରେ ସମଗ୍ର ମାନବ ସମାଜ ଉପରେ ସବୁଠାରୁ ବଡ ବିପର୍ଯ୍ୟୟ ଘଟିଛି। ଗତ୧୦୦ ବର୍ଷ ମଧ୍ୟରେ ଦୁନିଆର କୌଣସି ଦେଶ ଏଭଳି ବିପର୍ଯ୍ୟୟ ଦେଖି ନ ଥିଲେ। କରୋନାରୁ ସୃଷ୍ଟି ହୋଇଥିବା ସଙ୍କଟର ମୁକାବିଲା ପାଇଁ ଭାରତ ନିଜ ରଣନୀତିରେ ଗରିବ ଲୋକଙ୍କୁ ଅଧିକ ପ୍ରାଧାନ୍ୟ ଦେଇଛି। ମହାମାରୀ ସଙ୍କଟର ଆରମ୍ଭ ସମୟରୁ ଗରିବ ଏବଂ ଶ୍ରମିକଙ୍କ ଖାଦ୍ୟ ତଥା ରୋଜଗାର ନେଇ ଭାରତ ସରକାର ଚିନ୍ତିତ ଥିଲେ।
କରୋନା ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ସଙ୍କଟରେ ବି ଭାରତବାସୀ ଏକାଠି ଲଢ଼େଇ ଜାରି ରଖିଛନ୍ତି। ଏହା ଆମ ଦେଶର ସାମର୍ଥ୍ୟକୁ ଦର୍ଶାଇଛି। ଭାରତ ଆତ୍ମନିର୍ଭରଶୀଳ ହେବା ସହିତ ଦେଶରେ ୫୦ କୋଟିରୁ ଅଧିକ ଲୋକଙ୍କର ଟିକାକରଣ ସମ୍ଭବ ହୋଇପାରିଛି। ଅନ୍ୟ ରାଜ୍ୟରେ କାର୍ଯ୍ୟ କରୁଥିବା ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ୱାନ ନେଶନ-ୱାନ ରାଶନ କାର୍ଡର ସୁବିଧା ଯୋଗାଇ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share