କୋଟି କୋଟି PF ଖାତାଧାରୀଙ୍କ ପାଇଁ ବଡ଼ ଖବର! ରିଟାୟାରମେଣ୍ଟ ପରେ…

ନୂଆଦିଲ୍ଲୀ,୧୯।୧୧: ଚାକିରି କରିବା ସମୟରେ କର୍ମଚାରୀମାନେ ନିଜ ଦରମାର ଏକ ଅଂଶ କର୍ମଚାରୀ ଭବିଷ୍ୟନିଧି (EPF)ରେ ଜମା କରିଥାନ୍ତି। ଅବସର ପରେ ଆର୍ଥିକ ସୁରକ୍ଷା ଯୋଗାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏବେ ପର୍ଯ୍ୟନ୍ତ ଅଧିକାଂଶ କର୍ମଚାରୀଙ୍କ ପାଖରେ ଅବସର ସମୟରେ ପିଏଫର ସମ୍ପୂର୍ଣ୍ଣ ଟଙ୍କା ଏକାଥରକେ ଉଠାଇବାର ବିକଳ୍ପ ରହିଛି। କିନ୍ତୁ ଏବେ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛି କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO)।

ଅବସର ପରେ କର୍ମଚାରୀମାନେ ନିଜ ପିଏଫ ପାଣ୍ଠିରୁ ଧୀରେ ଧୀରେ ଟଙ୍କା ଉଠାଇବାର ସୁବିଧା ଦେବାକୁ ବିଚାର କରୁଛି EPFO। ଏଥିପାଇଁ ସିଷ୍ଟମାଟିକ ୱିଥଡ୍ରାଲ ପ୍ଲାନ (SWP) ଆଣିବାକୁ ପ୍ରସ୍ତାବ ରହିଛି। ଯଦି ଏହାକୁ ଅନୁମୋଦନ ମିଳେ, ତେବେ ଅବସର ପରେ ମଧ୍ୟ କର୍ମଚାରୀଙ୍କ ଟଙ୍କା ପିଏଫ ଖାତାରେ ନିବେଶ ହୋଇ ରହିପାରିବ ଏବଂ ଏହା ଉପରେ ସୁଧ ମଧ୍ୟ ମିଳିବ।

ଏହି ମାମଲା ସମ୍ପର୍କରେ ଅବଗତ କିଛି ସରକାରୀ ସୂତ୍ର ମନି କଣ୍ଟ୍ରୋଲ୍ର ଏକ ରିପୋର୍ଟରେ କହିଛନ୍ତି ଯେ, ଅବସର ସମୟରେ ଗ୍ରାହକମାନଙ୍କୁ ନିଜର ସମ୍ପୂର୍ଣ୍ଣ ଜମା ରାଶି ଉଠାଇବା ପରିବର୍ତ୍ତେ ଅଧିକ ବିକଳ୍ପ ଦେବାକୁ ଯୋଜନା କରୁଛି EPFO। ବର୍ତ୍ତମାନର ନିୟମ ଅନୁଯାୟୀ, ୫୫ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସରେ ଅବସର ନେଲେ ଗ୍ରାହକମାନେ ନିଜର ଜମା EPF ରାଶିର ୧୦୦ ପ୍ରତିଶତ ଟଙ୍କା ଏକାଥରକେ ଉଠାଇପାରିବେ। ଅନ୍ୟପକ୍ଷରେ, ସମ୍ପୂର୍ଣ୍ଣ ମାସିକ ପେନସନ (EPS) ପାଇବା ପାଇଁ ୫୮ ବର୍ଷ ବୟସ ହେବା ଆବଶ୍ୟକ।

ଯଦି କୌଣସି ଗ୍ରାହକ ୫୫ ବର୍ଷ ପୂର୍ବରୁ ଅବସର ନିଅନ୍ତି, ତେବେ ସେ ‘ଫର୍ମ ୩୧’ ଜରିଆରେ ତୁରନ୍ତ ନିଜ EPF ବାଲାନ୍ସର ୭୫ ପ୍ରତିଶତ ପର୍ଯ୍ୟନ୍ତ ଟଙ୍କା ଉଠାଇପାରିବେ। ବାକି ୨୫ ପ୍ରତିଶତ ରାଶି ‘ଫାଇନାଲ ସେଟେଲମେଣ୍ଟ’ ଭାବେ ଲଗାତାର ୧୨ ମାସ ବେକାର ରହିବା ପରେ ହିଁ ଉଠାଇବାର ସୁବିଧା ରହିଛି।

ମନି କଣ୍ଟ୍ରୋଲର ରିପୋର୍ଟ ଅନୁଯାୟୀ, ସରକାର ଗ୍ରାହକମାନଙ୍କୁ ଟଙ୍କା ଉଠାଇବା ପାଇଁ ଅଧିକ ବିକଳ୍ପ ଦେବାକୁ ଚାହୁଁଛନ୍ତି। ଯାହାଦ୍ୱାରା ସେମାନେ ନିଜ ଆବଶ୍ୟକତା ଅନୁଯାୟୀ ଅବସର ପାଣ୍ଠିକୁ ପରିଚାଳନା କରିପାରିବେ। ତେବେ ଏହି ବିକଳ୍ପଗୁଡ଼ିକ କ’ଣ ହେବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ନଭେମ୍ବର ୧୯ ତାରିଖରେ EPFOର ‘ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟିଜ’ (CBT) ବୈଠକ କରିବ। CBT ହେଉଛି EPFOର ସର୍ବୋଚ୍ଚ ଆଇନଗତ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା। କେନ୍ଦ୍ରୀୟ ଶ୍ରମମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ସଂସ୍ଥାରେ ସରକାର, ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ପ୍ରତିନିଧିମାନେ ସାମିଲ ଅଛନ୍ତି। ଏହି ସଂସ୍ଥା EPF ନୀତି, ପାଣ୍ଠି ଏବଂ ସୁଧ ହାର ପରିଚାଳନା କରିଥାଏ।
ଏହା ବ୍ୟତୀତ EPFO ପକ୍ଷରୁ ‘କର୍ମଚାରୀ ପେନ୍ସନ ଯୋଜନା’ (EPS) ଅଧୀନରେ ସର୍ବନିମ୍ନ ମାସିକ ପେନସନ ୧,୦୦୦ ଟଙ୍କାରୁ ବୃଦ୍ଧି କରି ୩,୦୦୦ ଟଙ୍କା କରିବା ନେଇ ମଧ୍ୟ ଆଲୋଚନା ହୋଇପାରେ।

EPS ହେଉଛି ଭାରତର ଏକ ଅବସରକାଳୀନ ପେନସନ ଯୋଜନା, ଯାହାକୁ କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO) ପରିଚାଳନା କରିଥାଏ। ଏହି ଯୋଜନା ଅଧୀନରେ ସଂଗଠିତ କ୍ଷେତ୍ରର କର୍ମଚାରୀମାନଙ୍କୁ ଅବସର ପରେ ପେନସନ ମିଳିଥାଏ। ଫଳରେ ଅବସର ପରେ ମଧ୍ୟ ସେମାନଙ୍କୁ ନିୟମିତ ଆୟ ମିଳିପାରେ। ନିଯୁକ୍ତିଦାତାଙ୍କ ପକ୍ଷରୁ EPFରେ ଜମା ହେଉଥିବା ଅର୍ଥର ଏକ ଅଂଶରୁ EPS ପାଣ୍ଠି ଗଠନ ହୋଇଥାଏ।

କର୍ମଚାରୀ ଭବିଷ୍ୟନିଧି (EPF)ରେ ନିଯୁକ୍ତିଦାତାଙ୍କ ୧୨ ପ୍ରତିଶତ ଯୋଗଦାନ ମଧ୍ୟରୁ ୮.୩୩ ପ୍ରତିଶତ ଅଂଶ ‘କର୍ମଚାରୀ ପେନ୍ସନ ଯୋଜନା’ (EPS)କୁ ଯାଇଥାଏ। ଅବଶିଷ୍ଟ ୩.୬୭ ପ୍ରତିଶତ ଅଂଶ EPF ଖାତାରେ ଜମା ହୋଇଥାଏ।

EPS ଅଧୀନରେ କେନ୍ଦ୍ର ସରକାର ସର୍ବନିମ୍ନ ପେନସନ ଯୋଜନାର ଅଂଶ ଭାବେ (ସେପ୍ଟେମ୍ବର ୨୦୧୪ରୁ ଲାଗୁ) ଆର୍ଥିକ ଅନୁଦାନ ପ୍ରଦାନ କରିଥାନ୍ତି। ଯେତେବେଳେ କୌଣସି ସଦସ୍ୟଙ୍କ ପ୍ରକୃତ ପେନ୍ସନ ରାଶି ୧,୦୦୦ ଟଙ୍କାରୁ କମ ହୋଇଥାଏ, ସେତେବେଳେ ଏହି ଅନୁଦାନ ଦିଆଯାଇଥାଏ। ଏଭଳି କ୍ଷେତ୍ରରେ ୧,୦୦୦ ଟଙ୍କାର ସର୍ବନିମ୍ନ ପେନସନ ଏବଂ ସଦସ୍ୟଙ୍କ ପ୍ରକୃତ ପେନସନ ମଧ୍ୟରେ ଥିବା ପାର୍ଥକ୍ୟକୁ ସରକାର ଭରଣା କରିଥାନ୍ତି।

Dharitri – Odisha’s No.1 Odia Daily

Share
Tags: EPFO