EPFOକୁ ବଡ଼ ଝଟ୍‌କା: ବୁଡ଼ିଗଲା ୧,୮୦୦ କୋଟିରୁ ଅଧିକ ଟଙ୍କା!

ନୂଆଦିଲ୍ଲୀ, ୨୦।୧୧: ଦେଶର କୋଟି କୋଟି ଚାକିରିଆଙ୍କ କଷ୍ଟ ଅର୍ଜିତ ଟଙ୍କାର ଦାୟିତ୍ୱ ବହନ କରୁଥିବା କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO)କୁ ଲାଗିଛି ବଡ଼ ଝଟ୍‌କା। ରିଲାଏନ୍ସ କ୍ୟାପିଟାଲ ଲିମିଟେଡ (RCL)ରେ କରାଯାଇଥିବା ନିବେଶ ଯୋଗୁଁ EPFOର ପ୍ରାୟ ୧,୮୧୬ କୋଟି ଟଙ୍କା ବୁଡ଼ିଯାଇଛି। ଏବେ ଏହି ବକେୟା ରାଶି ଆଦାୟ କରିବା ପାଇଁ ସମସ୍ତ ଆଇନଗତ ରାସ୍ତା ମଧ୍ୟ ବନ୍ଦ ହୋଇଯାଇଛି।

EPFO ନିଜ ଟ୍ରଷ୍ଟିମାନଙ୍କୁ ଜଣାଇଛି ଯେ, ରିଲାଏନ୍ସ କ୍ୟାପିଟାଲଠାରୁ ବକେୟା ଟଙ୍କା ଆଦାୟ କରିବା ପାଇଁ ଆଉ କୌଣସି ଆଇନଗତ ବିକଳ୍ପ ବାକି ନାହିଁ। କମ୍ପାନୀର ଦେବାଳିଆ ସମାଧାନ ପ୍ରକ୍ରିୟା (Insolvency Resolution) ଶେଷ ହେବା ପରେ ବକେୟା ରାଶି ପ୍ରାୟ ୧,୮୧୬ କୋଟି ଟଙ୍କା ଆକଳନ କରାଯାଇଛି। ତେବେ ପୂରା ଘଟଣା କ’ଣ ଆସନ୍ତୁ ଜାଣିବା।

୨୦୧୩ ଏବଂ ୨୦୧୪ରେ EPFO କର୍ମଚାରୀଙ୍କ ପାଣ୍ଠିରୁ ୨,୫୦୦ କୋଟି ଟଙ୍କା ରିଲାଏନ୍ସ କ୍ୟାପିଟାଲର ନନ-କନଭର୍ଟିବଲ ଡିବେଞ୍ଚର୍‌ (Non-Convertible Debentures)ରେ ନିବେଶ କରିଥିଲା। ପରବର୍ତ୍ତୀ ସମୟରେ କମ୍ପାନୀର ଆର୍ଥିକ ସ୍ଥିତି ଖରାପ ହେବାରୁ ଏହା ଟଙ୍କା ଫେରସ୍ତ କରିବାରେ ବିଫଳ ହୋଇଥିଲା। ଏହି ଋଣ ରାଶି ଉପରେ ୮୦୮.୬୭ କୋଟି ଟଙ୍କାର ସୁଧ ମଧ୍ୟ ଜମା ହୋଇଥିଲା। ଫଳରେ ମୋଟ ବକେୟା ରାଶି ୩,୩୦୮.୬୭ କୋଟି ଟଙ୍କାରେ ପହଞ୍ଚିଥିଲା।

ବର୍ତ୍ତମାନ କମ୍ପାନୀର ଦେବାଳିଆ ପ୍ରକ୍ରିୟା ଶେଷ ହୋଇଥିବାରୁ କୋର୍ଟଙ୍କ ତତ୍ତ୍ୱାବଧାନରେ ହୋଇଥିବା ନିଲାମ ମାଧ୍ୟମରେ EPFOକୁ ମାତ୍ର ୧,୪୯୨.୪୫ କୋଟି ଟଙ୍କା ଫେରସ୍ତ ମିଳିଛି। ଅର୍ଥାତ୍‌ ମୂଳଧନରୁ ୧,୦୦୭.୫୫ କୋଟି ଟଙ୍କା ଏବଂ ସୁଧ ବାବଦକୁ ୮୦୮.୬୭ କୋଟି ଟଙ୍କା ମିଶାଇ ମୋଟ ୧,୮୧୬.୨୨ କୋଟି ଟଙ୍କାର କ୍ଷତି ହୋଇଛି।

ବକେୟା ଟଙ୍କାର ଅଭିଯୋଗ ହୋଇଥିବା ହେରଫେରକୁ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ୨୦୨୬ ଅଗଷ୍ଟରେ ଏକ ମାମଲା ରୁଜୁ କରିଥିଲା। ପାଣ୍ଠିର ହେରଫେର ପାଇଁ କିଏ ଦାୟୀ, ତାହା ଜାଣିବା ସହ ଦୋଷୀଙ୍କୁ ଦଣ୍ଡିତ କରିବା ଉଦ୍ଦେଶ୍ୟରେ ତଦନ୍ତ ଚାଲିଛି। ତେବେ ଏହି ତଦନ୍ତ ମାଧ୍ୟମରେ EPFOକୁ ବକେୟା ଟଙ୍କା ଫେରସ୍ତ ମିଳିବାର ଆଶା ବହୁତ କମ୍‌।

ତେବେ ସାଧାରଣ କର୍ମଚାରୀଙ୍କ ପାଇଁ ଆଶ୍ୱସ୍ତିର କଥା ହେଉଛି, ଏହି କ୍ଷତିର ପ୍ରଭାବ ସେମାନଙ୍କ PF ଆକାଉଣ୍ଟ ଉପରେ ପଡ଼ିବ ନାହିଁ। କର୍ମଚାରୀଙ୍କ PF ଖାତାରୁ ଗୋଟିଏ ଟଙ୍କା ମଧ୍ୟ କଟାଯିବ ନାହିଁ। ସେମାନଙ୍କ ଜମା ଟଙ୍କା ସରକାରୀ ଗ୍ୟାରେଣ୍ଟି ସହ ସୁରକ୍ଷିତ ରହିବ ବୋଲି ଖବରରେ ଦାବି କରାଯାଇଛି।

 

Dharitri – Odisha’s No.1 Odia Daily

Share
Tags: EPFO